ଭୁବନେଶ୍ବର: ରାଜଧାନୀରେ ଥିବା ଐତିହାସିକ ବିନ୍ଦୁସାଗରର ବିଶୋଧନ ପ୍ରକଳ୍ପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଦୀର୍ଘ 20 ବର୍ଷ ପରେ ଇଣ୍ଡିଆନ ଅଏଲର ସିଏଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କ'ଣ ପାଇଁ ଆବଶ୍ୟକ ପଡିଲା ବୋଲି ପ୍ରଶ୍ନ କରିଛନ୍ତି।
ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ହେଲେ ବିନ୍ଦୁସାଗର ଭଳି ପୁଷ୍କରିଣୀ କାହିଁକି ଅବହେଳିତ ଅଛି ବୋଲି ବୟାନ ବାଜିର କଡା ଜବାବ ଦେଲେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା। ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଏକାମ୍ର କ୍ଷେତ୍ରର ବିଭିନ୍ନ ଉନ୍ନୟନ କରଣ ପାଇଁ ସ୍ବତନ୍ତ୍ର ଅର୍ଥର ବ୍ୟବସ୍ଥା କରିଛନ୍ତି। ଏହାର ସମସ୍ତ ହିସାବ ଅଶୋକ ପଣ୍ଡା ଦେଇଥିଲେ ଫଳରେ ଏକାମ୍ରକ୍ଷେତ୍ର ବିନ୍ଦୁସାଗର ସ୍ବଚ୍ଛ ପ୍ରକଳ୍ପ କାର୍ଯ୍ୟକ୍ରମ ଏକ ପ୍ରକାର ରାଜନୈତିକ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ପରି ଅନୁଭବ ହେଉଥିଲା।
ବିନ୍ଦୁସାଗରର ସଫେଇ କାର୍ଯ୍ୟ କରାଯିବାର ଯୋଜନା ରହିଛି । ଏହି ପ୍ରକଳ୍ପ ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି (ଆଇସିଟି)-ଇଣ୍ଡିଆନ ଅଏଲ(ଆଇଓସି) କ୍ୟାମ୍ପସ, ଭୁବନେଶ୍ବର ଏବଂ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନ ( ଓବିସିସି)ର ମିଳିତ ଉଦ୍ୟମରେ ବିନ୍ଦୁସାଗରର ପୁନଃଉଦ୍ଧାର କାର୍ଯ୍ୟ କରାଯିବ । ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ଏକାମ୍ର ଷେତ୍ରର ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀ ବିନ୍ଦୁ ସାଗରର ସଫେଇ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପୁନଃରୁଦ୍ଧାର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍କରିଣୀର ପବିତ୍ର ଜଳ ସ୍ଵଚ୍ଛ ଓ ନିର୍ମଳ ହେବ । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହିମା ଓ ଗୌରବର ଗାଥାକୁ ସାରା ବିଶ୍ବରେ ପହଞ୍ଚାଇବା ପାଇଁ ଭାରତ ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଇଣ୍ଡିଆନ ଅଏଲ ସହଯୋଗରେ ଏପରି ଏକ ଉଦ୍ୟମ କରାଯାଇଛି । ବିଶେଷ ଜ୍ଞାନକୌଶଳରେ ବିନ୍ଦୁସାଗରରେ ସ୍ବତନ୍ତ୍ର ଅତ୍ୟାଧୁନିକ ଯନ୍ତ୍ରପାତି ଲାଗି ଏଡ଼ିସି ରିଆକ୍ଟର ସହ ୪ଟି ପମ୍ପ ସିଷ୍ଟମ ବିନ୍ଦୁସାଗରର ଚତୁର୍ଦ୍ଦିଗରେ ଅବସ୍ଥାପିତ କରାଯିବ। ଏଥିପାଇଁ ଆଇଓସିଏଲ ୭୦ ଲଷ ଟଙ୍କା ଖର୍ଚ୍ଚ କରିବ ।