ଭୁବନେଶ୍ବର: ବିକ୍ରମ ଆରୁଖ ହେଲେ ନୂଆ ବାଚସ୍ପତି । ଆଜି ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବସିଥିଲା। ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି କରିବା ପାଇଁ ମୋସନ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପ ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ବିକ୍ରମ ଆରୁଖଙ୍କ ଉପରେ ବିବୃତ୍ତି ରଖିଥିଲେ । ଭଞ୍ଜନଗରରେ 6 ଥର ବିଧାୟକ ହୋଇଥିବା ବିକ୍ରମ କେଶରୀ ଆରୁଖ ନିର୍ଦ୍ବନ୍ଦରେ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାଵକୁ ସମର୍ଥନ ଦେଇଛନ୍ତି । ବାଚନିକ ଭୋଟ ପରେ ବିକ୍ରମ ଆରଖୁଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପ ବାଚସ୍ପତି ରଜନୀକାନ୍ତ ସିଂ ।
ବାଚସ୍ପତି ନିର୍ବାଚନ ନେଇ ଶୁକ୍ରବାର ଦିନ ବିଧାୟକ ବିକ୍ରମ କେଶରୀ ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବାଚସ୍ପତି ଆସନ ଖାଲି ପଡ଼ିଥିଲା। ଆଜି ବିଦ୍ଧିବଦ୍ଧ ଭାବରେ ବାଚସ୍ପତି ହୋଇଛନ୍ତି ବିକ୍ରମ ଆରୁଖ ।