ଭୁବନେଶ୍ବର: ପିପିଲି ଉପନିର୍ବାଚନ ପ୍ରଚାର ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବଡ଼ ନିଷ୍ପତ୍ତି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲିରେ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ଓ ରାଲି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳର ସୁପ୍ରିମୋ ।
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ପିପିଲିରେ ରାଜନୈତିକ କାର୍ଯ୍ୟକ୍ରମ କରିବନି ବିଜେଡି - pipili by election
16:21 April 19
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲିରେ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ଓ ରାଲି କରିବ ନାହିଁ ବିଜେଡି
ରାଜ୍ୟରେ ବଢିଚାଲିଛି କୋରନା ସଂକ୍ରମଣ । ନିର୍ବାଚନ ପ୍ରଚାର ସମୟରେ ଅନେକ ଲୋକ ଏକତ୍ରୀକରଣ ହେଉଥିବାରୁ ଗାଇଡଲାଇନ ଭଙ୍ଗ ହେବା ସହ ସଂକ୍ରମଣ ବଢ଼ିବାର ଆଶଙ୍କା ମଧ୍ୟ ଅନେକାଂଶରେ ରହୁଛି । ଏହାକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ପିପିଲିରେ କୌଣସି ପ୍ରକାର ନିର୍ବାଚନୀ ସଭା ଓ ରାଲି ତଥା ଅନ୍ୟ କୌଣସି ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି , ଓଡିଶା ମୋ ଘର ଓ ରାଜ୍ୟବାସୀ ମୋ ପରିବାର, ସେମାନଙ୍କ ସୁରକ୍ଷା ଦାୟିତ୍ୱ ମୋ କାନ୍ଧରେ ଅଛି । ରାଜ୍ୟର ପ୍ରତ୍ୟେକ ଲୋକର ଜୀବନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦେଶ ଓ ରାଜ୍ୟର କୋରନା ସ୍ଥିତି ବେଶ ସଙ୍ଗୀନ ରହିଛି । ତେଣୁ ବିଜେଡି ପିପିଲି ଉପନିର୍ବାଚନରେ ପ୍ରଚାର ଲାଗି ଦଳ ପକ୍ଷରୁ କୌଣସି ପ୍ରକାର ରାଲି ଶୋଭାଯାତ୍ରା ଓ ଗୋଷ୍ଠୀ ପ୍ରଚାର କରାଯିବ ନାହିଁ । ବିଜେଡି ଏକ ଦାୟିତ୍ୱ ସମ୍ପନ୍ନ ଦଳ । ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇବା ଭଳି କୌଣସି କାର୍ଯ୍ୟ ଦଳ କରିବ ନାହିଁ ।
ତେବେ ବର୍ତ୍ତମାନ ସ୍ଥିତିରେ ପିପିଲି ନିର୍ବାଚନ ପ୍ରଚାର କଲେ ସାଧାରଣ ଲୋକଙ୍କ ଜୀବନ ଉପରେ ବିପଦ ସୃଷ୍ଟି କରିବ । ଲୋକଙ୍କ ସେବା ଲାଗି ଆମେ ନିର୍ବାଚନ ଲଢୁ ବୋଲି ନବୀନ କହିଛନ୍ତି । ଅନ୍ୟପଟେ ନିର୍ବାଚନୀ ପ୍ରଚାରରେ ରୋକ ଲଗାଇବା ପାଇଁ ମଧ୍ୟ ସେ ଅନ୍ୟ ରାଜନୈତିକ ଦଳମାନଙ୍କୁ ମଧ୍ୟ ଆହ୍ବାନ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ସମେତ ଦଳର ବିଭିନ୍ନ ନେତୃବୃନ୍ଦ ।
ଭୁବନେଶ୍ବରରୁ ଭାବାନୀ ଶଙ୍କର ଦାସ, ଇଟିଭି ଭାରତ