ଓଡିଶା

odisha

ETV Bharat / city

ଖୋଲିଛି ହଲ: ନାହାଁନ୍ତି ଦର୍ଶକ‌, ଚିନ୍ତାରେ ମାଲିକ - ଟିକେଟ୍ କାଉଣ୍ଟର

ଦୀର୍ଘ ୧୦ ମାସ ପରେ ଜାନୁଆରୀ ୧ରୁ ଖୋଲିଛି ସିନେମା ହଲ । କିନ୍ତୁ ଲୋକଙ୍କ ମନରୁ ମହାମାରୀର ଭୟ ଯାଇନଥିବା ସହ ବଡ ପରଦାରେ କୌଣସି ଆକର୍ଷଣୀୟ ଫିଲ୍ମ ନଥିବାରୁ ହଲମାନଙ୍କରେ ଦର୍ଶକଙ୍କ ଭିଡ ସେତେଟା ପରିଲିଖିତ ହେଉନାହିଁ । ଫଳରେ ରାଜଧାନୀର ହଲ୍‌ ମାଲିକଙ୍କ ଚିନ୍ତାରେ ବିରାମ ଲାଗୁ ନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

୨୫% ଦର୍ଶକରେ ଚାଲିଛି ହଲ୍‌ ‌, ଚିନ୍ତାରେ ମାଲିକ
୨୫% ଦର୍ଶକରେ ଚାଲିଛି ହଲ୍‌ ‌, ଚିନ୍ତାରେ ମାଲିକ

By

Published : Jan 23, 2021, 3:10 PM IST

ଭୁବନେଶ୍ବର: ଖାଁ ଖାଁ ଟିକେଟ୍ କାଉଣ୍ଟର ଓ ସିନେମା ହଲ୍ । ଆଉ ଆଗ ପରି ନାହିଁ ଗହଳି । 10 ମାସର କୋଭିଡ କଟକଣା ପରେ ସିନେମା ହଲ୍ ଖୋଲିଥିଲେ ବି ଏଭଳି ପରିସ୍ଥିତି ଦେଖା ଦେଇଛି ଭୁବନେଶ୍ବର ଫିଲ୍ମ ହଲ ମାନଙ୍କରେ । ଟିକିଏ ମନୋରଞ୍ଜନ ପାଇଁ ଲୋକମାନେ ସିନେମା ଦେଖିବାକୁ ଆସୁଥିଲେ ବି ଆଗ ଅପେକ୍ଷା ଦର୍ଶକଙ୍କ ଭିଡ ଜମୁ ନାହିଁ। ଯଦିଓ କିଛି ଲୋକ ମହାମାରୀ କଟକଣା ମଧ୍ୟରେ ଦେଖିବାକୁ ଆସୁଛନ୍ତି ମାତ୍ର ଆଖିଦୃଶିଆ ଦର୍ଶକଙ୍କୁ ଦେଖିବାକୁ ମିଳୁନି । ଗୋଟେ ପଟେ କୋଭିଡ ଗାଇଡଲାଇନ ମାନି ୫୦ ପ୍ରତିଶତ ଲୋକଙ୍କ ଟିକେଟ ପାଇଁ ଅନୁମତି ରହିଥିବାବେଳେ ସେଥିରୁ ୧୨ରୁ ୨୫ ପ୍ରତିଶତ ଲୋକ ଆସୁଛନ୍ତି । ଏଭଳି ସ୍ଥିତିରେ ସିନେମା ହଲ୍ ଖୋଲିଛି ସତ ହେଲେ ଦର୍ଶକଙ୍କ ଅଭାବକୁ ନେଇ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ କ୍ଷତିରେ ଚାଲିଛି ସିନେମା ହଲ ।

ଖୋଲିଛି ହଲ: ନାହାଁନ୍ତି ଦର୍ଶକ‌, ଚିନ୍ତାରେ ମାଲିକ

ଅନ୍ୟପଟେ ସାନିଟାଇଜର ଓ ସାମାଜିକ ଦୂରତା ବଜାୟ ରଖିବାର ବ୍ୟବସ୍ଥା ଥିଲେ ବି ଦର୍ଶକଙ୍କ ମନରେ ମହାମାରୀ ଯେମିତି ଭୟର ବସା ବାନ୍ଧି ଦେଇଛି । ଯୁବପୀଢୀ ହଲ୍‌ ଆସିବାର ଇଚ୍ଛା ପ୍ରକାଶ କରୁଥିଲେ ବି ଅଭିଭାବକମାନେ ମହାମାରୀ ଭୟରେ ଅନୁମତି ଦେଉନଥିବା କହିଛନ୍ତି ।

ଅନ୍ୟପଟେ 10 ମାସ ପରେ ସିନେମା ହଲ୍‌ ଖୋଲିଥିଲେ ବି ହଲ୍‌ ମାଲିକମାନଙ୍କ ଚିନ୍ତାରେ ବିରାମ ଲାଗି ନାହିଁ । ଦର୍ଶକଙ୍କ ଅଭାବରୁ ୯୦ ପ୍ରତିଶତ କ୍ଷତିରେ ଚାଲିଛି ସେମାନଙ୍କ ସିନେମା ହଲ । ଶନିବାର ଓ ରବିବାରରେ ଯଦିଓ ଟିକେ ଭିଡ ଲାଗୁଛି କିନ୍ତୁ ଭଲ ସିନେମା ନଥିବାରୁ ଦର୍ଶକମାନେ ସିନେମା ଦେଖିବାକୁ ଆଗ୍ରହ ପ୍ରକାଶ କରୁନଥିବା କହିଛନ୍ତି ହଲ୍‌ ମାଲିକ । ଏବେ ବି କୋରାନାର ଡର ମନରୁ ଯାଇନଥିବା ବେଳେ ବଲିଉଡ ହେଉ ଅବା ଓଲିଉଡରେ ନୂଆ ଆକର୍ଷଣୀୟ ସିନେମା ଆସିନଥିବାରୁ ଦର୍ଶକ ବି ହଲ୍ ଯିବାକୁ ନା ପସନ୍ଦ କରୁଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details