ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ନେଇ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ତିନି ଆରଡିସି ଦପ୍ତରରୁ ଆରମ୍ଭ କରି ଅତିରିକ୍ତ ଜିଲ୍ଲାପାଳ ଓ ବିଡ଼ିଓ ଅଫିସ ଆଗରେ ତିନି ଦିନିଆ ଧାରଣା ଓ ଧର୍ମଘଟ କରିବ ଦଳ । ଆନ୍ଦୋଳନର ମଙ୍ଗ ମହିଳା, ଯୁବ ଓ ଛାତ୍ର ସଂଗଠନ ଧରିଥିବାବେଳେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯିବ ସ୍ମାରକପତ୍ର । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଉଜ୍ଜ୍ବଳା ଯୋଜନାର ଶବଦାହ କରାଯାଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଅଞ୍ଚଳ । ସମ୍ପର୍କୀୟ ବାହୁନି ହୋଇ କାନ୍ଧୁଛନ୍ତି । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ଚାରିଦିଗ । ହୁଳହୁଳି ସାଙ୍ଗକୁ ବାଜୁଛି ଶୁଭ ଶଙ୍ଖ । କୋକେଇରେ ଶୋଇଛି ଶବ । ପ୍ରତୀକ୍ଷାରେ ରହିଛି ସଜେଇ ହୋଇଥିବା କୋକେଇ । ଆଉ ଶବ ସାଜିଛି ଉଜ୍ଜ୍ବଳା ଯୋଜନାରେ ମିଳିଥିବା ଗ୍ୟାସ ସିଲିଣ୍ଡର । ପଡୁଛି ରାମ ନାମ ସତ୍ୟ ହେ, ଉଜ୍ଜ୍ବଳା ଯୋଜନା ମିଥ୍ୟା ହେ ସ୍ଲୋଗାନ । ଏମିତି କିଛି ଅଭିନବ ଉପାୟରେ ପ୍ରତିବାଦ ଚାଲିଛି ରାଜଧାନୀର ରାଜରାସ୍ତାରେ । ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ କରିଛି ବିଜେଡି ।
ବର୍ଦ୍ଧିତ ଗ୍ୟାସ ଦର ପ୍ରତିବାଦରେ ଆଜିଠୁ ୩ ଦିନ ଧରି ବିକ୍ଷୋଭ କରିବ ବିଜେଡି । ରାସ୍ତାକୁ ଓହ୍ଲାଇବେ ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ । ଦର ନିୟନ୍ତ୍ରଣ ହେବା ଯାଏଁ ପୁରପଲ୍ଲୀରେ ବିଜେଡି ଆନ୍ଦୋଳନ ଜାରି ରଖିବ । ପ୍ରତି ଘରକୁ ଯାଇ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ବୁଝାଇ ଆନ୍ଦୋଳନରେ ସାମିଲ କରାଯିବ । ଅଚ୍ଛେ ଦିନ୍ର ସ୍ବପ୍ନ ଦେଖାଇ ଗରିବଙ୍କୁ ଠକିଛନ୍ତି କେନ୍ଦ୍ର ସରକାର । ଫେଲ ମାରିଛି କେନ୍ଦ୍ରର ଉଜ୍ବଳା ଯୋଜନା । ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ୩ ବର୍ଷ ତଳେ ଗ୍ୟାସ ଦର ୫୪୯ ଟଙ୍କା ଥିଲା । ଏବେ ଏହା ୭୦ ପ୍ରତିଶତ ବଢି ହଜାରେ ଟଙ୍କାରେ ପହଞ୍ଚିଛି । ରାଜ୍ୟରେ ଉଜ୍ଜ୍ବଳା ଯୋଜନାର ସିଲିଣ୍ଡର ରିଫିଲିଂ କମୁଥିବା ସିଏଜି ରିପୋର୍ଟ ଦେଇଛନ୍ତି ।
ସେହିପରି ଜାତୀୟ ପରିବାର କଲ୍ୟାଣ ସର୍ଭେ କହୁଛି ୯୮ ପ୍ରତିଶତ ନୁହେଁ, ମାତ୍ର ୨୦ ପ୍ରତିଶତ ସିଲିଣ୍ଡର ବ୍ୟବହାର ହେଉଛି । ଯାହା ଉଜ୍ଜ୍ବଳା ଯୋଜନାର ବିଫଳତାକୁ ଦର୍ଶାଉଛି । ରନ୍ଧନ ଗ୍ୟାସ ଦରବୃଦ୍ଧି ଯାହା ରାଜ୍ୟର ମା’ ଓ ଭଉଣୀ ମାନଙ୍କ ସହ ସମଗ୍ର ରାଜ୍ୟକୁ ପ୍ରଭାବିତ କରିବା ସହିତ ଓଡିଶାର ୪.୫ କୋଟି ଲୋକଙ୍କ ଉପରେ ପ୍ରଭାବ ପକାଉଛି । ଉଜ୍ବଳା ଯୋଜନା ହେଉଛି ଓଡିଶା ଲୋକଙ୍କୁ ଭୂତେଇବା ପାଇଁ ଏକ ବଡ ନାଟକ ଯାହା ବାସ୍ତବରେ ବହୁଳ ଭାବେ ବିଫଳ ହୋଇଛି । ଅହେତୁକ ଦର ବୃଦ୍ଧି ଯୋଗୁଁ ଗରିବ ଲୋକମାନେ ଉଜ୍ବଳା ସିଲିଣ୍ଡରରେ ଗ୍ୟାସ ଭରିପାରୁ ନଥିବାରୁ ଏବେ ପୁଣି ଥରେ ରୋଷେଇ ଘରେ କାଠ ଚୂଲି ବ୍ୟବସ୍ଥାକୁ ଫେରିବାରେ ଲାଗିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ