ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ନେଇ ପୁଣି ଥରେ ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି । ହତ୍ୟାକାଣ୍ଡ ଆଜିକୁ 13 ଦିନ ବିତି ଯାଇଛି । ଏହି ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଆଗକୁ ଆସିଛି । ହେଲେ ଡିଆଇଜି ଗୋଟେ କାହାଣୀ ଆସିକି କହିଦେଲେ ଯେ, କେବଳ ଗୋବିନ୍ଦ ଘଟଣାରେ ହିଁ ମୁଖ୍ୟ ଅଭିଯୁକ୍ତ, କିନ୍ତୁ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ପୋଲିସ କାହିଁକି ତଦନ୍ତ କରୁନାହିଁ ? ପୋଲିସ ବିଭାଗୀୟ ମନ୍ତ୍ରୀଙ୍କୁ ଖସାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର ଏହା କହିଛନ୍ତି ।
ମମିତା ମେହର ହତ୍ୟା ଘଟଣାରେ ବିଜେପିର ପୁଣି ସିବିଆଇ ତଦନ୍ତ ଦାବି ବହୁ ଦିନ ଧରି ରାଜ୍ୟରେ ଏଭଳି ଘଟଣାର ଅନେକ ଉଦାହରଣ ଅଛି । ନୟାଗଡ ପରୀ ମାମଲାରେ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବା ନେଇ ଅଭିଯାେଗ ଆସିଲା । ହେଲେ ପୋଲିସ 5 ମାସ ଚୁପ୍ ରହିଲା । ବିଧାନସଭା ସମ୍ମୁଖରେ ପରୀର ପରିବାର ଲୋକେ ଆତ୍ମାହୁତି ଉଦ୍ୟମ ପରେ ଏସଆଇଟି ଗଠନ ହେଲା । ମାହାଙ୍ଗା ଡବଲ ମର୍ଡ଼ରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଆସିଲା, କିନ୍ତୁ ପୋଲିସ କିଛି କଲା ନାହିଁ ଓଲଟା ତାଙ୍କୁ ଖସାଇ ଦେଲା ବୋଲି ଅଭିଯୋଗ କରିଛି ବିଜେପି ।
ମମିତା ମହେର ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କ କଥାକୁ ବିଶ୍ଵାସ କରୁଛି ପୋଲିସ ହେଲେ ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଶୁଣୁନି । ଏଥିରୁ ପ୍ରମାଣିତ ହେଉଛି ଯେ, ପୋଲିସ କେବଳ ହାତ ବାନ୍ଧି ଛିଡ଼ା ହୋଇଛି । ତେଣୁ ଘଟଣାରେ CBI ତଦନ୍ତ ଦାବି କରିଛି ବିଜେପି ।
ରାଜ୍ୟ ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, "ଓଡ଼ିଶା ପୋଲିସର ଦକ୍ଷତାକୁ ନେଇ ଆମେ ପ୍ରଶ୍ନ କରୁନୁ, ଆମେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରୁଛୁ । ମମିତାଙ୍କ ଘଟଣାରେ ପୋଲିସ ପ୍ରଥମେ ଯଥାଶୀଘ୍ର କାହିଁକି ମାମଲା ରୁଜୁ କଲା ନାହିଁ ? ସଙ୍ଗୀନ ଦଫା ସତ୍ତ୍ଵେ ବି 4 ଦିନ ହେଲା ଗିରଫ ନ କରି, କୋର୍ଟ ଚାଲାଣ ନକରି କାହିଁକି ବାରାକରେ ରଖିଥିଲା ? ଆଉ ସେଠି କାହା ଇଙ୍ଗିତରେ ଗୋବିନ୍ଦଙ୍କୁ ଖସାଇ ଦିଆଗଲା ? ପୋଲିସ ମୃତଦେହ ଆଉ ପାଉଁଜି ପାଖରେ କେମିତି ପହଞ୍ଚିଲା ? ଏଠି ଯାତ୍ରା ଚାଲିଛି ନା ତଦନ୍ତ ଚାଲିଛି ?"
ସାମ୍ବାଦିକ ସମ୍ମିଳନୀରେ ଏଭଳି ଅନେକ ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ଘଟଣାକୁ ନେଇ ଏହାସହ ରାଜ୍ୟର ସମସ୍ତ ମହିଳାଙ୍କୁ ସ୍ୱର ଉତ୍ତୋଳନ କରିବାକୁ ଆହ୍ଵାନ ଦେଇଛି ବିଜେପି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ