ଭୁବନେଶ୍ବର:ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟାଇ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ତା'ର ପ୍ରାର୍ଥୀ ଘୋଷଣା କରିଛି । ସ୍ବର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ତେବେ ଆଜି ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଳକାଙ୍କ ନାଁରେ ମୋହର ମାରିଛନ୍ତି ।
ସେପଟେ ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲୀ ଦାସ ଏହି ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା । ଦୀପାଲୀ ବ୍ରଜରାଜନଗରରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରନ୍ତୁ ବୋଲି ନବ ଦାସ ଏକ ପ୍ରକାର ଚାହୁଁଥିବା ଚର୍ଚ୍ଚା ହେଉଥିଲା ।
ହେଲେ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ପ୍ରାର୍ଥୀ ହେବା ନେଇ ଖୋଲାଖୋଲି ଗଣମାଧ୍ୟମ ଆଗରେ ଦାବି ରଖିଥିଲେ ନବ ।ତେବେ ବିଜେଡି ନିଜର ଚିରାଚରିତ ରଣନୀତି ଅନୁସାରେ ଅଳକାଙ୍କୁ ପ୍ରାର୍ଥୀ କରିଛି । ଅତୀତରେ ଯେତେ ସବୁ ଉପନିର୍ବାଚନ ହୋଇଛି, ସବୁଠି ବିଜେଡି ସ୍ବର୍ଗତ ବିଧାୟକଙ୍କ ପରିବାର ଲୋକଙ୍କୁ ପ୍ରାର୍ଥୀ କରିଛି । ସେ ପତ୍ନୀ ହୁଅନ୍ତୁ ଅବା ପୁଅ ଏହି ଢଙ୍ଗରେ ନିଜର ରାଜନୈତିକ ଗୋଟି ଚାଳନା କରିଥାଏ ବିଜେଡି ।
ସୂଚନା ଅନୁସାରେ, କିଶୋରଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଥିଲା । ଏପଟେ ଝାରସୁଗୁଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁବାଷ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବ୍ରଜରାଜନଗର ଯାଇ ପରିସ୍ଥିତି ଅନୁଧ୍ୟାନ କରି ପାର୍ଟି ସୁପ୍ରିମୋଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ସେପଟେ ଏହି ରିପୋର୍ଟ ଆଧାରରେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଅଳକା ମହାନ୍ତିଙ୍କ ନାଁ ଘୋଷଣା କରିଛନ୍ତି ।