ଭୁବନେଶ୍ବର:ବେଆଇନ ଭାବେ ଲିଙ୍ଗ ନିରୂପଣ କରିବା ମାମଲା (Illegal Sex detection) । ଆଉ ଜଣେ ଡାକ୍ତରଙ୍କୁ ୨ ବର୍ଷ ୩ ମାସ ସଜ୍ଜା । ବିନା ଲାଇସେନ୍ସରେ ରାଜଧାନୀରେ ଚାଲିଥିଲା ଅଲଟ୍ରାସାଉଣ୍ଡ କ୍ଲିନିକ । ଏଭଳି ବେଆଇନ କାର୍ଯ୍ୟ ଲାଗି ଡାକ୍ତର ରାଜକିଶୋର ସାହୁଙ୍କୁ ଦଣ୍ଡିତ କରିଛନ୍ତି ଭୁବନେଶ୍ବର ଜେଏମଏଫସି (JMFC) କୋର୍ଟ ।
ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋଇଥିବା ଚଢାଉବେଳେ ସାମ୍ନାକୁ ଆସିଥିଲା ଏହି ଘଟଣା । ମାର୍କେଟ ବିଲ୍ଡିଂର କ୍ରିଷ୍ନା ଟାଓ୍ବାରରେ ରୁମ ନମ୍ବର ୧୨ରେ ବେଆଇନ ଭାବେ ରାଜକିଶୋର ଅଲଟ୍ରାସାଉଣ୍ଡ କ୍ଲିନିକ ଚଳାଉଥିଲେ । ଯେଉଁଠି ସେ ବେଆଇନ ଭ୍ରୁଣ ଲିଙ୍ଗ ନିରୂପଣ କରିବା ସହ ବିନା ଲାଇସେନ୍ସରେ ରିପୋର୍ଟ ଦେଉଥିଲେ । ଚଢାଉବେଳେ ଡାକ୍ତରଙ୍କ କାରନାମା ଧରାପଡିଥିଲା । ଏନେଇ କେସ୍ ହୋଇଥିଲା । ତେବେ ପିସିପିଏନଡିଟି (PCPNDT) ଆକ୍ଟର ଅବମାନନା ଆଧାରରେ ଡାକ୍ତର ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ଏନେଇ ପ୍ରମାଣ ତଥ୍ୟ ସରକାରୀ ଏପିପି ବିଶ୍ବରଞ୍ଜନ ରାଉତଙ୍କ ବଳିଷ୍ଠ ଯୁକ୍ତି ଆଧାରରେ ଜେଏମଏଫସି ସୁନିଳା ମିଶ୍ର ଡାକ୍ତର ରାଜକିଶୋର ସାହୁଙ୍କୁ ଜେଲ୍ ଦଣ୍ଡ ଶୁଣାଣି କରିଛନ୍ତି । ଏଥିସହ ୯୫୦୦ଟଙ୍କାର ଫାଇନ ମଧ୍ୟ ଘୋଷଣା କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ବେଆଇନ ଲିଙ୍ଗ ନିରୂପଣ ମାମଲାରେ ଡାକ୍ତରାଣୀ ନବନୀତା ପାଢୀ ଦଣ୍ଡିତ ହୋଇଥିଲେ । ତାଙ୍କୁ ଅଢେଇବର୍ଷ ଜେଲ ଦଣ୍ଡ ସହ ୯ ହଜାର ଟଙ୍କାର ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।