ଭୁବନେଶ୍ବର:ମୌସୁମୀ ବର୍ଷାରେ ବେହାଲ ସ୍ମାର୍ଟିସିଟି ଭୁବନେଶ୍ବର । ଚାରିଆଡେ ଜମି ରହିଛି ଡ୍ରେନ ପାଣି । କେଉଁଠି ମୋ ବସ ଅଧା ବୁଡିଲାଣି ତ କେଉଁଠି ଓଭରବ୍ରିଜ ଉପରୁ ତଳକୁ ପାଣି ପଡିଲାଣି । ଜଳବନ୍ଦୀ ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ବୋଲି ମେୟର କହୁଥିବା ବେଳେ ସେପଟେ କିନ୍ତୁ ଆଉ କିଛି କହୁଛନ୍ତି ଦଳୀୟ ବିଧାୟକ ଅନନ୍ତ ନାରାୟଣ ଜେନା । ଏହାର ସମଧାନ ଖୁବଶୀଘ୍ର ପର୍ଯ୍ୟାୟକ୍ରମେ ହେବ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅନନ୍ତ ଜେନା । ପ୍ରତି ବର୍ଷ ରାଜଧାନୀରେ ବର୍ଷାଦିନେ ଏହି ସମସ୍ୟା ଲାଗି ରହିଥିବା ବେଳେ ସରକାର ଏ ନେଇ କେବେ ଚେତିବେ ସେ ନେଇ ପ୍ରଶ୍ନ ଉଠିଛି ।
ଗୋଟିଏ ଦିନ ଲଗାଣ ବର୍ଷା ହେଲେ ନୟାପଲ୍ଲୀ ସ୍ଥିତ ଇସ୍କନ ମନ୍ଦିର ଆଗ ରାସ୍ତାରେ ଅଣ୍ଟାଏ ପାଣି ଜମୁଛି । ଯାନବାହନ ବର୍ଷାପାଣିରେ ବୁଡ଼ିଯାଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଉକ୍ତ ରାସ୍ତା ଦେଇ ୟାତାୟତ ଗଭୀର ଭାବରେ ପ୍ରଭାବିତ ହେଉଛି । ପ୍ରତିବର୍ଷ ଏଭଳି ସମାନ ସମସ୍ୟା ଦେଖାଯାଉଥିବା ବେଳେ ସରକାର କୌଣସି ଠୋସ ପଦକ୍ଷେପ ନେଉନାହାନ୍ତି । ଫଳରେ ପ୍ରତିବର୍ଷ ରାଜଧାନୀବାସୀ ସମାନ ଦୁର୍ଦ୍ଦଶା ଭୋଗୁଛନ୍ତି ।
ଏନେଇ ବିଏମସି କମିଶନର କହିଛନ୍ତି, "ଆମେ ଏନ.ଏଚ.ଆଇ , ପି.ଡବ୍ଲୁ.ଡ଼ି, ଇଡ୍କୋ ଡ୍ରେନ ବିଭାଗ ସହ କଥା ହୋଇଛୁ । ଓଭରବ୍ରିଜରୁ ପାଣି ନ ପଡିବ କେମିତି କଥା ହୋଇଛୁ । ବର୍ତ୍ତମାନ ଯେଉଁ ବଡ଼ ବର୍ଷା ଅଛି ତାର ସମାଧାନ ପାଇଁ ମୋଟର ପମ୍ପରେ ଜଳ ନିଷ୍କାସନ କରିବା ବ୍ୟବସ୍ଥା କରିଛୁ । ଅଗ୍ନିଶମ ବିଭାଗ ସହ ଆଲୋଚନା ହୋଇଛି । ଆବଶ୍ୟକ ହେଲେ ସେମାନେ ମଧ୍ୟ ସାହାଯ୍ୟ କରିବେ ବୋଲି ବିଏମସି କମିଶନର କହିଛନ୍ତି । ତେବେ ଆଗାମୀ ମୌସୁମୀ ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ଜଳବନ୍ଦୀ ସମସ୍ୟାର ସମାଧାନ କରାଯିବ। "