ଓଡିଶା

odisha

ETV Bharat / city

ରେକର୍ଡ ଭଙ୍ଗା ବର୍ଷାରେ ବେହାଲ ରାଜ୍ୟ, ସବୁ ଜିଲ୍ଲାକୁ ସତର୍କ ଘଣ୍ଟି - ରାଜଧାନୀ ଜଳବନ୍ଦୀ

ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଟ୍ବିନ ସିଟିରେ ସ୍ଥିତି ବି ବେହାଲ ହୋଇପଡିଛି । ୬୩ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀରେ ରବିବାର ହୋଇଥିବା ବର୍ଷା । ଏନେଇ ପାଣିପାଗ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ବର ସମ୍ବାଦଦାତା । ଅଧିକ ପଢନ୍ତୁ...

ସ୍ମାର୍ଟସିଟିରେ 63 ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା;ଉବୁଟୁବୁ ରେଳ ଷ୍ଟେସନ
ସ୍ମାର୍ଟସିଟିରେ 63 ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା;ଉବୁଟୁବୁ ରେଳ ଷ୍ଟେସନ

By

Published : Sep 13, 2021, 2:22 PM IST

Updated : Sep 13, 2021, 3:55 PM IST

ଭୁବନେଶ୍ବର:ଯୁଆଡେ ଚାହିଁବେ ସିଆଡେ ପାଣି । କେଉଁଠି ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଚାଲିଛି ତ କେଉଁଠି ବୁଡିଛି ଘର । ଭୟଙ୍କର ବର୍ଷାର ପ୍ରମାଣ ଦେଇଛି ରାଜଧାନୀରେ ଜଳବନ୍ଦୀ ହୋଇଥିବା ବିଭିନ୍ନ ଅଞ୍ଚଳ । ଆହୁରି 6 ଘଣ୍ଟା ରାଜଧାନୀରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । କାରଣ ଗଭୀର ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବର୍ତ୍ତମାନ ଏହା ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଓଡିଶା ଉପକୂଳରେ ସକ୍ରିୟ ରହିଛି।

ଘଣ୍ଟାପ୍ରତି 5 କିମି ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି ଲଘୁଚାପ। ଯାହା ପ୍ରଭାବରେ ଘଣ୍ଟାକୁ ୨ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷିବା କାରଣରୁ ଆଭ୍ୟନ୍ତରୀଣ ଓଡିଶାରେ ଜାରି ହୋଇଛି ରେଡ ଆଲର୍ଟ । ତେବେ ୬୩ ବର୍ଷର ରେକର୍ଡ ଭାଙ୍ଗିଛି ରବିବାର ରାଜଧାନୀରେ ହୋଇଥିବା ଅବିଶ୍ରାନ୍ତ ବର୍ଷା । ଭୁବନେଶ୍ବରରେ ରେକର୍ଡ ହୋଇଛି 195 ମିଲିମିଟର ବର୍ଷା । କେବଳ ଯେ ରାଜଧାନୀ ନୁହେଁ ଏହାର ଉପକଣ୍ଠ ବାଲିଅନ୍ତାରେ 82 ମିଲିମିଟର, ବାଲିପାଟଣାରେ 280, ଜଟଣୀରେ 152, ବାଣପୁରରେ 139 ଓ ବେଗୁନିଆରେ 95 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସ୍ମାର୍ଟସିଟିରେ 63 ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା;ଉବୁଟୁବୁ ରେଳ ଷ୍ଟେସନ

ଲଗାଣ ବର୍ଷା ଯୋଗୁଁ ଡୁମୁଡୁମାରେ ଏକ ତିନି ମହଲା ବିଶିଷ୍ଟ ଘର 2 ଫୁଟ ଦବିଯାଇଥିବା ନଜରକୁ ଆସିଛି । ସେପଟେ ଭୁବନେଶ୍ବର ରେଳଷ୍ଟେସନ କଥା ନ କହିବା ଭଲ । ଆଣ୍ଠୁଏ ପାଣିରେ ପଶି ଯାତ୍ରୀ ଷ୍ଟେସନକୁ ଯାଉଥିବା ବେଳେ ଧାରଣା ମଧ୍ୟ ଦେଇ ପ୍ରବାହିତ ହେଉଛି ବର୍ଷାପାଣି । ଆଉ ଏଯାଏଁ ଟଳିନି ବର୍ଷା ବିପଦ ।

1958 ମସିହା 9 ସେପ୍ଟେମ୍ବରରେ ରାଜଧାନୀରେ ରେକର୍ଡ ହୋଇଥିଲା 163 ମିଲିମିଟର ବର୍ଷା । ହେଲେ ଏବେର ଲଗାଣ ବର୍ଷାରେ ଜଳମଗ୍ନ ହୋଇଛି ରାଜଧାନୀର ତଳିଆ ଅଞ୍ଚଳ । ଆଉ ସବୁ ଜିଲ୍ଲାକୁ ସତର୍କ ଘଣ୍ଟି ଦେଇଛି ପାଣିପାଗ ବିଭାଗ । ଆହୁରି 24 ଘଣ୍ଟା ଲଗାଣ ବର୍ଷାରେ ବେହାଲ ହେବ ରାଜ୍ୟ । ଏଥିପାଇଁ 12 ଜିଲ୍ଲାରେ ସ୍କୁଲ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ରବିବାର ଦିନ ତମାମ ଉପକୂଳ ଓଡିଶା ସମେତ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇଛି ।

ଉପକୂଳ ଏବଂ ଦକ୍ଷିଣ ଓଡିଶା ପରେ ଆଜି ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅବିଶ୍ରାନ୍ତ ବର୍ଷା ଫଳରେ ଉପକୂଳ ଓଡିଶାର ପ୍ରମୁଖ ନଦୀ ବ୍ରାହ୍ମଣୀ, ବୈତରଣୀ, ଜଳକା ନଦୀରେ ବନ୍ୟା ପରିସ୍ଥିତି ଆଶଙ୍କା ସୃଷ୍ଟି ହୋଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ପୁରୀରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି । ପୁରୀରେ ସର୍ବାଧିକ ୩୪୧ ମିଲିମିଟର୍‌ ବର୍ଷା ହୋଇଛି। ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ପୁରୀ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୨ ତାରିଖ ସକାଳ ୮ଟା ୩୦ରୁ ୧୩ ତାରିଖ ୮ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୩୪୧ ମିଲିମିଟର୍‌ , ପାରାଦୀପରେ ୨୧୯ ମିଲିମିଟର୍‌, ଭୁବନେଶ୍ୱରରେ ୧୯୫ ମିଲିମିଟର୍‌, ବାଲେଶ୍ବରରେ ୨୪, ଚାନ୍ଦବାଲିରେ ୪୬ ଓ ଗୋପାଳପୁରରେ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।



ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Sep 13, 2021, 3:55 PM IST

ABOUT THE AUTHOR

...view details