ଓଡିଶା

odisha

ETV Bharat / city

ଦରଦାମ ବୃଦ୍ଧିକୁ ନେଇ ସାରା ରାଜ୍ୟରେ ବିଜେଡିର ପ୍ରତିବାଦ - ବିଜେଡିର ବିରୋଧ

ଦରଦାମ ବୃଦ୍ଧିକୁ ନେଇ ସାରା ରାଜ୍ୟରେ ବିଜେଡିର ପ୍ରତିବାଦ
ଦରଦାମ ବୃଦ୍ଧିକୁ ନେଇ ସାରା ରାଜ୍ୟରେ ବିଜେଡିର ପ୍ରତିବାଦ

By

Published : Nov 1, 2021, 5:55 PM IST

Updated : Nov 1, 2021, 10:47 PM IST

22:30 November 01

ରାୟଗଡ଼ାରେ ମହିଳା ବିଜେଡିର ଦରବୃଦ୍ଧି ପ୍ରତିବାଦ

ରାୟଗଡ଼ାରେ ମହିଳା ବିଜେଡିର ଦରବୃଦ୍ଧି ପ୍ରତିବାଦ

ରାୟଗଡ଼ା: ତୈଳଦର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଲେ ମହିଳା ବିଜୁ ଜନତା ଦଳ । ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ରାୟଗଡ଼ା ମହିଳା ବିଜେଡି । ଆଜି ରାୟଗଡ଼ା ଜିଲ୍ଲା ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ରାୟଗଡାରେ ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସ ଏବଂ ଜିଲ୍ଲା ବିଜୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁସୟା ମାଝିଙ୍କ ନେତୃତ୍ୱରେ ଶତାଧିକ ମହିଳା ପ୍ରଥମେ ଗଜପତି ଛକରେ ପ୍ରତିବାଦ କରିଥିଲେ ।  

ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେଡି ପକ୍ଷରୁ କେନ୍ଦ୍ର ସରକାର ତୁରନ୍ତ ଦର ବୃଦ୍ଧି ପ୍ରତ୍ୟାହାର କରିବା ଦାବିରେ ଏକ ଦାବିପତ୍ର  ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରଯାଇଛି । ଦିନକୁ ଦିନ ତୈଳ ଦର ବୃଦ୍ଧି ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ସିଧାସଳଖ ହାଣ୍ଡିଶାଳା ପ୍ରଭାବିତ ହୋଇଛି । ଯାହାକୁ ନେଇ ତାତିଛନ୍ତି ମହିଳା । ଏହି ପରିପ୍ରେକ୍ଷିରେ ଆଜି ସାରା ରାଜ୍ୟରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଉଛି । 

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

22:22 November 01

ଜିଲ୍ଲାପାଳ ଅଫିସ ସମ୍ମୁଖରେ ମହିଳା ବିଜେଡିର ପ୍ରତିବାଦ

ଜିଲ୍ଲାପାଳ ଅଫିସ ସମ୍ମୁଖରେ ମହିଳା ବିଜେଡିର ପ୍ରତିବାଦ

ଫୁଲବାଣୀ: ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦିଆଯାଇଛି । ବିଭିନ୍ନ ବ୍ଲକ୍‌ରେ ବିଜେଡି ସୁପ୍ରିମୋଙ୍କ ଆହ୍ୱାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି କ୍ରମରେ କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯାଇଛି ।

କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ପ୍ରତିବାଦ ସଭା କରାଯାଇଥିଲା । ଏହି ସଭାରେ ବିଜେଡି ଜିଲା ସଭାପତି ସରୋଜ କର୍ଣ , ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପୁନମ କହଁର, ବିଜୁ ଛାତ୍ର ସଭାପତି ସୁନୀଲ ସେଠୀ, ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକଙ୍କ ସହ ବିଜେଡିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।  

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

21:24 November 01

ବ୍ରହ୍ମଗିରିରେ ବି ଉଠିଲା ବିଜେଡିର ଦରବୃଦ୍ଧି ପ୍ରତିବାଦ

ବ୍ରହ୍ମଗିରିରେ ବି ଉଠିଲା ବିଜେଡିର ଦରବୃଦ୍ଧି ପ୍ରତିବାଦ

ବ୍ରହ୍ମଗିରି:ଦରବୃଦ୍ଧିକୁ ବିରୋଧ କରି ବ୍ରହ୍ମଗିରି ମହିଳା ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସମୁଖରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ସଭା କରାଯାଇଛି । ଦେଶରେ ତୈଳ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ମଧ୍ୟ ଦାମ୍‌ ବଢ଼ିବାରେ ଲାଗିଛି । ଫଳରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ମୋଦି ସରକାର ମହିଳା ମାନଙ୍କୁ ଲୁଟୁଥିବା ଅଭିଯୋଗ କରିଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ସାରା ରାଜ୍ୟରେ ମହିଳା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । 

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

21:20 November 01

ଦରଦାମ ବୃଦ୍ଧିକୁ ନେଇ ରାଷ୍ଟ୍ରପତିଙ୍କୁ ଦାବିପତ୍ର

ଦରଦାମ ବୃଦ୍ଧିକୁ ନେଇ ରାଷ୍ଟ୍ରପତିଙ୍କୁ ଦାବିପତ୍ର

ରାଇରଙ୍ଗପୁର:ଦରଦାମ ବୃଦ୍ଧିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି ମହିଳା ବିଜୁ ଜନତା ଦଳ । ପେଟ୍ରୋଲ ଡିଜେଲ LPG ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁହୁ ହୋଇ ବୃଦ୍ଧି ପାଇଛି । ଏନେଇ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ରାଇରଙ୍ଗପୁର ସହରରେ ଏକ ବିଶାଳ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । ଶତାଧିକ କର୍ମୀ ଏହି ଶୋଭାଯାତ୍ରାରେ ଯୋଗ ଦେଇ କେନ୍ଦ୍ରସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । 

ବିଜେଡି କର୍ମୀମାନେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ବିଜେଡି କର୍ମୀମାନେ ଗ୍ୟାସ୍‌ ଟାଙ୍କି ବୋହିବା ସହ ଗ୍ୟାସ ଚୁଲି ଜାଳି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଆରା ଢଙ୍ଗରେ ପ୍ରତିବାଦ କରିଥିଲେ । ପରିଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ମହିଳା ବିଜେଡି । 

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

21:14 November 01

ଦରବୃଦ୍ଧିକୁ ବିଜେଡିର ବିରୋଧ, ରାଜରାସ୍ତାରେ ବସିଲା ହାଣ୍ଡିଶାଳ

ଦରବୃଦ୍ଧିକୁ ବିଜେଡିର ବିରୋଧ, ରାଜରାସ୍ତାରେ ବସିଲା ହାଣ୍ଡିଶାଳ

ନୟାଗଡ଼: ଦରଦାମ ବୃଦ୍ଧି ପ୍ରତିବାଦରେ ନୟାଗଡ଼ ଏବଂ ଦଶପଲ୍ଲା ମହିଳା ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଦେଶରେ ଅନିୟନ୍ତ୍ରିତ ଭାବରେ ତୈଳ ଦର ବଢ଼ିବାରେ ଲାଗିଛି । ଯାହାର ପ୍ରଭାବରେ ଅତ୍ୟାବଶ୍ୟକ ଜନିଷର ଦର ମଧ୍ୟ ବୃଦ୍ଧି ପାଇଛି । ନୟାଗଡ଼ ଜିଲ୍ଲା ସଭାନେତ୍ରୀ ବିଜୟ ଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା ଏହି ବିକ୍ଷୋଭ ପ୍ରଦର୍ଶରେ ଯୋଗ ଦେଇଥିଲେ ।  ଖାଲି ଗ୍ୟାସ ସିଲିଣ୍ଡର ମୁଣ୍ଡାଇ ନୟାଗଡ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରୁ ଶୋଭାଯାତ୍ରାରେ ବାହାରି ନୟାଗଡ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l 

ରାଜରାସ୍ତାରେ କାଠ ଜାଳି ରୋଷେଇ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ l ତୁରନ୍ତ ଦରଦାମ ବୃଦ୍ଧି ହ୍ରାସ କରିବା ପାଇଁ ମହିଳା ମାନେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇଛନ୍ତି l  

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

20:41 November 01

ରାଜଧାନୀରେ ଗର୍ଜିଲା ବିଜେଡି, ରାସ୍ତାରେ ଜାଳିଲା ଚୁଲି

ରାଜଧାନୀରେ ଗର୍ଜିଲା ବିଜେଡି, ରାସ୍ତାରେ ଜାଳିଲା ଚୁଲି

ଭୁବନେଶ୍ବର:ଗତକାଲି ରାଜଭବନ ସମ୍ମୁଖରେ, ଆଜି ରାଜରାସ୍ତାରେ ପ୍ରତିବାଦ କରୁଛି ବିଜେଡି । ଗ୍ୟାସ ଓ ତୈଳଦର ଅହେତୁକ ବୃଦ୍ଧି ପ୍ରତିବାଦକୁ ବ୍ୟାପକ କରିଛି ବିଜେଡି । ରାଜ୍ୟର 147 ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ କାରିଛି ବିଜେଡ଼ିର ମହିଳା ବ୍ରିଗେଡ଼ । ଏହି କ୍ରମରେ ଭୁବନେଶ୍ୱରରେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଆନ୍ଦୋଳନକୁ ଓହ୍ଲେଇଛି ବିଜେଡି । କେନ୍ଦ୍ର ସରକାରଙ୍କ ବେଲଗାମ୍ ଦର ବୃଦ୍ଧି ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି । ନିମ୍ନ ମଧ୍ୟବିତ ପରିବାର ଦର ବୃଦ୍ଧି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏହି ପ୍ରସଙ୍ଗକୁ ମୁଦ୍ଦା କରି ଆଜି ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି । ମହିଳା ବିଜେଡି ନେତା ଓ କର୍ମୀ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ପ୍ରତିବାଦ କରୁଛନ୍ତି । ଭୁବନେଶ୍ୱର ଏଡିଏମ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ରାସ୍ତା ଚୁଲି ଜାଳି ବିରୋଧ କରିଛି ବିଜେଡି ।

ସେହିପରି ତୈଳ ଓ ଗ୍ୟାସ ଦରକୁ ବିରୋଧ କରି ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ଆଇଓସିଏଲ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ପ୍ରତିବାଦ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ଭୁବନେଶ୍ୱର ତହସିଲ ଆଗରେ ବିକ୍ଷୋଭ କରିଛି ବିଜେଡି ମହିଳା ଦଳ ।

ମନ୍ତ୍ରୀ ଅଶୋକ ପାଣ୍ଡ, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଶତାଧିକ ମହିଳା ଉପ-ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର ବିରୋଧରେ ବିଜେଡ଼ି ଦେଇଥିବା ଏହି ରଣହୁଙ୍କାର ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ କରୁଛି ଦଳ । ଆସନ୍ତା ୫ରୁ ୭ତାରିଖ ଯାଏଁ ସବୁ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଯୁବ ଓ ଛାତ୍ର ବିଜେଡି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

20:26 November 01

ବ୍ଲକ୍‌ ଅଫିସ୍‌ ଘେରିଲା ବିଜେଡି ମହିଳା ମୋର୍ଚ୍ଚା

ବ୍ଲକ୍‌ ଅଫିସ୍‌ ଘେରିଲା ବିଜେଡି ମହିଳା ମୋର୍ଚ୍ଚା

ନିଆଳି:ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ଦଳ ପକ୍ଷରୁ ନିଆଳି, କଣ୍ଟାପଡ଼ା, ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଫିସ ଘେରାଉ କରାଯାଇଛି । ଦରଦାମକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ତିଳେ ମାତ୍ର ଇଛା ନଥିବା ମନେ ହେଉଛି । ଗ୍ଯାସ, ପନିପରିବା ସବୁଠି ଦରଦାମରେ ନିଆଁ ଲାଗିବା ଭଳି ମନେ ହେଉଛି । ଏହାକୁ ନେଇ ବିଜେଡି ସୁପ୍ରିମୋଙ୍କ ଆହ୍ୱାନ କ୍ରମେ ରାଜ୍ୟର ପ୍ରତ୍ୟେକ ବ୍ଲକ ସମ୍ମୁଖରେ ବିଜେଡି ନେତା, କର୍ମୀ ଓ ମହିଳା ଘେରାଉ କରିଛନ୍ତି । 

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

20:11 November 01

ଦରଦାମ ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଦରଦାମ ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଆନନ୍ଦପୁର: ଦରବୃଦ୍ଧି ପ୍ରତିବାଦରେ ଘଷିପୁରା ବ୍ଲକ୍ ମହିଳା ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି । ଶତାଧିକ କର୍ମୀ ଏକତ୍ରିତ ହୋଇ ଘଷିପୁର ବସ୍‌ଷ୍ଟାଣ୍ଡ ଠାରୁ ଶୋଭାଯାତ୍ରାରେ ବାହାରି ଘଷିପୁରା ବ୍ଲକ୍ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି ।  ଦରଦାମ ହ୍ରାସ ନପାଇଲେ ଆଗୀମି ଦିନରେ ମହିଳାମାନେ ଚରମ ପଦକ୍ଷପ ନେବାକୁ ଚେତାବନୀ ଦେଇଛନ୍ତି । ଏହି କ୍ରମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।  

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

19:45 November 01

ବାଲେଶ୍ବରରେ ବି ଉଠିଲା ବିଜେଡିର ଦରବୃଦ୍ଧି ପ୍ରତିବାଦ

ବାଲେଶ୍ବରରେ ବି ଉଠିଲା ବିଜେଡିର ଦରବୃଦ୍ଧି ପ୍ରତିବାଦ

ବାଲେଶ୍ବର: ଦରଦାମ୍ ବୃଦ୍ଧି ପ୍ରତିବାଦରେ ବାଲେଶ୍ଵର ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।  ଦରବୃଦ୍ଧି ନିୟନ୍ତ୍ରଣ କରିବାକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ମହିଳା ବିଜେଡି ।

ଏହାକୁ ନେଇ ସଦର ମହିଳା ବିଜୁ ଜନତା ଦଳ ଏକତ୍ରିତ ହେବା ସହ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରିଥିଲେ । କେନ୍ଦ୍ର ସରକାର କି ଆଛାଦିନ ଆଣିଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି ।  ବିକ୍ଷୋଭସ୍ଥଳରେ ବାଲେଶ୍ଵର ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ସ୍ୱରୂପ କୁମାର ଦାସଙ୍କ ସମେତ ବିଜୁ ମହିଳା ଜନତା ଦଳ ଟାଉନ ସଭାନେତ୍ରୀ ମିନା ମହାନ୍ତି ଉପସ୍ଥିତ ରହିଥିଲେ ।  

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

19:38 November 01

ଦରଦାମ ବୃଦ୍ଧି ବିରୋଧରେ ବିଜେଡିର ପ୍ରତିବାଦ

ଦରଦାମ ବୃଦ୍ଧି ବିରୋଧରେ ବିଜେଡିର ପ୍ରତିବାଦ

ଖୋର୍ଦ୍ଧା :ଦରଦାମ ବୃଦ୍ଧି ପ୍ରତିବାଦରେ ତେଜିଛି ଆନ୍ଦୋଳନ । ବିଶେଷ କରି ତୈଳ ଦର ବଢ଼ିବା ଯୋଗୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟୁଛି । ଏହାକୁ ନେଇ କେନ୍ଦ୍ରରେ ଥିବା ମୋଦି ସରକାରକୁ ଟାର୍ଗେଟ କରିଛି ବିଜେଡି ।  ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ବିରୋଧୀ  ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି । ସେପଟେ ତୈଳ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ବିରୋଧରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

19:35 November 01

ଦରବୃଦ୍ଧି ବିରୋଧରେ ବଲାଙ୍ଗୀରରେ ବିଜେଡିର ପ୍ରତିବାଦ

ଦରବୃଦ୍ଧି ବିରୋଧରେ ବଲାଙ୍ଗୀରରେ ବିଜେଡିର ପ୍ରତିବାଦ

ବଲାଙ୍ଗୀର: ତେଲ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦର ବୃଦ୍ଧି ନେଇ ସାରା ରାଜ୍ୟରେ ବିଜେଡି ପ୍ରତିବାଦ ଜାରି ରହିଛି । ଏନେଇ ବଲାଙ୍ଗୀର ମଧ୍ୟ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ଧାରଣା ଦିଆଯାଉଛି ।  

ବଲାଙ୍ଗୀର ବିଜେଡି ମହିଳା ମୋର୍ଚ୍ଚା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାଠ ଚୁଲି ଜାଳି ଅଭିନବ ଉପାୟରେ ନିଜର ବିରୋଧ ଜାହିର କରିଛି ।  କେନ୍ଦ୍ର ସରକାର ନିଜ ନିର୍ବାଚନୀ ଏଜେଣ୍ଡାରେ ତେଲ ଦର କମାଇବା ନେଇ ପ୍ରତିଶୃତି ଦେଇଥିଲା। ହେଲେ ପରବର୍ତ୍ତୀ ସମୟରେ ପେଟ୍ରୋଲ ଡିଜେଲର ଦର ବଢ଼ି ଶହେ ଟଙ୍କା ପାର୍‌ ହୋଇଛି । ଦର ନିୟନ୍ତ୍ରଣ ନହେଲେ  ଆନ୍ଦୋଳନ ତୀବ୍ରତର କରିବାକୁ ଧମକ ଦେଇଛି ବିଜେଡି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

18:59 November 01

କଳାହାଣ୍ଡିରେ ବିଜେଡିର ଦରବୃଦ୍ଧି ପ୍ରତିବାଦ

କଳାହାଣ୍ଡିରେ ବି ଉଠିଲା ବିଜେଡିର ଦରବୃଦ୍ଧି ପ୍ରତିବାଦ

ଭବାନୀପାଟଣା: ଦେଶରେ ପେଟ୍ରୋଲ, ଡିଜେଲ ସହ ଅତ୍ୟାବଶ୍ୟକ ଜିନିଷ ଦର ଆକାଶ ଛୁଆଁ ହୋଇଛି । ଏହାର ପ୍ରତିବାଦରେ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଛି । ଦର ନିୟନ୍ତ୍ରଣ ପାଇଁ ମହିଳା ବିଜେଡି ପକ୍ଷରୁ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । 

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

18:52 November 01

ଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ବିଜୁ ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

ଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ବିଜୁ ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

ଭଦ୍ରକ: ଅତ୍ଯାବଶକୀୟ ସାମଗ୍ରୀ ଓ ତୈଳ, ଗ୍ଯାସର ଦରବୃଦ୍ଧିକୁ ନେଇ ଭଦ୍ରକ ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି ।  ଭଦ୍ରକରେ ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ହୋଇଛି ।  

ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପରେ ପ୍ରତିବାଦ ସଭା କରାଯାଇଥିଲା ।  ପ୍ରଥମେ ବିଜେଡି ମହିଳା ମୋର୍ଚ୍ଚା ସ୍ଥାନୀୟ ଗାନ୍ଧୀ ପଡ଼ିଆ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସମେତ ବିଧାନସଭା ନିର୍ବାଚନ ମଣ୍ଡଳୀର ବହୁ ମହିଳା ଯୋଗ ଦେଇ ଦରବୃଦ୍ଧିର ପ୍ରତିଵାଦ କରିଥିଲେ ।  

ଆଗାମୀ ଦିନରେ ଦରଦାମ ହ୍ରାସ ନହେଲେ ବିଜେଡି ମହିଳା ମୋର୍ଚ୍ଚା ଆନ୍ଦୋଳନ ତୀବ୍ରଦର କରିବାକୁ ଚେତାବନୀ ଦେଇଛି ।  

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

18:22 November 01

ଦରଦାମ ନିୟନ୍ତ୍ରଣ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ବିଜେଡିର ଧମକ

ଦରଦାମ ନିୟନ୍ତ୍ରଣ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ବିଜେଡିର ଧମକ

ଯାଜପୁର: ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଯାଜପୁରରେ ମଧ୍ୟ ପ୍ରତିବାଦର ସ୍ବର ଉଠାଇଛି ବିଜେଡି ।  କୋରେଇ ମହିଳା ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  ମହିଳା ବିଜୁ ଜନତା ଦଳର ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଧନେଶ୍ୱର ବଜାର ପରିକ୍ରମା କରିବା ସହ କୋରେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । 

ରନ୍ଧନ ଗ୍ୟାସ୍‌, ତୈଳ ଦରବୃଦ୍ଧି ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି ।  ଏଥିପାଇଁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରୁଛି ବିଜେଡି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇ କେନ୍ଦ୍ର ସରକାରଙ୍କ ଦରଦାମ ନିୟନ୍ତ୍ରଣ ନୀତିକୁ କଡ଼ା ନିନ୍ଦା କରିଛନ୍ତି । 

ତୁରନ୍ତ କେନ୍ଦ୍ର ସରକାର ବୃଦ୍ଧି କରଥିବା ଦରଦାମକୁ ନିୟନ୍ତ୍ରଣ ନକଲେ ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀ ଯାଏଁ ପହଞ୍ଚିବ ବୋଲି ମହିଳା ଜନତା ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସବିତା ରାଉତ, ରାଜ୍ୟ ବିଜେଡି ମହିଳା ସମ୍ପାଦକ ଉଷାରାଣୀ ସାମଲଙ୍କ ସମେତ ଅନେକ ମହିଳା ଯୋଗ ଦେଇଥିଲେ।
 

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

18:01 November 01

ଦରବୃଦ୍ଧି ବିରୋଧରେ ବ୍ରହ୍ମପୁରରେ ବିଜେଡିର ପ୍ରତିବାଦ

ଦରବୃଦ୍ଧି ବିରୋଧରେ ବ୍ରହ୍ମପୁରରେ ବିଜେଡିର ପ୍ରତିବାଦ

ବ୍ରହ୍ମପୁର: ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୁଦ୍ଧରେ ବ୍ରହ୍ମପୁରରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯାଇଛି । ଦରଦାମ ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ ବିଜେଡି ପକ୍ଷରୁ କେନ୍ଦ୍ର ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରିବା ପାଇଁ ଡାକରା ଦେଇଛନ୍ତି ବିଜେଡି ସୁପ୍ରିମୋ ।  ଏହି କ୍ରମରେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ପକ୍ଷରୁ  ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରାଯାଇଥିଲା ।

ଦେଶରେ ହୁହୁ ହୋଇ ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜି ଦର ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ହେଉଛି । ଏହାକୁ ବିରୋଧ କରି ଗଞ୍ଜାମର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି । ଦର ବୃଦ୍ଧି ଯୋଗୁଁ ଓଡିଶାର ସାଧାରଣ ଜନତା ବହୁଳ ଭାବରେ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦର ଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
 

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

17:11 November 01

ପୁରୀରେ ବି ଉଠିଲା ବିଜେଡିର ଦରବୃଦ୍ଧି ପ୍ରତିବାଦ

ପୁରୀରେ ବି ଉଠିଲା ବିଜେଡିର ଦରବୃଦ୍ଧି ପ୍ରତିବାଦ

ପୁରୀ: ପେଟ୍ରୋଲ, ଡିଜେଲ ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ମହିଳା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀ ରେ ଆଜି ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ବିପକ୍ଷରେ ଧାରଣା, ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କ୍ରମରେ ପୁରୀରେ ଜିଲ୍ଲା ବିଜୁ ମହିଳା ଜନତା ଦଳ କର୍ମୀ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। 

କେନ୍ଦ୍ର ବିଜେପି ସରକାର ତୁରନ୍ତ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ଦର କମାଇବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନ ତୀବ୍ରତର କରିବା ନେଇ ସୂଚନା ଦେଇଛି । 

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

16:53 November 01

ପ୍ରତିବାଦ ବେଳେ ବିଜେଡି କର୍ମୀ-ବସ୍ତିବାସିନ୍ଦା ସୁରକ୍ଷା ମଞ୍ଚ ମୁହାଁମୁହିଁ

ପ୍ରତିବାଦ ବେଳେ ବିଜେଡି କର୍ମୀ-ବସ୍ତିବାସିନ୍ଦା ସୁରକ୍ଷା ମଞ୍ଚ ମୁହାଁମୁହିଁ

ସୁବର୍ଣ୍ଣପୁର:ଜିଲ୍ଲାରେ ଆଜି ବିଜେଡି କର୍ମୀ ଓ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି କର୍ମୀମାନେ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ କର୍ମକର୍ତ୍ତା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମମିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି ନେଇ ନାରାବାଜି କରୁଥିଲେ । ଉଭୟ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକର ଉଭୟ ପାର୍ଶ୍ବରେ ଧାରଣା ଦେଇଥିଲେ । 

ଏହି ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲେ । ବସ୍ତିବାସିନ୍ଦା ସୁରକ୍ଷା ମଞ୍ଚର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ବେଳେ ବିଜେଡି କର୍ମୀମାନେ ଏହାର ପ୍ରତିବାଦ କରିଥିଲେ । ପୋଲିସ ଉଭୟ ଗୋଷ୍ଠିଙ୍କୁ ନାରାବାଜି ନକରିବା ପାଇଁ ଅନୁରୋଧ କରିଥିଲା । ଫଳରେ ଉଭୟ ଗୋଷ୍ଠୀ ଟିକିଏ ଶାନ୍ତ ପଡ଼ିଥିଲେ ।  

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

16:34 November 01

ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ମହିଳା ବିଜେଡିର ବିରୋଧ ପ୍ରଦର୍ଶନ

ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ମହିଳା ବିଜେଡିର ବିରୋଧ ପ୍ରଦର୍ଶନ

ନୂଆପଡ଼ା:ଜିଲ୍ଲା ମହିଳା ବିଜୁ ଜନତା ଦଳ ପକ୍ଷରୁ ଖଡ଼ିଆଳ ଓ ନୂଆପଡ଼ା ନିର୍ବାଚନ ମଣ୍ଡଳୀର  ପୃଥକ ପୃଥକ ଦୁଇଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଛି । ଦରଦାମକୁ ବିରୋଧ କରି ସାରା ରାଜ୍ୟରେ ପ୍ରତିବାଦ କରୁଛି ବିଜେଡି । ଏହି କ୍ରମରେ ନୂଆପଡ଼ା ଜିଲ୍ଲା  ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ସରସ୍ୱତୀ ବାଗ୍‌ଙ୍କ ନେତୃତ୍ୱରେ ଶତାଧିକ ମହିଳା ଖଡ଼ିଆଳ ବ୍ଲକ ଛକରେ ଏକତ୍ରିତ ହୋଇଥିଲେ । ସେଠାରେ ଏକ ପ୍ରତିବାଦ ସଭା କରି କେନ୍ଦ୍ର ସରକାରଙ୍କ ଦରଦାମ ନୀତିକୁ ବିରୋଧ କରାଯାଇଛି । 

ରନ୍ଧନ ଗ୍ୟାସ, ଖାଇବା ତେଲ, ଡାଲି ଆଦି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ମୁଲ୍ୟବୃଦ୍ଧି ହୋଇଛି । ଏହାର ପ୍ରତିବାଦ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଛନ୍ତି ମହିଳା ବିଜେଡି କର୍ମୀ । 

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

16:21 November 01

ଦରଦାମ ବୃଦ୍ଧି ନେଇ କେନ୍ଦ୍ରାପଡ଼ାରେ ବିଜେଡିର ବିରୋଧ ସ୍ବର

ଦରଦାମ ବୃଦ୍ଧି ନେଇ କେନ୍ଦ୍ରାପଡ଼ାରେ ବି ବିଜେଡିର ବିରୋଧ ସ୍ବର

କେନ୍ଦ୍ରାପଡ଼ା: ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମର ବୃଦ୍ଧି ଓ ପେଟ୍ରୋଲ ଡିଜେଲର ଲଗାମଛଡା ଦର ବିରୋଧରେ ଗର୍ଜିଲା ମହିଳା ବିଜେଡି । ବିଜୁ ଜନତା ଦଳ ପକ୍ଷରୁ ଆଜି (ସୋମବାର) କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ସରକାରଙ୍କୁ ଭତ୍ସର୍ନା କରାଯାଇଛି । ପ୍ରଥମେ ଉଜ୍ଜ୍ଵଳା ଯୋଜନାରେ ଗ୍ୟାସ ଯୋଗାଇ ଦେଇ ପରବର୍ତ୍ତୀ ସମୟରେ ଗ୍ୟାସ ଦରବୃଦ୍ଧି କରି ଟଙ୍କାରେ ପହଞ୍ଚାଇ ଗୃହିଣୀଙ୍କ ହାଣ୍ଡିଶାଳକୁ କେନ୍ଦ୍ର ସରକାର ଲାତ ମାରିଥିବା ବିଜେଡି ଅଭିଯୋଗ କରିଛି । 

କେନ୍ଦ୍ର ସରକାରଙ୍କ ଅଧିକ ଲାଭ ଆଶା ଆଜି ସାଧାରଣ ଖାଉଟିଙ୍କ ଜୀବନ ବିପର୍ଯ୍ୟସ୍ତ କରିଛି ।  ଏହାକୁ ନେଇ କେନ୍ଦ୍ରାପଡ଼ା ମହିଳା ବଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ନେତୃତ୍ବରେ ଶହଶହ ମହିଳା କର୍ମୀ ଏକତ୍ରିତି ହୋଇ କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଥିଲେ । ଏହାପରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । 

ପାଟକୁରା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଡେରାବିଶ୍ ବ୍ଳକ ପରିସରରେ ବିଜେଡି ବ୍ଲକ ସଭାନେତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ କେନ୍ଦ୍ରପଡ଼ା ମହିଳି ବିଜେଡି ପ୍ରତିବାଦ କରିଛି । 

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

15:03 November 01

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ବିକ୍ଷୋଭ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ବିକ୍ଷୋଭ

ଅନୁଗୋଳ: ଦରଦାମ ବୃଦ୍ଧିକୁ ବିରୋଧ କରି ବିଜେଡି ସୁପ୍ରିମୋଙ୍କ ଆହ୍ୱାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି କର୍ମୀ । ଏହି କ୍ରମରେ ଅନୁଗୋଳ ମହିଳା ବିଜେଡି ପର୍ଷରୁ ଦରଦାମକୁ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଜୋରଦାର ବିରୋଧ କରାଯାଇଛି । ଅନୁଗୋଳ ମହିଳା ବିଜେଡି ସଭାନେତ୍ରୀ ରିତା ସିଂ ଏବଂ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଷ୍ଟାଡିୟମ ପଡ଼ିଆଠାରୁ ଶୋଭାଯାତ୍ରା କରିଥିଲେ । 

ଶଗଡ଼ ଉପରେ ଗ୍ୟାସ୍‌ ଟାଙ୍କି ଲଦି ଅଭିନବ ଉପାୟରେ ପ୍ରତିବାଦ କରିଛି ଅନୁଗୋଳ ମହିଳା ବିଜୁ ଜନତା ଦଳ । କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଶଗଡ଼ ଗାଡ଼ି ସହ ଗ୍ୟାସ୍‌ ଟାଙ୍କି ଧରି ପ୍ରତିବାଦ କରିଛି ବିଜେଡି । ଏହିଭଳି ଭାବରେ ପୁରା ଅନୁଗୋଳ ସହର ପରିକ୍ରମା କରିଥିଲା ବିଜେଡି ।  

ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ପ୍ରତିବାଦ ସଭା କରାଯାଇଥିଲା । ମହିଳା ବିଜେଡି ପକ୍ଷରୁ ଜିଲ୍ଲା ପ୍ରଶାସନ ଜରିଆରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । 

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Nov 1, 2021, 10:47 PM IST

ABOUT THE AUTHOR

...view details