ଭୁବନେଶ୍ବର:ଜୀବନବ୍ୟାପୀ ସାଧନା ସମ୍ମାନରେ(Lifetime Achievement Award) ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରୁଥିବାବେଳେ, ତାଙ୍କୁ ସ୍ବାଗତ ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସମର୍ଥକଙ୍କ ପ୍ରବଳ ଭିଡ଼଼ ଜମିବ । ତେବେ ଏୟାରପୋର୍ଟକୁ ଆସୁଥିବା ଯାତ୍ରୀଙ୍କୁ ୩ ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି । ଏ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ଏ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ କରିବା ଲାଗି ଆସନ୍ତାକାଲି (ମଙ୍ଗଳବାର) ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରବଳ ଭିଡ଼ ଜମିବାକୁ ଯାଉଛି । ସେଠାରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିବ । ତେବେ ବିମାନ ଯାତ୍ରୀମାନେ ନିଜ ଫ୍ଲାଇଟ ସମୟର ୩ ଘଣ୍ଟା ପୂର୍ବରୁ ବିମାବନ୍ଦରରେ ପହଞ୍ଚିବାକୁ ଅନୁରୋଧ ।"
ଗତ ରବିବାର ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି(Capital Foundation Society) ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । ନିଜର ଉଲ୍ଲେଖନୀୟ ନେତୃତ୍ବ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଥିଲା । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ.ଭି ରମଣାଙ୍କ ଠାରୁ ନବୀନ ଜୀବନବ୍ୟାପୀ ସାଧନା ପୁରସ୍କାର ଗ୍ରହଣ କରିଥିଲେ ।