ଭୁବନେଶ୍ବର : ମଜବୁତ ବିଜୁ ଜନତା ଦଳ । ଦଳକୁ ମଜବୁତ କରିବାରେ ନେତୃତ୍ୱ ନେବେ ବିଜୁ ଯୁବ ଓ ଛାତ୍ର ସଂଗଠନ । ସାମାଜିକ କାର୍ଯ୍ୟ ମାଧ୍ୟମରେ ଦଳକୁ ମଜବୁତ କରିବାକୁ ପରାମର୍ଶ । ବିଜୁ ଯୁବ ଓ ଛାତ୍ର ସଂଗଠନକୁ ଏହି ପରାମର୍ଶ ଦେଇଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପୂର୍ତ୍ତିକୁ ଅବିସ୍ମରଣୀୟ କରିବା ପାଇଁ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ।
ଭୁବନେଶ୍ୱର ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସମାଜ ସେବା ଜରିଆରେ ସଂଗଠନ ମଜବୁତ କରିବାକୁ ଦୁଇ ଛାମୁଆ ସଂଗଠନକୁ ପରାମର୍ଶ ଦେଇଛନ୍ତି ପ୍ରଣବ । ପ୍ରଣବ କହିଛନ୍ତି ଯେ, ପ୍ରତ୍ୟେକ ଲୋକଙ୍କ ପାଖରେ ପହଁଞ୍ଚି ସେମାନଙ୍କ ସମସ୍ୟା ସମାଧାନ କରିବା ଲାଗି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ପ୍ରତ୍ୟେକ ଯୁବ ଓ ଛାତ୍ର ବିଜେଡି ନେତା ପାଳନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଆଗାମୀ ଡ଼ିସେମ୍ବର ୨୬ ତାରିଖ, ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ମାଧ୍ୟମରେ ୨୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରିବ । ଏହାସହ ଏହି ପ୍ରକ୍ରିୟା ବାହୁଡା ଯାତ୍ରାରୁ ଆରମ୍ଭ ହେବ । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ତଥା ମୁନିସିପାଲିଟି, ଏନ୍.ଏ.ସିର ପ୍ରତ୍ୟେକ ଓ୍ବାର୍ଡରେ ୨୫ଟି ଲେଖାଏଁ ବୃକ୍ଷ ରୋପଣ କରିବ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସମସ୍ତ ସାମାଜିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଛାତ୍ର ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ ଆହ୍ବାନ ଦେଇଛନ୍ତି ।