ଭୁବନେଶ୍ବର: ଖୋର୍ଦ୍ଧା ବାଣପୁର ହିଂସାକାଣ୍ଡ ଘଟଣାରେ ବିଜେଡ଼ି କରିଛି ସାମ୍ବାଦିକ ସମ୍ମିଳନୀ । ଚିଲିକା ବିଧାୟକ ଯେଉଁ ପ୍ରକାର ବର୍ବାରୋଚିତ କାଣ୍ଡ ଘଟାଇଛନ୍ତି ବିଜେଡି ତାକୁ ନିନ୍ଦା କରୁଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି ବିଜେଡ଼ି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ବାଣପୁର ହିଂସାକାଣ୍ଡ ଘଟଣାରେ ପାଖାପାଖି ୨୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ସାମ୍ବାଦିକ, ସାଧାରଣ ଲୋକ ଓ ପୋଲିସ କର୍ମଚାରୀ ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବାଣପୁରରେ ଭିଡ଼ ଉପରେ ଗାଡ଼ି ଚଢାଇ ଦେଇଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣା ଉପରେ ବିଜେଡ଼ି ରାଷ୍ଟ୍ରୀୟ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବର୍ବାରୋଚିତ କାଣ୍ଡ ଘଟାଇବା ଦୁର୍ଭାଗ୍ୟଜନକ । ପୋଲିସ ଏବଂ ପ୍ରଶାସନ ଆଇନ ଅନୁସାରେ ଦୃଢତାର ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପୂର୍ବରୁ ଏପରି ବ୍ୟବହାର ପାଇଁ ବିଜେଡିରୁ ଅନେକ ନେତା ନିଲମ୍ବିତ ହୋଇଛନ୍ତି । ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି ସେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଏହା ବି ପଢନ୍ତୁ: ଖୋର୍ଦ୍ଧାରେ ଖେରୀ ପୁନରାବୃତ୍ତି, ଭିଡ ଉପରେ ଗାଡି ମଡାଇଦେଲେ ଚିଲିକା ବିଧାୟକ