ଓଡିଶା

odisha

ETV Bharat / city

ଷ୍ଟାର୍ଟଅପ୍ ସଂସ୍ଥା ସହିତ ବୁଝାମଣା: ପ୍ରତିବର୍ଷ ୧୦ ହଜାର କୁଶଳୀ ଯୁବଶକ୍ତି ସୃଷ୍ଟି ଲକ୍ଷ୍ୟ - ଓଡିଶା ସରକାର ଷ୍ଟାର୍ଟଅପ୍ ସଂସ୍ଥା ବୁଝାମଣା

ରାଜ୍ୟରେ ପ୍ରତିବର୍ଷ ୧୦ ହଜାର କୁଶଳୀ ଯୁବଶକ୍ତି ସୃଷ୍ଟି ଲକ୍ଷ୍ୟ । ଏନେଇ ୩ ଷ୍ଟାର୍ଟଅପ୍ ସଂସ୍ଥା ସହ ଚୁକ୍ତିନାମା ସ୍ବାକ୍ଷର କରିଛି ଭୁବନେଶ୍ୱର ସରକାରୀ ପଲିଟେକ୍ନିକ୍ ମହାବିଦ୍ୟାଳୟ । ଅଧିକ ପଢନ୍ତୁ

ଷ୍ଟାର୍ଟଅପ୍ ସଂସ୍ଥା ସହିତ ବୁଝାମଣା: ପ୍ରତିବର୍ଷ ୧୦ ହଜାର କୁଶଳୀ ଯୁବଶକ୍ତି ସୃଷ୍ଟି ଲକ୍ଷ୍ୟ
ଷ୍ଟାର୍ଟଅପ୍ ସଂସ୍ଥା ସହିତ ବୁଝାମଣା: ପ୍ରତିବର୍ଷ ୧୦ ହଜାର କୁଶଳୀ ଯୁବଶକ୍ତି ସୃଷ୍ଟି ଲକ୍ଷ୍ୟ

By

Published : Jul 16, 2022, 7:32 AM IST

ଭୁବନେଶ୍ବର:କୁଶଳୀ ଯୁବଶକ୍ତି ସୃଷ୍ଟି ଲକ୍ଷ୍ୟରେ ଆଗଉଛି ଓଡ଼ିଶା । ନିଆଯାଉଛି ବିଭିନ୍ନ ପଦକ୍ଷେପ । ବିଶ୍ବ ଯୁବ ସଶକ୍ତିକରଣ ଦିବସ ଅବସରରେ ଏ କ୍ଷେତ୍ରରେ ଆଉ ପାଦେ ଆଗେଇଛି ରାଜ୍ୟ । ଶୁକ୍ରବାର ରାଜ୍ୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ବର ସରକାରୀ ପଲିଟେକ୍ନିକ୍ ମହାବିଦ୍ୟାଳୟ 3 ଷ୍ଟାର୍ଟଅପ୍ ସଂସ୍ଥା ସହିତ ଚୁକ୍ତିନାମା ସ୍ବାକ୍ଷର କରିଛି । "ସ୍କାଏ ରାଏଡର”, “ସ୍କାଏ ରାଇଡର ଇଲେକ୍ଟ୍ରିକ୍” ଏବଂ “ଏରୋ ରୋଭର୍ସ” ସଂସ୍ଥା ସହିତ ତିନୋଟି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଡିଟିଇଟିର ନିର୍ଦ୍ଦେଶକ ରେଘୁ ଜି.ଙ୍କ ଉପସ୍ଥିତିରେ ସରକାରୀ ପଲିଟେକନିକ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାତ୍ର, ସ୍କାଏ ରାଇଡର ସଂସ୍ଥାର ମୁଖ୍ୟ ହିମାଂଶୁ ଶେଖର ପଣ୍ଡା ଓ ସ୍କାଏ ରାଇଡର ଇଲେକ୍ଟ୍ରିକର ମୁଖ୍ୟ ନିହାର ରଂଜନ ପଣ୍ଡା ଓ ଏରୋ ରୋଭର୍ସର ପକ୍ଷରୁ ଅନୁଷ୍ଠାନର ମୁଖ୍ୟ ଯଯାତି ମହାନ୍ତି ବୁଝାମଣା ପତ୍ରରେ ସ୍ବାକ୍ଷର କରିଛନ୍ତି ।

ସ୍ବାକ୍ଷରିତ ବୁଝାମଣା ପତ୍ର ଅନୁସାରେ ସ୍କାଏ ରାଏଡର ସଂସ୍ଥା ସହିତ ସରକାରୀ ପଲିଟେକ୍ନନିକ୍ କଲେଜର ମିଳିତ ଉଦ୍ୟମରେ କୌଶଳ ତାଲିମ କେନ୍ଦ୍ର (ସ୍କିଲ ଡେଭେଲପମେଣ୍ଟ ସେଣ୍ଟର) ସ୍ଥାପନ କରାଯିବ । ଏହାଦ୍ବାରା ରାଜ୍ୟ ତଥା ଦେଶର ଯୁବପିଢିଙ୍କୁ ଉଚ୍ଚକୋଟୀର ବୈଷୟିକ କୌଶଳ ଶିକ୍ଷା ପ୍ରଦାନ କରାଯାଇପାରିବ । ଏଠାରେ ୮୦ରୁ ଊର୍ଦ୍ଧ୍ବ ପାଠ୍ୟକ୍ରମ ଆରମ୍ଭ କରାଯିବ । ଯଦ୍ବାରା ସାରା ଦେଶରୁ ଛାତ୍ରଛାତ୍ରୀ ଆସି ତାଲିମ ଗ୍ରହଣ କରିପାରିବେ । ବୈଷୟିକ କୌଶଳରେ ପାରଙ୍ଗମ ହୋଇପାରିବେ । ଏହା ଦ୍ବାରା ଆଗାମୀ ଦିନରେ ପ୍ରତିବର୍ଷ ଦଶ ହଜାର କୁଶଳୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନର ଲକ୍ଷ୍ୟ ରହିଛି ।


ବିଭାଗୀୟ ନିର୍ଦ୍ଦେଶକ ରେଘୁ ଜୀ କହିଛନ୍ତି ଯେ, ''ରାଜ୍ୟ ସରକାର ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଜରିଆରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସହାୟତା ପ୍ରଦାନ ପରିପ୍ରେକ୍ଷୀରେ ବୈଷୟିକ ଶିକ୍ଷା ପ୍ରଦାନ କରୁଛନ୍ତି । ଆଜିର ଏହି ବୁଝାମଣା ପତ୍ର ସ୍ବାକ୍ଷର ଷ୍ଟାର୍ଟ ଅପ୍ ଗୁଡିକର ବିକାଶରେ ସହାୟତା କରିବା ସହିତ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପରେ ନିଯୁକ୍ତି ସହାୟତା ପ୍ରଦାନ କରିବେ । ସ୍କାଏ ରାଇଡର ସଂସ୍ଥା ତରଫରୁ ଇଲେକ୍ଟ୍ରିକ୍ ଯାନର ଆଗାମୀ ସମୟର ସମ୍ଭାବନାକୁ ନେଇ ୧୬ ପ୍ରକାର ବୈଦ୍ୟୁତିକ ଯାନ ମଡେଲ ଉତ୍ପାଦନ କରାଯିବ । ଏହି ବିଦ୍ୟୁତ୍ ପରିଚାଳିତ ଯାନ ବିଭିନ୍ନ ଶିଳ୍ପ ସଂସ୍ଥା, ଡାକ୍ତରଖାନା, ସରକାରୀ ଓ ବେସରକାରୀ ସଂସ୍ଥା ତଥା ଜନସାଧାରଣଙ୍କର ଉପଯୋଗୀ ହୋଇପାରିବ ।''

ସେହିପରି ଏରୋ ରୋଭର୍ସ ସଂସ୍ଥା ତରଫରୁ ଡ୍ରୋନ୍ କ୍ୟାମେରା ଉତ୍ପାଦନ, ରକ୍ଷଣାବେକ୍ଷଣ ଓ ଉଡାଣ (ପାଇଲଟିଂ) ଆଦି କୌଶଳ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା ରହିଛି । ଯାହାଦ୍ବାରା ଛାତ୍ରଛାତ୍ରୀ ବା ଇଚ୍ଛୁକ ଯୁବବର୍ଗ ତାଲିମ ପାଇ ନିଜେ ସ୍ବାବଲମ୍ବୀ ହୋଇପାରିବେ । ଏହାସହିତ ବିଭିନ୍ନ ଶିଳ୍ପ ସଂସ୍ଥା, କୃଷି କ୍ଷେତ୍ର, ସରକାରୀ କାର୍ଯ୍ୟ ଏବଂ ବିଭିନ୍ନ ଭିଡିଓ ଚିତ୍ର ଉତ୍ତୋଳନକାରୀ ସଂସ୍ଥାରେ କାର୍ଯ୍ୟରେ ନିଯୁକ୍ତି ପାଇପାରିବେ । କାର୍ଯ୍ୟକ୍ରମରେ ସରକାରୀ ପଲିଟେକ୍ନିକ୍ କଲେଜର ସମସ୍ତ କର୍ମକର୍ତ୍ତା, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ସ୍କାଏ ରାଇଡରର ଛାତ୍ରଛାତ୍ରୀ ଏବଂ ନିଯୁକ୍ତିପ୍ରାପ୍ତ ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ତନୁଜା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details