ହାଇଦ୍ରାବାଦ: ସେ ଥିଲେ ଏକା ଧାରରେ ଜଣେ କବି, ସଂଗୀତକାର, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ, ଶିଶୁ ସାହିତ୍ୟିକ, ଭାଷାଶିଳ୍ପୀ ଓ ସୁରଶିଳ୍ପୀ । ତାଙ୍କ ଲେଖନୀ ବଖାଣୁଥିଲା ଦେଶ ମାତୃକାର ଗାଥା । ଆଉ ଭାବରେ ଥିଲା ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ନିକଟରେ ଥିବା ଅହେତୁକ ଅଭିମାନର ପରିଭାଷା । ସେ ଥିଲେ ଓଡିଶାର କାନ୍ତକବି,'ବନ୍ଦେ ଉତ୍କଳ ଜନନୀ...' ତାଙ୍କ ପରିଚୟ । ଆଜି ଏହି ଓଡିଆ ସାହିତ୍ୟ ଜଗତର ବରେଣ୍ୟ କାଳଜୟୀ ସାଧକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମଜୟନ୍ତୀ(Kantakabi Laxmikanta Mohapatra Birth Anniversary) ।
ଡିସେମ୍ବର 9, 1888 ମସିହା କଟକ ସହରରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀକାନ୍ତ ମହାପାତ୍ର । ତାଙ୍କ ପୈତୃକ ଘର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦା ଗ୍ରାମରେ । ତାଙ୍କ ପିତା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଥିଲେ ତାଳପଦାର ଜମିଦାର । ଲକ୍ଷ୍ମୀକାନ୍ତ ବାଲେଶ୍ବର ଜିଲ୍ଲା ସ୍କୁଲରୁ ହାଇସ୍କୁଲ ପଢାସାରି ରେଭେନ୍ସା କଲେଜରେ ଉଚ୍ଚ ଶିକ୍ଷା ଆରମ୍ଭ କରିଥିଲେ । ଛାତ୍ର ଜୀବନରୁ ଲେଖାପ୍ରତି ଆକୃଷ୍ଟ ହୋଇଥିଲେ ସେ । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଲେଖା ତାଙ୍କୁ ଅନୁପ୍ରାଣିତ କରିଥିଲା ।
ଓଡିଆ ସାହିତ୍ୟ ଜଗତକୁ ଖୁବ୍ କମ୍ ବୟସରୁ ଗୋଟିଏ ପରେ ଗୋଟିଏ କାଳଜୟୀ କାବ୍ୟ ଭେଟି ଦେଇଥିଲେ । ତାଙ୍କ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ, କ୍ଷୁଦ୍ର ଗଳ୍ପ ବୁଢା ଶଙ୍ଖାରୀ, ସ୍ବରାଜ ଓ ସ୍ବଦେଶୀ, କବିତା ସଂକଳନ ମଧ୍ୟରେ ଅଲଣା ପୁରାଣ, ଯୁଗର ମଜା, ଡିମ୍ବକ୍ରେସି ସଭା, ହନୁମନ୍ତ ବସ୍ତ୍ର ହରଣ, ସମସ୍ୟା ଆଦି ବ୍ୟଙ୍ଗ ନାଟକ ଅନ୍ୟତମ ।
ସେ 100ରୁ ଊର୍ଦ୍ଧ୍ବ ଭକ୍ତି କବିତା ରଚନା କରିଥିଲେ । ସେଗୁଡିକ ମଧ୍ୟରୁ 33 ରୁ ଅଧିକ ଦେଶପ୍ରେମ କବିତା ରହିଛି । କାନ୍ତକବିଙ୍କ କଲମରୁ ନିସୃତ ଦେଶାତ୍ମବୋଧକ ସଂଗୀତ 'ବନ୍ଦେ ଉତ୍କଳ ଜନନୀ...' ଏବଂ 'ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡାଇବ ହେ...' ଭଜନ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।