ଓଡିଶା

odisha

ETV Bharat / city

ବିଜେପୁର ଦେଖିବ ଆଉ ଏକ ଉପନିର୍ବାଚନ! - BJD

ଜିତିଥିବା ଦୁଇଟି ଆସନ ମଧ୍ୟରୁ କେଉଁଟିକୁ ଛାଡ଼ିବେ ନବୀନ? ବିଜେପୁର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଣ ଇଙ୍ଗିତ କରୁଛି? ବିଜେପୁରବାସୀ ପୁଣିଥରେ ଆଉ ଏକ ଉପନିର୍ବାଚନ ଦେଖିବେ କି ? ସାରା ରାଜ୍ୟରେ ଏଇ ଗୋଟିଏ ଚର୍ଚ୍ଚା।

ଫଟୋ ସୌଜନ୍ୟ: ଟ୍ବିଟର

By

Published : May 31, 2019, 6:01 PM IST

ଭୁବନେଶ୍ବର: ବରଗଡ଼ ଜିଲ୍ଲାର ସବୁଠୁ ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ବିଜେପୁର। ଗତବର୍ଷ ଏଠାରେ ହୋଇଥିଲା ଉପନିର୍ବାଚନ । ଯେଉଁଥି ପାଇଁ ସାରା ରାଜ୍ୟର ଫୋକସରେ ଥିଲା ବିଜେପୁର । ତେବେ ଚଳିତ ନିର୍ବାଚନରେ ନିଜେ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀହେବା ପୁଣି ଏହି ନିର୍ବାଚନ ମଣ୍ଡଳୀକୁ ଚର୍ଚ୍ଚାର ପରିଧି ମଧ୍ୟକୁ ଆଣିଥିଲା । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ସହ ପ୍ରଥମ ଥର ପଶ୍ଚିମ ଓଡ଼ିଶାର କୌଣସି ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ ନବୀନ । ତେବେ ପୁଣିଥରେ ଏଠାରେ ଉପନିର୍ବାଚନ ହେବାନେଇ କଥା ଉଡୁ଼ଛି ।

ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ପ୍ରାର୍ଥୀହୋଇ ଜିତିଛନ୍ତି । ହେଲେ କେଉଁଟିକୁ ଛାଡ଼ିବେ ତାହା ଏବେ ବଡ଼ ପ୍ରଶ୍ନବାଚୀ । ହିଞ୍ଜିଳି ନାଁ ବିଜେପୁର ? ତେବେ ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ରାଜନୀତିକ ସମୀକ୍ଷକ ନବୀନ ବିଜେପୁରକୁ ଛାଡ଼ିବା ନେଇ ମତ ରଖିଛନ୍ତି । ସରକାର ଗଠନର ଦିନକ ପରେ ମୁଖ୍ୟମନ୍ତ୍ରୀ ବିଜେପୁର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ବିଜେପୁରର ପ୍ରାୟ 34 ହଜାର କଚ୍ଚାଘରକୁ ପକ୍କାଘରରେ ପରିଣତ କରାଯିବ । ଏହା ସାଙ୍ଗକୁ ପାନୀୟ ଜଳ ପ୍ରକଳ୍ପ, ନୂଆ ଉଠା ଜଳସେଚନ ପ୍ରକଳ୍ପ, ଭିତ୍ତିଭୂମି ବିକାଶ, ବିଦ୍ୟୁତ ସଂଯୋଗ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିମଧ୍ୟରେ ରହିଛି 112 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ। ଏଥିସହ ରାସ୍ତା ନିର୍ମାଣ ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ଆହୁରି ମୋଟା ଅଙ୍କର ରାଶି ଘୋଷଣା ହୋଇଛି । ବଡ଼ କଥା ହେଉଛି ନିଜେ ମୁଖ୍ୟମନ୍ତ୍ରୀ ପ୍ରତି ଦୁଇ ମାସରେ ଥରେ ଏସବୁ କାର୍ଯ୍ୟର ସମୀକ୍ଷା କରିବେ ।

ହଠାତ ବିଜେପୁର ପ୍ରତି ନବୀନଙ୍କ ଏତଦୃଶ ପ୍ରୀତି ସାଧାରଣରେ ସହଜରେ ଗ୍ରହଣ ହୋଇପାରୁନି । ଲୋକେ କହିଲେଣି ଯେ ଡାଲ ମେଁ କୁଛ କାଲା ହୈ । ଅର୍ଥାତ ବିଜେପୁରବାସୀ ପୁଣିଥରେ ଦେଖିବେ ଉପନିର୍ବାଚନ । ଅନ୍ୟଦୃଷ୍ଟିରୁ ବିଚାର କଲେ ବୋଧହୁଏ ନିଜର ପାରମ୍ପରିକ ଆସନ ହିଞ୍ଜିଳିକୁ ଛାଡ଼ିବାକୁ ଚାହୁଁନାହାନ୍ତି ନବୀନ । କାହିଁକି ନାଁ ହିଞ୍ଜିଳିର ଜନତା ତାଙ୍କୁ ଲଗାତାର ପଞ୍ଚମ ଥର ଲାଗି ପ୍ରଚୁର ଭଲପାଇବା ଦେଇ ବିଧାନସଭାକୁ ପଠାଇଛନ୍ତି ।

ତେବେ କଥାଟି ସତ ହେଲେ ବିଜେପୁରବାସୀ ଦେଖିବେ ଉପନିର୍ବାଚନ 2.0 । ଗତବର୍ଷ ଏପ୍ରିଲ 24 ତାରିଖରେ ସେଠାରେ ହୋଇଥିଲା ଉପନିର୍ବାଚନ । ଯେଉଁଥିରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ 41 ହଜାରରୁ ଉର୍ଦ୍ଧ୍ବ ଭୋଟରେ ହରାଇ ବାଜି ମାରିଥିଲେ ବିଜେଡି ପ୍ରାର୍ଥୀ ରିତା ସାହୁ । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅଚାନକ ଦେହାନ୍ତ ପରେ ବିଜେଡି ଖେଳିଥିଲା ଗେମ୍ । ଆଉ ତାଙ୍କ ପତ୍ନୀ ରିତାଙ୍କୁ ଦଳୀୟ ପ୍ରାର୍ଥୀକରି ହାତେଇ ନେଇଥିଲା କଂଗ୍ରେସର ପାରମ୍ପିରକ ଆସନଟିକୁ । ଏପରିକି କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ (ଏବେ ବିଜେଡିରେ) ଅମାନତ୍ ହରାଇଥିଲେ ।

ପଶ୍ଚିମ ଓଡ଼ିଶାରେ ବିଜେପିକୁ ରୋକିବାକୁ ନବୀନ ବିଜେପୁରରୁ ଲଢ଼ିଲେ । ବିଧାନସଭାରେ ସଫଳ ହେଲେ ମାତ୍ର, ସବୁ ଲୋକସଭା ପୋଛିନେଲା ବିଜେପି । ତେବେ ଦେଖାଯାଉ ପୁଣି ଯଦି ଏଠାରେ ଉପନିର୍ବାଚନ ହେଉଛି ତେବେ ବିଜେଡି କାହାକୁ ପ୍ରାର୍ଥୀ କରୁଛି । ଏହାସହ ବିଜେଡିକୁ କେତେଦୂର ଫାଇଟ ଦେଇପାରୁଛି ବିଜେପି।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

ABOUT THE AUTHOR

...view details