ଭୁବନେଶ୍ବର:୨୫ ବର୍ଷରେ ପାଦ ଦେଲାବିଜୁ ଜନତା ଦଳ (Biju Janata Dal) । ଦଳ ଆଜି ପାଳନ କରୁଛି ୨୫ ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସକୁ ରାଜ୍ୟସ୍ତରରୁ, ଜିଲ୍ଲା, ନିର୍ବାଚନମଣ୍ଡଳୀ ଓ ପଞ୍ଚାୟତସ୍ତରରେ ମଧ୍ୟ ପାଳନ ଚାଲିଛି । ପ୍ରତିଷ୍ଠା ଦିବସ ପୂର୍ବରୁ ଦଳୀୟ ନେତା କର୍ମୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ଶୃଙ୍ଖଳା, ସେବା, ନିଷ୍ଠା, ଦଳୀୟ କର୍ମକର୍ତ୍ତାଙ୍କ ପରିଶ୍ରମକୁ ସମ୍ମାନ ଜଣାଇ କରିଥିଲେ ପ୍ରଶଂସା ।
ବର୍ଷ ୧୯୯୭ ଆଜିରେ ଦିନରେ ଓଡିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ (Biju Patnaik) ଙ୍କ ଦେହାନ୍ତ ପରେ ତାଙ୍କର ଲିଗାସି (ପଦାଙ୍କ)କୁ ଆଗକୁ ବଢାଇବା ପାଇଁ ରାଜ୍ୟରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ବିଜୁ ବାବୁଙ୍କ ପୁତ୍ର ଭାବେ ନବୀନ ଦଳର ନେତୃତ୍ବ ନେଇ ଦଳକୁ ଦେଇଛନ୍ତି ଶ୍ରେଷ୍ଠ ନେତୃତ୍ବ । ଆଉ ଦଳ ଲଗାତାର ୨୨ ବର୍ଷରୁ ଅଧିକ ସମୟ ହେଲା ରାଜ୍ୟକୁ ଶାସନ କରୁଛି ।
ବିଜେଡି ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ସତ । ହେଲେ ଏହା ଦଳ ପାଇଁ ସାଧାରଣ ପ୍ରତିଷ୍ଠା ଦିବସ ନୁହେଁ । କାରଣ ଏହି ସ୍ଥାନକୁ ଦଳ ପହଞ୍ଚିବା ପାଇଁ ଅତୀତରେ ସଂଘର୍ଷ, ସଂଗ୍ରାମ ଓ ଅନେକ ପରିଶ୍ରମ କରିଛି । ଭାରତ ବର୍ଷରେ ଅନେକ ରାଜନୈତିକ ରେକର୍ଡ ପ୍ରତିଷ୍ଠା କରିଛି । ନିର୍ବାଚନୀ ପାଇଁ ରାଜନୈତିକ ପଣ୍ଡିତଙ୍କ ଗଣନା, ପୂର୍ବାନୁମାନ ଓ ଆକଳନକୁ ଭୁଲ ପ୍ରମାଣିତ କରିଛି ନବୀନଙ୍କ ରଣନୀତି । ଯାହା ରାଜ୍ୟରେ ଦଳ ନିରଙ୍କୁଶ କ୍ଷମତା ଉପଭୋଗ କରୁଛି ।
ଦଳକୁ ମିଳିଛି ରାଜ୍ୟବାସୀଙ୍କ ବଳ
୧୯୯୭ ମସିହା ଆଜିର ଦିନରେ ଯେତେବେଳେ ବିଜେଡି ସ୍ବର୍ଗତ ବିଜୁ ବାବୁଙ୍କ ନୀତି ଆଦର୍ଶ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ଗଠନ ହୋଇଥିଲା । ସେତେବେଳେ କେହି କେବେ ଚିନ୍ତା କରିନଥିବେ ଯେ ଦଳ ରାଜ୍ୟକୁ ୨ ଦଶନ୍ଧୀରୁ ଅଧିକ ସମୟ ଲଗାତାର ଶାସନ କରିବ । ରାଜନୀତିର ଅ’ ଅକ୍ଷର ଜାଣିନଥିବା ନବୀନ ଯେ ଜଣେ ଚର୍ଚ୍ଚିତ ରାଜନେତାରେ ପରିଣତ ହେବେ ଓ ତାଙ୍କର ଗୋଟିଏ ଗୋଟିଏ ନିଷ୍ପତ୍ତି ବିରୋଧୀଙ୍କୁ ସଫା କରିଦେବ ଆଉ ବିଜେଡି ଅଧିକ ଶକ୍ତିଶାଳୀ ହେବ ତାହା ମଧ୍ୟ କଳ୍ପନା ବାହାରେ ଥିଲା । ଏହି ୨୫ ବର୍ଷର ଯାତ୍ରାରେ ଦଳ ଲଗାତାର ୫ଟି ବିଧାନସଭା ନିର୍ବାଚନ ଜିତିବା ସହ ଓଡିଶାର ବିକାଶକୁ ତରାନ୍ବିତ କରିଛି । ଆଉ ପ୍ରତିଥର ଦଳକୁ ରାଜ୍ୟବାସୀଙ୍କ ସମର୍ଥନ ବଢିବାରେ ଲାଗିଛି ।
ନବୀନଙ୍କ ଜୟଯାତ୍ରା
୧୯୯୭ ମସିହା ଆଜିର ଦିନରେ ବିଜେଡି ଗଠନ ହୋଇଥିଲା । ହେଲେ ଦଳକୁ ୨୦୦୦ ମସିହାରେ ମିଳିଥିଲା କ୍ଷମତା । ୨୦୦୦ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ଦଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସହ ମେଣ୍ଟ କରି ପ୍ରଥମ ଥର ୮୪ ଟି ବିଧାନସଭା ଆସନରେ ନିର୍ବାଚନ ଲଢିଥିଲା । ଆଉ ୬୮ ଟି ଆସନରେ ବିଜୟୀ ହୋଇ ମେଣ୍ଟ ସରକାରର ନେତୃତ୍ବ ନେଇଥିଲେ ନବୀନ । ଆଉ ପ୍ରଥମ ଥର ୫ ମାର୍ଚ୍ଚ ୨୦୦୦ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନେଇଥିଲେ ଶପଥ । ୨୦୦୪ ମସିହାରେ ହୋଇଥିବା ତ୍ରୟୋଦଶ ବିଧାନସଭା ନିର୍ବାଚନରେ ପୁଣି ବିଜେଡି ୮୪ ଆସନରେ ପ୍ରତିଦ୍ବନ୍ଦିତା କରି ୬୧ ଟି ଆସନରେ ବିଜୟୀ ହୋଇଥିଲା। ନବୀନ ପୁଣି ୧୬ ମେ ୨୦୦୪ ରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଥିଲେ । କିନ୍ତୁ ୨୦୦୯ ଚତୁର୍ଦ୍ଦଶ ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଯାଇଥିଲା ରାଜ୍ୟ ରାଜନୀତିର ସମୀକରଣ । ଏନଡିଏରୁ ବାହାରି ଆସିଥିଲ ବିଜୁ ଜନତା ଦଳ । ଏକାକି ୨୦୦୯ ବିଧାନସଭା ନିର୍ବାଚନ ଦଳ ଲଢିବ ବୋଲି ଘୋଷଣା କରନ୍ତି ନବୀନ । ଆଉ ଦଳ ୧୨୯ ଟି ଆସନରେ ନିର୍ବାଚନ ଲଢିଥିବା ବେଳେ ଅବଶିଷ୍ଟ ଆସନ ନୂଆ ସହଯୋଗୀଙ୍କୁ ଛାଡିଦେଇଥିଲା । ହେଲେ ସେହି ନିର୍ବାଚନରେ ନବୀନ କରିଥିଲେ କିଛି ଚମତ୍କାରିତା । ପ୍ରଥମ ଥର ପାଇଁ ବିଜେଡି ଆସନ ସଂଖ୍ୟାରେ ମାରିଥିଲା ସେଞ୍ଚୁରି । ପୁଣି ୨୦୧୪ ପଞ୍ଚଦଶ ନିର୍ବାଚନରେ ଦଳ ପ୍ରଥମ ଥର ୧୪୭ ଆସନରେ ନିର୍ବାଚନ ଲଢି ପାଇଥିଲା ବିପୁଳ ସଫଳତା । ୧୧୭ ଟି ଆସନରେ ବିଜୟୀ ହୋଇ ଜାତୀୟ ରାଜନୀତିରେ ଛାଇ ଯାଇଥିଲେ ନବୀନ । ଆଉ ୨୦୧୯ ଷୋଡଶ ବିଧାନସଭାରେ ନବୀନ ମାରିଥିଲେ ହ୍ୟାଟ୍ରିକ ସେଞ୍ଚୁରି । ଦଳ ୧୧୨ ଆସନରେ ବିଜୟୀ ହୋଇଥିବା ବେଳେ ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରୁଛନ୍ତି ।
ସଫଳତା ପଛର ରହସ୍ୟ ...
ଜୀବନର ପ୍ରଥମ ପାଞ୍ଚ ଦଶନ୍ଧୀ ଆତ୍ୟାଧୁନିକ ଜୀବନ ବିତାଇଥିବା ନବୀନ ମୁଖ୍ୟମନ୍ତ୍ରୀ ହେବା ବେଳକୁ ରାଜନୀତିରେ ଥିଲେ ନବାଗତ । ହେଲେ ନବୀନ ଯେ ଜଣେ ଚତୁର ଓ ପ୍ରବୀଣ ରାଜନେତା ତାହା ବିରୋଧୀ ମଧ୍ୟ ସ୍ବୀକାର କରୁଛନ୍ତି । ନବୀନଙ୍କୁ ଆହ୍ବାନ ଦେଲା ଭଳି ନେତା ଦଳରେ ସୃଷ୍ଟି ହେଲେ ତୁରନ୍ତ ଆକ୍ସନ ନେଇ ନବୀନ ଶକ୍ତବାର୍ତ୍ତା ଦେଇଆସିଛନ୍ତି ଯେ ତାଙ୍କ ବ୍ୟତୀତ ଦଳରେ ଆଉ କାହାର ହୁକୁମ ଚାଲିବ ନାହିଁ । ନବୀନଙ୍କ ଏହି ଲମ୍ବା ରାଜନୈତିକ ସଫଳତା ପଛରେ ରହିଛି , ସ୍ଥିର ନେତୃତ୍ବ, ଲୋକାଭିମୁଖି ଯୋଜନା, ବିରୋଧୀଙ୍କୁ ସଠିକ ମୁକାବିଲା, ନିରନ୍ତର ବିକାଶ, ମହିଳା ସଶକ୍ତି କରଣ ପ୍ରମୁଖ ।
ଯୋଜନାର ସଠିକ ପ୍ରଚାର ପ୍ରସାର...