ଓଡିଶା

odisha

By

Published : Oct 29, 2021, 9:58 AM IST

ETV Bharat / city

ଦେଶମାତୃକାର ସେବା ପାଇଁ ଜନ୍ମ ହୋଇଥିଲେ ଜୟୀ ରାଜଗୁରୁ

ଓଡିଶା ସ୍ବାଧୀନତା ସଂଗ୍ରାମର ଅନ୍ୟତମ ବିନ୍ଧାଣି ସିପାହୀ ହେଉଛନ୍ତି ଜୟୀ ରାଜଗୁରୁ । ଆଜି ଏହି ମହାନ ବ୍ୟକ୍ତିତ୍ବଙ୍କ ଜନ୍ମ ଜୟନ୍ତୀ । ୧୭୩୯ରେ ଆଜିର ଦିନରେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଠାରେ ଜନ୍ମଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

ଦେଶମାତୃକାର ସେବା ପାଇଁ ଜନ୍ମ ହୋଇଥିଲେ ଜୟୀ ରାଜଗୁରୁ
ଦେଶମାତୃକାର ସେବା ପାଇଁ ଜନ୍ମ ହୋଇଥିଲେ ଜୟୀ ରାଜଗୁରୁ

ଭୁବନେଶ୍ବର: ଯାହାଙ୍କ ନାମ ଶୁଣିଲେ ଥରୁଥିଲେ ଗୋରା ସରକାର । ଓଡିଶା ସ୍ବାଧୀନତା ସଂଗ୍ରାମର ଅନ୍ୟତମ ବିନ୍ଧାଣି ସିପାହୀ ହେଉଛନ୍ତି ଜୟୀ ରାଜଗୁରୁ । ଆଜି ଏହି ମହାନ ବ୍ୟକ୍ତିତ୍ବଙ୍କ ଜନ୍ମ ଜୟନ୍ତୀ । ୧୭୩୯ରେ ଆଜିର ଦିନରେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଠାରେ ଜନ୍ମଗ୍ରହଣ କରିଥିଲେ ।

ଚନ୍ଦ୍ର ରାଜଗୁରୁ ଓ ହୀରାମଣି ଦେବୀଙ୍କ କୋଳକୁ ଜନ୍ମ ହୋଇଥିଲେ ଏହି ମହାନ ସ୍ବାଧୀନତା ସଂଗ୍ରାମୀ । ପିଲାଟି ଦିନରୁ ଇଚ୍ଛା ଥିଲା ଯୋଦ୍ଧା ବନିବା । ବଡ ହେଲେ..ଇଚ୍ଛା ବି ପୂରଣ ହେଲା । ବନିଲେ ଓଡିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ତଥା ଖୋର୍ଦ୍ଧାଗଡର ସିପାହୀ । ଅଦମ୍ୟ ପ୍ରତିଭାର ଅଧିକାରୀ ଥିଲେ ସେ । ତାଙ୍କ ଭଳି ବୀର ଆଗରେ ହାତ ଟେକିଦେଇଥିଲା ଇଂରେଜ ସେନା । ଜୟୀ ରାଜଗୁରୁ ଯୁବକବସ୍ଥାରେ ପେସାରେ ଖୋର୍ଦ୍ଧାଗଡର ଜଣେ ରାଜପୁରୋହିତ ରହିବା ସହ ରାଜା ଗଜପତି ମୁକୁନ୍ଦ ଦେବ-୨ଙ୍କର ସେନାଧ୍ୟକ୍ଷ ଓ ମୁଖ୍ୟ ପ୍ରଶାନସନିକ ପରାମର୍ଶଦାତା ଥିଲେ ।

ସଂସ୍କୃତରେ ଅଗାଧ ପାଣ୍ଡିତ୍ୟ ଥିଲା ଜୟୀ ରାଜଗୁରୁଙ୍କର । ଦେଶମାତୃକାର ସେବା ପାଇଁ ସେ ନିଜ ଜୀବନକୁ ସମର୍ପି ଦେଇଥିଲେ । ସାରା ଜୀବନ ଅବିବାହିତ ଥିଲେ ଜୟୀ ରାଜଗୁରୁ । ୧୭୯୬ରେ ଅବାଧ ଯାତାୟତ ପାଇଁ ଖୋର୍ଦ୍ଧାଗଡ ଉପରେ ଆକ୍ରମଣ କରିଥିଲେ ଗୋରା । ମରାଠାମାନଙ୍କ ସହିତ ସହଯୋଗ କରି ବ୍ରିଟିଶମାନଙ୍କ ହାତରୁ ଚାରୋଟି ପ୍ରଗଣାକୁ ଛଡାଇ ନେବା ପାଇଁ ବିଦ୍ରୋହ ଆରମ୍ଭ କରିଥିଲେ ଜୟୀ ରାଜଗୁରୁ । ମାତ୍ର ଜଣେ ମରାଠା ଇଂରେଜଙ୍କ ହାତରେ ଧରା ପଡିଯିବାରୁ ଯୋଜନା ବିଷୟରେ ଜାଣି ନେଇିଥିଲେ ବ୍ରିଟିଶ ସରକାର ।

ସେମାନେ ପୁଣି ୧୮୦୫ ଜାନୁଆରୀରେ ଖୋର୍ଦ୍ଧା ଗଡ ଉପରେ ଆକ୍ରମଣ କରିଥିଲେ । ଗଜପତି ମୁକୁନ୍ଦ ଦେବ-୨ ସମେତ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରାଯାଇଥିଲା । ମେଦିନାପୁର ବାଗୀତୋଟାରେ ବରଗଛରେ ଜୟୀ ରାଜଗୁରୁଙ୍କୁ ବାନ୍ଧୀ ନୃଶଂସ ଭାବରେ ହତ୍ୟା କରିଥିଲେ ଇଂରେଜମାନେ । ଏହପରି ଭାବରେ ୧୮୦୬ ଡିସେମ୍ବର ୬ରେ ଏହି ମହାନ ଜାତିପ୍ରେମୀ ବିପ୍ଳବୀଙ୍କର ପରଲୋକ ହୋଇଥିଲା ।

ଏହି ମହାନ ବିପ୍ଳବୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ ତଥା ମହାନ୍ ବିପ୍ଲବୀ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । ତାଙ୍କର ବୀରତ୍ବ, ପରାକ୍ରମ ଓ ସ୍ଵାଭିମାନ ସର୍ବଦା ଯୁବପିଢିଙ୍କୁ ଅନୁପ୍ରାଣିତ କରିବ ବୋଲି ଟ୍ବିଟ କରି କହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details