ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ଶନିବାର) ଭିସି ଯୋଗେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କୋଭିଡ଼ ହସ୍ପିଟାଲକୁ ଲୋକାର୍ପଣ କରିଛନ୍ତି । ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ହୋଇଛି ଏହି 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ୧୬ଟି ICU ଓ ୧୬ଟି HDU ଶଯ୍ୟା ସହିତ ଏକ ସ୍ବତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି ।
ତୃତୀୟ ଲହରରେ ଶିଶୁ ଆକ୍ରାନ୍ତ ହେବା ଦୃଷ୍ଟିରେ ରଖି ଏହି ହସ୍ପିଟାଲ ପ୍ରସ୍ତୁତ ହୋଇଛି । ଡାକ୍ତରଖାନାରେ ଥିବା ଭେଣ୍ଟିଲେଟର ଅମ୍ଳଜାନ ପ୍ରଣାଳୀ ସହିତ ସୁସଜ୍ଜିତ ହୋଇଛି । ପିଲାମାନଙ୍କ ମନୋରଞ୍ଜନ ପାଇଁ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହସ୍ପିଟାଲରେ ଚିକିତ୍ସା ଠାରୁ ଆରମ୍ଭ କରି ରୋଗ ନିରୂପଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ହସ୍ପିଟାଲ ପାଇଁ ବେଦାନ୍ତ ଗ୍ରୁପ ତଥା ଏହାର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । କଳାହାଣ୍ଡିରେ କୋଭିଡ ହସ୍ପିଟାଲ ସହିତ ମେଡିକାଲ କଲେଜ, ଜଳସେଚନର ବିକାଶ ଆଦି ବ୍ୟାପକ ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କଳାହାଣ୍ଡିରେ କୋଭିଡ ମୁକାବିଲା ପାଇଁ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ କରାଯାଇଛି । ହସ୍ପିଟାଲରେ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି । ତେଣୁ କଳାହାଣ୍ଡିବାସୀ ଉନ୍ନତ କୋଭିଡ ଚିକିତ୍ସା ପାଇପାରିବେ ବୋଲି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।