ଭୁବନେଶ୍ବର: ବିଜେପୁର ବ୍ୟାଟେଲ ପ୍ରସ୍ତୁତି ଶେଷ କରିଛନ୍ତି 3ଦଳ । ଆସନ୍ତାକାଲି ନାମାଙ୍କନ ଦାଖଲ ପରେ ଆରମ୍ଭ ହେବ ପ୍ରଚାର ଅଭିଯାନ । ରାଜ୍ୟର 3ପ୍ରମୁଖ ରାଜନୈତିକ ଦଳ ଦେଇ ଘୋଷଣା କରିସାରିଛନ୍ତି ନିଜ ନିଜ ପ୍ରାର୍ଥୀ । ବିଜେପୁର ବାଜି ଜିତିବା ପାଇଁ ଏବେ ରଣନୀତିକୁ ଶେଷ ସ୍ପର୍ଶ ଦେଉଛନ୍ତି ସମସ୍ତ ଦଳ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର କିନ୍ତୁ ନିର୍ବାଚନ ମୈଦାନକୁ ଯିବା ପୂର୍ବରୁ ବିଜେଡି, ବିଜେପି ଓ କଂଗ୍ରେସ ରାଜଧାନୀରେ ମାତିଛନ୍ତି ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ । ଆଜି ବରିଷ୍ଠ ବିଜେପି ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଯୋରଦାର ଆକ୍ରମଣ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କୁ 5ଟି ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ସୁରେଶ କହିଛନ୍ତି 2018 ଉପ-ନିର୍ବାଚନ ଯଥାର୍ଥ ଥିଲା । କିନ୍ତୁ କାହିଁକି ଆଉ ଥରେ ଉପ-ନିର୍ବାଚନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚାହିଁଲେ । ହିଞ୍ଜିଳି ନଛାଡି ବିଜେପୁର କାହିଁକି ଛାଡିଲେ ନବୀନ । ଗତ ଉପ-ନିର୍ବାଚନରେ ଦେଇଥିବା ପ୍ରତିଶୃତି କେବେ ପାଳନ ହେବ ? ଗତ ଏକ ବର୍ଷ ମଧ୍ୟରେ ବିଜେପୁରର କଣ ବିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେବାକୁ ପଡିବ ।
ଏହାସହ ଯେଉଁ ସବୁ ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ସେହି ପ୍ରକଳ୍ପ କେବେ ଆରମ୍ଭ ହେବ । ସେଥିମଧ୍ୟରୁ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଏଯାବତ କାହିଁକି ଆରମ୍ଭ ହେଲା ନାହିଁ ? ଘୋଷଣା କରିଥିବା ବୋନସ କେବେ ମିଳିବ ଚାଷୀଙ୍କୁ । ନିର୍ବାଚନ ଜିତିବା ପାଇଁ ସ୍କୁଲ କଲେଜ, ଡାକ୍ତରଖାନାରେ ଯେଉଁ ସବୁ ପଦବୀ ପୂରଣ କରାଯାଇଥିଲା କାହିଁକି ନିର୍ବାଚନ ପରେ ତାହା ସବୁ ଖାଲି ହୋଇଗଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛିନ୍ତି । ଏହାସହ ପରିସଂଖ୍ୟନ ଦେଇ ଦାବି କରିଛନ୍ତି ବିଜେପୁରରେ ବିଜେପି ଜିତିବା ପାଇଁ ସମସ୍ତ ରଣନୀତି କରିବ ବୋଲି କହିଛନ୍ତି ସାଂସଦ ସୁରେଶ ପୁଜାରୀ ।
ଅନ୍ୟପଟେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବିଜେଡିର ନେତା, ମନ୍ତ୍ରୀ,ବିଧାୟକ ଓ ପଇସା ବହୁତ । ବିଜେପିର ନେତା ଓ ପଇସା ମଧ୍ୟ ବହୁତ । ତେଣୁ କଂଗ୍ରେସ ତାଙ୍କୁ ଟକ୍କର ଦେଇପାରିବ ନାହିଁ । ଦଳର ମୁଖ୍ୟ ଶକ୍ତି ହେଲା ଲୋକ ବଳ । ବିଜେପୁର ବାସୀଙ୍କ ଉପରେ ଆମର ବିଶ୍ବାସ ଅଛି ଆମକୁ ସମର୍ଥନ ଦେବେ । ଆଉ ଉଭୟ ଦଳକୁ ଜବାଜ ଦେଇଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା । ଶଶୀଭୂଷଣ କହିଛନ୍ତି ବିଜେପୁରରେ ବିଜେଡିର ବିଜୟ ହୋଇସାରିଛି । କେବଳ ଘୋଷଣା ବାକି ଅଛି । ମୁଖ୍ୟମନ୍ତ୍ରୀ ବିଜେପୁରକୁ ସ୍ବତନ୍ତ୍ର ଧ୍ୟାନରେ ରଖିଛନ୍ତି । ବିଜେପୁରବାସୀ ମଧ୍ୟ ବିଜେଡିକୁ ସମର୍ଥନ କରୁଛନ୍ତି କରିବେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ ବିକାଶ ଦାସ, ଇଟିଭି ଭାରତ