ଓଡିଶା

odisha

By

Published : Jul 1, 2021, 12:08 PM IST

ETV Bharat / city

ସମ୍ପାଦକୀୟରେ ସରକାରଙ୍କୁ ସୌମ୍ୟଙ୍କ ଟାର୍ଗେଟ: କ୍ଷୋଭ ବଖାଣିଲେ, ସ୍ବଚ୍ଛତା ପାଇଁ ଅନୁରୋଧ କଲେ

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । କୋଭିଡ ମୃତକଙ୍କ ତଥ୍ୟରେ ତ୍ରୁଟିକୁ ସାମ୍ନାକୁ ଆଣିବା ସହ ଦଳର କେତେକ ଭିତିରି କଥାକୁ ଆଲୋଚନା କରି ଚର୍ଚ୍ଚାରେ ସୌମ୍ୟ । ଅଧିକ ପଢନ୍ତୁ...

ସମ୍ପାଦକୀୟରେ ସରକାରଙ୍କୁ ସୌମ୍ୟଙ୍କ ଟାର୍ଗେଟ: କ୍ଷୋଭ ବଖାଣିଲେ, ସ୍ବଚ୍ଛତା ପାଇଁ ଅନୁରୋଧ କଲେ
ସମ୍ପାଦକୀୟରେ ସରକାରଙ୍କୁ ସୌମ୍ୟଙ୍କ ଟାର୍ଗେଟ: କ୍ଷୋଭ ବଖାଣିଲେ, ସ୍ବଚ୍ଛତା ପାଇଁ ଅନୁରୋଧ କଲେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳେବଳେ କୌଶଳେ ଶ୍ରେଣୀରେ ପ୍ରଥମ ହେବାର ନିଶା ଓ ଅତୀତ ସଫଳତାର ଅହଙ୍କାର ରାଜ୍ୟର ବିଭିନ୍ନ ତ୍ରୁଟି ପାଇଁ ଦାୟୀ । ଓଡିଶାରେ ନବୀନ ବାବୁଙ୍କର ପରିଚାଳନା ଶୈଳୀକୁ କେହି କେବେ ପ୍ରଶ୍ନ କରିବାକୁ ସାହସ କରିନଥିଲେ, ମାତ୍ର କୋଭିଡ ମୃତ୍ୟୁକୁ ନେଇ ସରକାର ଯେଉଁ ତଥ୍ୟ ଦେଇଛନ୍ତି ତାହା ଚନ୍ଦ୍ରମାରେ କଳଙ୍କ ଲାଗିବା ସଦୃଶ । ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି ? ଏପରି କିଛି ପ୍ରଶ୍ନକରି ବିଜେଡି ବିଧାୟକ ତଥା ଏକ ପ୍ରମୁଖ ଛାପା ଗଣମାଧ୍ୟମର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟ ରାଜନୀତିକୁ ସରଗମର କରିଦେଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବିଜୟକୁ ଅଲୌକିକ କହିବା ସହ ରାଜନୀତିରେ ଜଣେ ସମ୍ପୂର୍ଣ୍ଣ ଅପରିଚିତ ବ୍ୟକ୍ତି ପିତାଙ୍କ ଦେହାନ୍ତ ପରେ ବାଧ୍ୟ ହୋଇ ଦଳର ମଙ୍ଗ ଧରିଥିବା ନବୀନ ବାବୁଙ୍କ ରାଜନୈତିକ ବିଜୟ ବିଶ୍ବ ରାଜନୀତିରେ ଐତିହାସିକ ବୋଲି ସମ୍ପାଦକ ସୌମ୍ୟ କହିଛନ୍ତି । ସମ୍ପାଦକ କହିଛନ୍ତି ଯେ, 'ଲକ୍ଷ୍ୟ କରିବାର କଥା, ପ୍ରତିଥର ମୁଖ୍ୟମନ୍ତ୍ରୀ ପୂର୍ବ ନିର୍ବାଚନ ଅପେକ୍ଷା ଅଧିକ ଜନ ସମର୍ଥନ ପାଇ ସରକାର ଗଢନ୍ତି । ଯାହାକୁ ପରମ ଶତ୍ରୁମାନେ ମଧ୍ୟ ସ୍ବୀକାର କରିବାକୁ ବାଧ୍ୟ ହୁଅନ୍ତି । ତାଙ୍କ ପଲିଟିକ୍ସ ଏବେ ବିଶ୍ବ ଦରବାରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଦେଶ ବିଦେଶର ଗଣମାଧ୍ୟମ ଏବଂ ଜନମତ ସଂଗ୍ରହକାରୀ ସଂସ୍ଥା ଯେତେବେଳେ ଭୋଟଦାତାଙ୍କ ମନର କଥାକୁ ଆକଳନ କରୁଛନ୍ତି, ସେତେବେଳେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହିସାବରେ ସବୁବେଳେ ଆଗରେ ରହୁଛନ୍ତି ।' କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଅନାହାର ବିରୋଧରେ ସଂଗ୍ରାମ କରି କେବଳ ଜୟଯୁକ୍ତ ହୋଇନାହାନ୍ତି, ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ଓଡିଶାକୁ ଏକ ନୂଆ ପରିଚୟ ଦେଇଛନ୍ତି । ଯେଉଁଥିପାଇଁ ମିଳିତ ଜାତିସଙ୍ଘ ମଧ୍ୟ ନବୀନ ବାବୁଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ମାତ୍ର କୋଭିଡର ଦ୍ବିତୀୟ ଲହରରେ ମୁଖ୍ୟମନ୍ତ୍ରୀ ରଖିଥିବା ତଥ୍ୟ ରାଜ୍ୟବାସୀଙ୍କୁ ଠକିବା ପରି ହୋଇଛି । ମେଧାବୀ ଛାତ୍ରଟି ଶ୍ରେଣୀରେ ପ୍ରଥମ ହୋଇ ମଧ୍ୟ କଣ କପି କରିବା ଉଚିତ୍ ବୋଲି ସମ୍ପାଦକୀୟ ପୃଷ୍ଠାରେ ପ୍ରଶ୍ନ କରିଛନ୍ତି ସୌମ୍ୟ ।

ଏଥିସହ ସେ କହିଛନ୍ତି ଶ୍ରେଣୀରେ ପ୍ରଥମ ହେବାର ମାତ୍ରାଧିକ ଚାପରେ ଆମେ ଏପରି କିଛି କାର୍ଯ୍ୟ କରିବସୁ ଯାହା ଚନ୍ଦ୍ରରେ କଳଙ୍କ ପରି ହୋଇଯାଏ । ନବୀନବାବୁଙ୍କର କୋଭିଡ ମୁକାବିଲାର ରଣକୌଶଳ କିଛି ପରିମାଣରେ ଏପରି ହୋଇଗଲା ପରି ମନେହେଉଛି । କୋଭିଡର ପ୍ରଥମ ଲହର ହେଉ ଅବା ଦ୍ବିତୀୟ ଲହର ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚର୍ଚ୍ଚାରେ ରଖିଛି । ମାତ୍ର ଯେଉଁ କଥାଟି ସରକାରଙ୍କୁ ଅଡୁଆରେ ପକାଇଛି ତାହା ହେଲା, କୋଭିଡଜନିତ ମୃତ୍ୟୁର ଅସଲ ସଂଖ୍ୟା ।

ଏହାକୁ ନେଇ ରାଜ୍ୟରେ ବିବାଦ ମୁଣ୍ଡ ଟେକିଲାଣି । ହୁଏତ ରାଜ୍ୟବାସୀଙ୍କ ମନରୁ ଭୟର ବାତାବରଣକୁ ଦୂରେଇ ରଖି ଆତ୍ମବିଶ୍ବାସକୁ ବଢାଇବା ପାଇଁ ମୃତ୍ୟୁସଂଖ୍ୟାକୁ କମ୍ କରି ରଖାଯାଉଥିବାକୁ ଏକ ସାମୟିକ କୌଶଳ ଭାବେ ଗ୍ରହଣ କରାଯାଇ ଥାଇପାରେ । ମାତ୍ର ମୃତ୍ୟୁ ହେଉଛି ଧ୍ରୁବ ସତ୍ୟ, ଯାହାକୁ କେହି କେବେ ଲୁଚାଇ ରଖିପାରିବ ନାହିଁ । ସରକାର ଏପରି କରି ଗୁରୁଚଣ୍ଡାଳ ଦୋଷ କରିଛନ୍ତି, ଯାହା ପ୍ରଶାସନର ମର୍ଯ୍ୟାଦାକୁ ନଷ୍ଟ କରିଛି ବୋଲି ସେ କହିଛନ୍ତି ।

ତେବେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର କୋଭିଡଜନିତ ମୃତ୍ୟୁସଂଖ୍ୟା ଯଥେଷ୍ଟ କମ୍, ସେ ଦୃଷ୍ଟିରୁ ସଠିକ୍ ତଥ୍ୟ ଦେଇଥିଲେ ଆମର ବିଶେଷ କିଛି କ୍ଷତି ହେବାର ନଥିଲା । ସବୁ ପରେ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର କୋଭିଡ ମୃତକଙ୍କ ସମ୍ପର୍କରେ ଏକ ଶ୍ବେତପତ୍ର ପ୍ରକାଶ କରି ନିଜ ସାହସର ପରିଚୟ ଦିଅନ୍ତୁ, ଓଡିଶାବାସୀ ତାଙ୍କୁ ଆହୁରି ଅଧିକ ଭଲପାଇବେ ବୋଲି ସୌମ୍ୟ କହିଛନ୍ତି ।

ଅନ୍ୟପଟେ ସମ୍ପାଦକ ସୌମ୍ୟରଞ୍ଜନଙ୍କ ସମ୍ପାଦକୀୟ ପୃଷ୍ଠା 'ଆମ ଘରର ହାଲଚଲ'ରେ ଦର୍ଶା ଯାଇଥିବା ତଥ୍ୟ ପୁରା ବିଜେଡି ଦଳର ହାଲଚାଲ୍ ବଖାଣିବା ପରି ମନେହେଉଛି । ସୌମ୍ୟ କହିଛନ୍ତି ଯେ, 'ପ୍ରଶାସନର ବାମହାତ କଣ କରୁଛି ଡାହାଣ ହାତ ଜାଣୁନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଅନ୍ୟ ରାଜନେତାଙ୍କ ଠାରୁ ଭିନ୍ନ । ସେ ଦଳୀୟ କର୍ମୀ ଏବଂ ଜନ ଗହଳିରେ ରହିବାକୁ ବେଶି ପସନ୍ଦ କରନ୍ତି ନାହିଁ । ହାତଗଣତି କେତେକ ରାଜନୈତିକ ଅନୁଗାମୀ ଏବଂ ପ୍ରଶାସକଙ୍କ ସହାୟତାରେ କାର୍ଯ୍ୟ କରିବାକୁ ଅଧିକ ପସନ୍ଦ କରନ୍ତି । କୋରୋନା ପାଇଁ ଏହା ଆହୁରି ସୀମିତ ହୋଇଯାଇଛି । ହୁଏତ ନବୀନବାବୁଙ୍କ ଅଲୌକିକ ସଫଳତା ଏହାର ପ୍ରମୁଖ କାରଣ ହୋଇପାରେ ।'

ତେବେ ସମ୍ପାଦକଙ୍କ ଲେଖାରେ ଥିବା 2/3 ଧାଡି ରାଜ୍ୟ ରାଜନୀତିକୁ ବର୍ତ୍ତମାନ ଅଧିକ ସରଗରମ କରିଦେଇଛି । ସେ ଲେଖିଛନ୍ତି ଯେ, ଦଳର କର୍ମୀମାନେ ଯାହା ତାଙ୍କୁ କହିବାର ସୁଯୋଗ ପାଉନାହାନ୍ତି କିମ୍ବା ପ୍ରଶାସକମାନେ ତାଙ୍କଠାରୁ ଯାହା ଲୁଚାଇ ରଖିବାକୁ ଚାହୁଛନ୍ତି, ଗଣମାଧ୍ୟମ ତୃତୀୟ ନୟନ ହୋଇ ତାହା ଦେଖାଇବ । ସେପଟେ ସମ୍ପାଦକ ମଧ୍ୟ ପୂର୍ବରୁ ଦଳରୁ ବହିଷ୍କୃତ ହୋଇଥିବା ନେତାଙ୍କ କାରଣକୁ ଆଶଙ୍କା କରି କହିଛନ୍ତି ଅପ୍ରିୟ ସତ୍ୟ ଏବଂ ସମାଲୋଚନାକୁ ଶୁଣିବାକୁ ଅଭ୍ୟାସ କଲେ ଜଣେ ଅଧିକ ସ୍ବଚ୍ଛ ଓ ସାହସୀ ହୋଇଥାଏ । ସେ ଦୃଷ୍ଟିରୁ ଜଣେ ସମାଲୋଚକଙ୍କୁ ଏବଂ ନିନ୍ଦୁକଙ୍କୁ ଦଣ୍ଡ ନଦେଇ ପାଖରେ ରଖିବା ଉଚିତ୍, ଯାହା ଦ୍ବାରା ସ୍ବଚ୍ଛତା ବୃଦ୍ଧିପାଇବ ।

ଶାସକ ଦଳର ବିଧାୟକ ହୋଇ ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା, କୋଭିଡ ପରିଚାଳନା ଅସଲ ମୁଖା ପଦାରେ ପକାଇବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details