ଭୁବନେଶ୍ବର: ଜୁନାଗଡ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାକୁ ନେଇ ତେଜିଲା ରାଜନୀତି । ଏହି ଘଟଣାକୁ ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ବିଜେଡି ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ସିଧାସଳଖ ଦୁଷ୍କର୍ମକାରୀ ସହିତ ବିଜେଡି ନେତାଙ୍କ ଲିଙ୍କ୍ ରହିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶାସକ ଦଳର ଚାପରେ ମୁଖ୍ୟ ଅଭିଯୁକ୍ତକୁ ଖଲାସ କରିଛି ପୋଲିସ ବୋଲି ସେ ଅଭିଯୋଗ କରିଛନ୍ତି । ଏହାସହ ଏସବୁ କେବଳ ଶାସନର ଅହଙ୍କାର ବୋଲି କହିବା ସହ ରାଜ୍ୟରେ ବିଗତ 3 ବର୍ଷର ଦୁଷ୍କର୍ମ ରେକର୍ଡ ଦେଖିଲେ ପ୍ରାୟ ସମସ୍ତ ଘଟଣାରେ ବିଜେଡିର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସମ୍ପୃକ୍ତି ଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଲେଖାଶ୍ରୀ ।
ଏହି ଘଟଣା ପରେ ମନ୍ତ୍ରୀ ଓ ମହିଳା କମିଶନ ଅଧ୍ୟକ୍ଷାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଲେଖାଶ୍ରୀ । ମହିଳା କମିଶନ ଅଧ୍ୟକ୍ଷ ନା ନିନ୍ଦା କରିଛନ୍ତି , ନା ମୁହଁ ଖୋଲିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟ ଅଭିଯୁକ୍ତକୁ ଖଲାସ କରିବା ପାଇଁ ସୁଚିନ୍ତିତ ଷଡଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି ।
ଲେଖାଶ୍ରୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ସ୍ଥାନୀୟ ବିଧାୟକ ତଥା କ୍ୟାପଟେନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୁରକ୍ଷା ଦେଉଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଲଳିତେନ୍ଦୁ ଶବରକୁ ପୋଲିସ ହେପାଜତରୁ ଛାଡ଼ିଦେବା ଘଟଣାରେ ସ୍ଥାନୀୟ ବିଧାୟକ ତଥା ଗୃହ ମନ୍ତ୍ରୀଙ୍କ ହାତ ରହିଥିବ ବୋଲି କହିଛନ୍ତି ଲେଖାଶ୍ରୀ ।