ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ଭର୍ଚୁଆଲ୍ ମାଧ୍ୟମରେ କୋଭିଡ୍ ନିୟନ୍ତ୍ରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କୁ କୋଭିଡ ପରିଚାଳନାରେ ନିଜ ସାମାଜିକ ଦାୟିତ୍ଵ ବହନ କରିବା ସହ ନିଜ ଅଞ୍ଚଳର ଲୋକମାନଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଛି ।
କୋଭିଡର ସୁପରିଚାଳନା ସହ ସାମାଜିକ କାର୍ଯ୍ୟକ୍ରମକୁ ତ୍ଵରାନ୍ବିତ କରିବା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ଆଧାରକରି ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମୀ କୋଭିଡ ମହାମାରୀର ନିୟନ୍ତ୍ରଣ ପାଇଁ ନିଜ ଅଞ୍ଚଳରେ ଜଣେ ଜଣେ ସିପାହୀର ଭୂମିକା ବହନ କରିବେ । ନିଜର ସାମାଜିକ ଦାୟିତ୍ଵକୁ ସୂଚାରୁ ରୂପେ ତୁଲାଇବେ । ଏହାସହ ନିଜ ଅଞ୍ଚଳର ଲୋକମାନଙ୍କୁ ସଚେତନ ଓ ସତର୍କ କରିବେ ଓ ନିଜ ଅଞ୍ଚଳରେ ସଫଳ କୋଭିଡ ପରିଚାଳନା ନିମନ୍ତେ ମଧ୍ୟ ଦୃଷ୍ଟି ଦେବେ ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଆହ୍ବାନ ଦେଇଛନ୍ତି ।