ଭୁବନେଶ୍ବର/ନୟାଗଡ:ଶାସ୍ତ୍ରୀନଗର ଅଞ୍ଚଳରେ ମହିଳାଙ୍କ ମୃତଦେହ ମିଳିବା ଘଟଣା । ମୃତ ଶୁଭଶ୍ରୀଙ୍କୁ କିଏ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ଏବେ ଦୋଛକିରେ ପୋଲିସ । ଭଡାଘରୁ ଶୁଭଶ୍ରୀଙ୍କ ମୃତଦେହ ମିଳିବା ପରେ ତାଙ୍କୁ କେହି ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିଲେ ସ୍ବାମୀ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶୁଭଶ୍ରୀଙ୍କ କଲ ହିଷ୍ଟ୍ରିରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ଶୁଭଶ୍ରୀ ନୟାଗଡର ଜଣେ ଯୁବକ ସହ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ, ତେବେ ମୃତ୍ୟୁ ପୂର୍ବରୁ ମଧ୍ୟ ସେହି ଯୁବକଙ୍କୁ ୭ରୁ ୮ଥର କଲ କରିଥିଲେ । ଏହାପରେ ୨୭ ସେକେଣ୍ଡ କଥା ହୋଇଥିଲେ, କଥା ହେବାର କିଛି ସମୟପରେ ମହିଳା ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ସେହି ୨୭ ସେକେଣ୍ଡରେ ଶୁଭଶ୍ରୀ କଣ କଥା ହୋଇଥିଲେ ?
ଶୁଭଶ୍ରୀଙ୍କ ସିଡିଆରରୁ ଏହି ତଥ୍ୟ ମିଳିବା ପରେ କଥା ହୋଇଥିବା ଯୁବକଙ୍କୁ ଅଟକ ରଖିଛି ଖାରବେଳନଗର ପୋଲିସ । ମହିଳାଙ୍କ ମୃତ୍ୟୁ ସମୟରେ ନୟାଗଡର ଯୁବକ କେଉଁଠି ଥିଲେ ସେନେଇ ପଚରାଉଚରା କରୁଛି ପୋଲିସ । ତେବେ ସିଡିଆର ରିପୋର୍ଟ ଆସିବା ପରେ ତ୍ରିକୋଣିୟ ପ୍ରେମ ସମ୍ପର୍କକୁ ନେଇ ଏହା ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି ।
ଅନ୍ୟପଟେ ସ୍ବାମୀ ଉପରୁ ମଧ୍ୟ ପୋଲିସର ସନ୍ଦେହ କମୁନାହିଁ । କାହିଁକି ନା ଶୁଭଶ୍ରୀ ସେହି ଯୁବକଙ୍କ ସହ କଥା ବାର୍ତ୍ତା ନେଇ ସ୍ବାମୀ ସନ୍ଦେହ କରୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ପଡୋଶୀଙ୍କ ଠାରୁ ସୂଚନା ପାଇଛି ପୋଲିସ । ବଚସା ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ଏହି ଅଘଟଣ ଘଟିନାହିଁତ ? କାହିଁକି ନା ମୃତ୍ୟୁପରେ ଶୁଭଶ୍ରୀଙ୍କ ମୁହଁରେ ରାମ୍ପୁଡା ଦାଗ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ବାମୀ ମଧ୍ୟ ସନ୍ଦେହ ଘେରକୁ ଆସିଛନ୍ତି ।