ଭୁବନେଶ୍ବର:ଗୁରୁଙ୍କ ପାଇଁ ଏକଲବ୍ୟଙ୍କ ସ୍ବପ୍ନ ସତ ହୋଇଛି, ହେଲେ ପାଖରେ ନାହାଁନ୍ତି ଦ୍ରୋଣାଚାର୍ଯ୍ୟ । ଆଉ ଗୁରୁଙ୍କୁ ଝୁରୁଛନ୍ତି ଏକଲବ୍ୟ। ଆମେ କହୁଛୁ ଦୁଇ ବାଳିକା ଫୁଟବଲ୍ ଖେଳାଳି ଝରଣା ମଲ୍ଲିକ ଓ ରୁନୀ ନାୟକଙ୍କ କଥା । କଳିଙ୍ଗ ଷ୍ଟାଡିୟମରେ କୋଚିଂ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ଉଭୟ ସୁଯୋଗ ପାଇଛନ୍ତି । ବର୍ତ୍ତମାନ ଉଭୟ ପୋଲିସ ବିଭାଗ ଚାକିରୀ ପାଇଛନ୍ତି । ହେଲେ ଏହି ସଫଳତା ଦେଖିବାକୁ ଦୁନିଆରେ ଆଉ ନାହାନ୍ତି ତାଙ୍କ ଗୁରୁ ନନ୍ଦ କିଶୋର ପଟ୍ଟନାୟକ ।
ମାତ୍ର 5 ବର୍ଷ ବୟସରେ ପରିବାର ଛାଡ଼ି ଭୁବନେଶ୍ବର ସାଲିଆ ସାହି ଚାଲି ଆସିଥିଲେ ଝରଣା ମଲ୍ଲିକ ଓ ରୁନୀ ନାୟକ । ଆର୍ଥିକ ଦୁରାବସ୍ଥା ଯୋଗୁଁ ଝରଣା ମଲ୍ଲିକ ଓ ରୁନୀ ନାୟକଙ୍କୁ ତାଙ୍କ ପରିବାର ଲୋକେ ବସ୍ତିରେ ଥିବା ସ୍ନେହା ବାଳିକା ଆଶ୍ରମରେ ଛାଡ଼ିଦେଇଥିଲେ । ଏଠାରେ ରହି ଏହି ଦୁଇ ଜଣ ପାଠ ପଢିବା ସହ ଖେଳ ଆଡକୁ ମନବଳାଇଥିଲେ। ଏହି ଦୁଇ ଜଣଙ୍କ ଆଗ୍ରହକୁ ଦେଖି ଫୁଟବଲ କୋଚ ନନ୍ଦକିଶୋର ପଟ୍ଟନାୟକ ଝରଣା ଓ ରୁନୀଙ୍କୁ ଫୁଟବଲ କୋଚିଂ ଦେବା ଆରମ୍ଭ କଲେ । କାଳକ୍ରମ ଭଲ ପ୍ରଦର୍ଶନ କରି ଝରଣା ମଲ୍ଲିକ ଭାରତୀୟ ଦଳରେ ସ୍ଥାନ ପାଇବାକୁ ସକ୍ଷମ ହୋଇଥିଲେ ।
କିଛିଦିନ ପୂର୍ବେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୯ ଜଣ କ୍ରିଡ଼ାବିତଙ୍କୁ ପୋଲିସ ଚାକିରୀରେ ନିଯୁକ୍ତି ଦେଇଛନ୍ତି ରାଜ୍ୟସରକାର। ଏଥିରେ ସାମିଲ ରହିଛନ୍ତି ୩୦ ଜଣ ମହିଳା କ୍ରୀଡ଼ାବିତ ସାମିଲ ଥିବା ବେଳେ 9 ଜଣ ପୁରୁଷ କ୍ରୀଡ଼ାବିତ ରହିଛନ୍ତି । ସେମାନଙ୍କ ମଧ୍ୟରେ ଝରଣା ମଲ୍ଲିକ ଓ ରୁନୀ ନାୟକ ମଧ୍ୟ ସାମିଲ ରହିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କ୍ରୀଡ଼ାବିତଙ୍କୁ ଏଭଳି ସମ୍ମାନ ପରେ ରୁନୀ ଓ ଝରଣା ଯୁବ ଖେଳାଳିଙ୍କ ପାଇଁ ପାଲଟିଛନ୍ତି ରୋଲ ମଡେଲ ।