ଭୁବନେଶ୍ବର:ପୁଣି ରାଜ୍ୟ ଉଠାଇଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । କ୍ରମାଗତ ଭାବେ ପ୍ରତିବର୍ଷ କେନ୍ଦ୍ର ଅନୁଦାନ କମିବାରେ ଲାଗିଛି । ଉଭୟ ଅଂଶଧନ ଟିକସ ଓ ଅନୁଦାନ ପରିମାଣ ପ୍ରାୟ 9500 କୋଟି ଟଙ୍କା କମ ମିଳିଛି । ସେପଟେ ଅନୁଦାନ କମିବାକୁ ଦୁର୍ଭାଗ୍ୟଜନକ କହିଛି ବିଜେଡି ।
ରାଜ୍ୟ ସରକାର 2019-20 ଆର୍ଥିକ ବର୍ଷରେ 24,152.10 କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଥିବାବେଳେ 2020-21 ବର୍ଷରେ ଏହାର ପରିମାଣ 23,068.34 କୋଟି ଟଙ୍କାକୁ ଖସି ଆସିଛି । 2021-22 ବର୍ଷରେ ଏହି ପରିମାଣ ଆହୁରି ମଧ୍ୟ କମିଯାଇଛି । ଆର୍ଥିକ ଶେଷ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ବାବଦରେ ପାଇଛନ୍ତି 20, 465.67 କୋଟି ଟଙ୍କା ।
ଅନ୍ୟପଟେ ଅଂଶଧନ ଟିକସ ବାବଦରେ କେନ୍ଦ୍ରରୁ ମିଳୁଥିବା ଅର୍ଥ ପରିମାଣ ଅପେକ୍ଷାକୃତ ବୃଦ୍ଧି ପାଇଛି । 2021-22 ବର୍ଷରେ କେନ୍ଦ୍ରରୁ ଏ ବାବଦରେ 30,136.68 କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖିଥିଲା । ଆର୍ଥିକ ବର୍ଷ ଶେଷସୁଦ୍ଧା ଓଡିଶାକୁ ମିଳିଛି 38,144.79 କୋଟି ଟଙ୍କା । ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ରହିଛି ।
ତେବେ ଉଭୟ ଅଂଶଧନ ଟିକସ ଓ ଅନୁଦାନ ଆକାରରେ କେନ୍ଦ୍ରକୁ ମିଳିଥିବା ଅର୍ଥ ରାଜ୍ୟର ଆଶାଠାରୁ କମ ରହିଛି । 2021-22 ଆର୍ଥିକ ବର୍ଷର ମାର୍ଚ୍ଚ ଶେଷ ସୁଦ୍ଧା ଉଭୟ ଟିକସ ଓ ଅନୁଦାନ ବାବଦରେ ରାଜ୍ୟ ସରକାର କେନ୍ଦ୍ରରୁ 58,160 କୋଟି ଟଙ୍କା ପାଇଛନ୍ତି । ଯାହାକି ସରକାର ଆକଳନ କରିଥିବା ଅର୍ଥ ଠାରୁ 9490 କୋଟି ଟଙ୍କା କମ ରହିଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଧାୟକ ଶଶୀଭୂଷଣ ବେହେରା । ଶଶୀ କହିଛନ୍ତି ଯେ, ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବା ଦୁର୍ଭାଗ୍ୟଜନକ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ