ଭୁବନେଶ୍ବର: ରାଜଧାନୀ ସ୍ଥିତ ମାର୍କେଟ ବିଲ୍ଡିଂରେ ଉଚ୍ଛେଦ ପରେ ପ୍ରଥମେ ବେଉସା ଗଲା । ଏବେ ନବୀନ ବସ୍ତି ଉଚ୍ଛେଦ ମାଧ୍ୟମରେ ଯିବାକୁ ବସିଛି ମୁଣ୍ଡ ଉପରୁ ଛାତ । ଫଳରେ ରାଜଧାନୀରେ ଘର ଖଣ୍ଡେ ପାଇଁ ଘୁରି ବୁଲୁଛନ୍ତି ଦୁଇ ଦୃଷ୍ଟିହୀନ କାହ୍ନୁ ଚରଣ ସାହୁ ଓ ଅମର ପ୍ରଧାନ । ସତ୍ୟନଗର ନବୀନ ନଗର ବସ୍ତିରେ ରୁହନ୍ତି । ଜନ୍ମରୁ ଦୃଷ୍ଟିହୀନ ହୋଇଥିବା ବେଳେ ପ୍ରଥମେ ଦୋକାନ ପରେ ଘର ଭଙ୍ଗାକୁ ନେଇ ବିଏମସି କାର୍ଯ୍ୟଳୟରୁ ମୂଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଧାଇଁ ଧାଇଁ ପାଦର ଚପଲ ଛିଡିଗଲାଣି ହେଲେ ସେମାନଙ୍କ ସମସ୍ୟାକୁ କେହି ଆଡ ଆଖିରେବି ଚାହୁଁନାହାଁନ୍ତି । ବିଏମସି ଥଇଥାନର ବ୍ୟବସ୍ଥା ନକଲେ ଆତ୍ମାହୁତି ପାଇଁ ଏମାନେ ଚେତାବନୀ ଦେଇଛନ୍ତି ।
ବେଉସା ପରେ ଚାଲିଯିବ ବାସସ୍ଥାନ, ସହାୟତା ଆଶାରେ ରାଜଧାନୀରେ ଘୁରି ବୁଲୁଛନ୍ତି ୨ ଦୃଷ୍ଟିହୀନ ଘର ଭଙ୍ଗାକୁ ନେଇ ଦୁର୍ଦ୍ଦଶା ଭିତରେ ରହୁଛନ୍ତି ଏହି ଦୁଇ ଦିବ୍ଯାଙ୍ଗ । କାରଣ ଏମାନେ ଭୁବନେଶ୍ବର ଆସି ଖେଳନା ବିକ୍ରି କରି ଓ ଓଜନ ମେସିନ୍ ଚଲାଇ ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଆଉ ଦିନକୁ ପଚାଶ ଶହେ ହୋଇଯାଉଥିଲେ ଏମାନଙ୍କ ପରିବାର ଚଳିଯାଉଥିଲା । ୧୫ ବର୍ଷ ହେଲା ନିଜ ପରିଶ୍ରମରେ ସେମାନଙ୍କ ପରିବାର ପୋଷଣ ଚାଲିଥିଲା । କିନ୍ତୁ ଏଥିରେ କଣ୍ଟା ସାଜିଲେ ମାର୍କେଟ ବିଲ୍ଡିଂର ବଡ଼ବଡ଼ିଆ ବେପାରୀ । ସେମାନଙ୍କ ବେପାର ମାନ୍ଦା ହେଉଥିବାରୁ ବିଏମ୍ସିରେ ବାରମ୍ବାର ଅଭିଯୋଗ କରିବା ପରେ ବିନା ଥଇଥାନରେ ବେଉସା ଛଡ଼ାଇନେଲା ବିଏମ୍ସି । ଏହାକୁ ନେଇ ଏମାନେ ପେଟ ଚାଖଣ୍ଡେ ପାଇଁ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି । ଦିନକୁ ଦିନ ଓଳିଏ ଖାଇବାକୁ ପାଉନାହାନ୍ତି ।
ଏତିକିରେ ତାଙ୍କ ଦୁଃଖ ସରିଲାନି ଯେ ମୁଣ୍ଡ ଉପରେ ଥିବା ଘର ଭାଙ୍ଗିବାକୁ ବସିଛି ବିଏମସି । ଡ୍ରେନେଜ୍ କଡ଼ରେ ଟିଣ ଛପର ଘରେ ଦୀର୍ଘ ୧୦ ବର୍ଷ ହେଲା ରହୁଛନ୍ତି । କାହ୍ନୁ ପତ୍ନୀ ଜୟନ୍ତୀଙ୍କୁ ଠିକ୍ ସେ ଶୁଣା ଯାଉନି । ଝିଅ ସରଞ୍ଜିନୀକୁ ମାତ୍ର ୪ ବର୍ଷ । ସେ ସ୍କୁଲ ବାରଣ୍ଡା ମାଡ଼ିନି । ସେହିପରି ଅମରଙ୍କ ପତ୍ନୀ ମଧ୍ୟ ଜଣେ ଦିବ୍ୟାଙ୍ଗ । ତାଙ୍କର ଦୁଇଜଣ ପୁଅଝିଅ ଅଛନ୍ତି । ଏତେ ଜଣ ପରିବାରକୁ ନେଇ ରହୁଥିଲେ ବି ଗତକାଲି ବିଏମସିର ନବୀନ ବସ୍ତି ଉଚ୍ଛେଦ ନେଇ ବିଏମ୍ସି ପ୍ରଚାର ଗାଡ଼ି ୨ ଘେରାବୁଲି ଚେତାଇ ସାରିଲାଣି । ଏହାକୁ ନେଇ ବେଶ ଦୁଃଖରେ ରହିଛନ୍ତି ଉଭୟ ।
ତେଣୁ ଏଭଳି ଦୁର୍ଦ୍ଦିନରେ ସେମାନଙ୍କୁ ଘର ଦିଆଯିବା ସହ ଯେକୌଣସି ମାର୍କେଟକୁ ଥଇଥାନ କରାଯାଉ ବୋଲି ନିବେଦନ କରିଛନ୍ତି । ଦିବ୍ୟାଙ୍ଗ ଅମର ପ୍ରଧାନ କହିଛନ୍ତି, "ଅନେକ ଥର ବିଏମସି ଓ ମୂଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଧାଇଁ ଧାଇଁ କେହି ଏଯାବତ୍ ଆମ ଗୁହାରି ଶୁଣୁନାହାଁନ୍ତି । ୨୦୧୭ ମସିହାରୁ ଘର ଖଣ୍ଡେ ପାଇଁ କହୁଥିବା ବେଳେ ଏଯାଏଁ ଘର ମିଳିନାହିଁ । ତଥାପି ଆଶା ରଖି ବିଏମସି ଅଫିସ ଆସିଥିବା ବେଳେ ଯଦି ଏଥର ବି ନ ଶୁଣନ୍ତି ତେବେ ଆମେ ବାଧ୍ୟ ହୋଇ ଆତ୍ମହତ୍ୟା କରିବୁ। ବାରମ୍ବାର ପ୍ରତିଶ୍ରୁତି ଦେଇ ହଇରାଣ କରୁଥିବା ଏଥିପାଇଁ ଯେ ବିଏମ୍ସି କର୍ତ୍ତୃପକ୍ଷଙ୍କ କୌଣସି ବି କଥାରେ ଆମର ବିଶ୍ବାସ ଆସୁନି ।"
ଅନ୍ୟପଟେ ବିଏମସି ଡେପୁଟି କମିଶନର ରମେଶ ଜେନା ଏ ନେଇ କହିଛନ୍ତି, "ସହରାଞ୍ଚଳ ଆବାସ ଯୋଜନାର ସର୍ଭେ ସମୟରେ ଏହି ଦୁଇ ଜଣ ସେଠାରେ ନଥିଲେ । ତେଣୁ ଯେଉଁମାନେ ସର୍ଭେ ସେ ସମୟରେ ଥିଲେ ସେମାନଙ୍କୁ ଘର ଦିଆଯାଇଛି । ପରବର୍ତ୍ତୀ ସମୟର ସର୍ଭେରେ ଏମାନେ ଯୋଗ୍ୟ ବିବେଚିତ ହେଲେ ସେମାନଙ୍କୁ ଘର ଦିଆଯିବ । " ଏପରିକି ଉଚ୍ଛେଦ କଥା ଆମେ ଜାଣିନାହୁଁ ବୋଲି ସେ କହିଛନ୍ତି ।
ଦୁଇ ଦିବ୍ୟାଙ୍ଗ ୨୦୧୨ରୁ ଏଠାରେ ଵ୍ୟଵସ୍ୟାୟ କରି ରହୁଥିବା ବେଳେ ବିଏମସି କହୁଛି ସର୍ଭେ ସମୟରେ ଏମାନେ ନଥିଲେ । ଏହାରି ଭିତରେ କିଏ ସତ କିଏ ମିଛ କହିଛି ତାହାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ୨ ଦିବ୍ୟାଙ୍ଗଙ୍କ ପାଇଁ ଥଇଥାନର ବ୍ୟବସ୍ଥା କରିବାର ଆବଶ୍ୟକ ରହିଛି । କାରଣ ଗୋଟେ ପଟେ ଜୀବିକା ଆଉ ଗୋଟେ ପଟେ ଘର ଚାଲିଯିବା ବା ଭାଙ୍ଗିଯିବା ଦୁଃଖରେ ଭାଙ୍ଗି ପଡିଛନ୍ତି ଦୃଷ୍ଟିହୀନ । ତେଣୁ ଏମାନେ ଏବେ ଆତ୍ମହତ୍ଯା ଚେତାବନୀ ଦେଇଛନ୍ତି । ବିଏମସି କି ସରକାର ମୃତ୍ୟୁର କାରଣ ନ ସାଜି ଏହି ଦୁଇ ଦୃଷ୍ଟିହୀନଙ୍କୁ ଘର ମିଳିବା ପର୍ଯ୍ୟନ୍ତ ଥଇଥାନ କରନ୍ତୁ ବା ଟ୍ରାନଜିଟ ହୋମରେ ନେଇ ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି ଦୁଇ ଦିବ୍ଯାଙ୍ଗ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ