ଭୁବନେଶ୍ବର: ଏଣିକି ଆଧାର ସଂଯୋଗ କଲେ ହିତାଧିକାରୀଙ୍କୁ ମିଳିବ ପେନସନ । ଏନେଇ ବିଏମସି ଓ ଆକ୍ସିସ ବ୍ୟାଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତି ଅନୁସାରେ ଆଧାର ସଂଯୋଗୀକରଣ ପରେ ସେବା ପ୍ରଦାନକାରୀ ଆକ୍ସିସ ବ୍ୟାଙ୍କ ଏକ ସ୍ବତନ୍ତ୍ର ବୈଷୟିକ ପ୍ରକ୍ରିୟା ଆଧାରରେ ହିତାଧିକାରୀଙ୍କୁ ସେମାନଙ୍କର ପେନସନ ଯୋଗାଇ ଦେବ ।
ବର୍ତ୍ତମାନ ବିଏମସି ଅଧୀନରେ 21,777 ଯୋଗ୍ୟ ହିତାଧିକାରୀ ବିଭିନ୍ନ ଯୋଜନାରେ ଜଡିତ ଥିବାବେଳେ ଏଥିରୁ ୯୦ ପ୍ରତିଶତ ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇସାରିଛି । ସରକାରଙ୍କ ଏହି ନିୟମ ଅନୁସାରେ ଆସନ୍ତା ଫେବୃଆରୀରୁ ଏମାନଙ୍କୁ ଆଧାର ସଂଯୋଗରେ ପେନସନ ଯୋଗାଇ ଦିଆଯିବ । ପୂର୍ବରୁ ହିତାଧିକାରୀମାନେ ଫିଙ୍ଗର ପ୍ରିଣ୍ଟ ମାଧ୍ୟମରେ ନିଜ ଭତ୍ତା ପାଉଥିଲେ । ମାତ୍ର ଏଥର ଆଧାର ସଂଯୋଗ କରାଇ ନିଜ ଭତ୍ତା ପାଇବେ । ତେବେ ଆଜିର ଏହି ସ୍ବାକ୍ଷରିତ ଚୁକ୍ତି ପରେ ପ୍ରତ୍ୟେକଙ୍କୁ ପେନସନ ସ୍ବତନ୍ତ୍ର ପ୍ରକ୍ରିୟାରେ ପ୍ରଦାନ କରି ସାମାଜିକ ସୁରକ୍ଷା ଯୋଜନାରେ ସ୍ବଚ୍ଛତା ବଜାୟ ରଖିବାକୁ ପଦକ୍ଷେପ ନେଇଛନ୍ତି ବିଏମସି କର୍ତ୍ତୃପକ୍ଷ ।
ବିଏମସି ମୁଖ୍ୟ ବିତ୍ତ ଅଧିକାରୀ ଲାବନ୍ୟ ଶବରଙ୍କ ସୂଚନାନୁସାରେ, ବିଏମସି ପକ୍ଷରୁ ସ୍ବଚ୍ଛତାକୁ ଅଗ୍ରାଧିକାର ଦିଆଯାଇ ଏବେ ଆଧାର କାର୍ଡ ସଂଯୋଗୀକରଣ ପରେ ଭତ୍ତା ପ୍ରଦାନ କରାଯିବ । ଯୋଗ୍ୟ ହିତାଧିକାରୀଙ୍କୁ ବିଏମସି ଦ୍ବାରା ୟଲୋ କାର୍ଡ ପ୍ରଦାନ କରିବା ସହିତ ସେମାନଙ୍କର ଆଧାର ସଂଯୋଗ କରି ଆକାଉଣ୍ଟରେ ଭତ୍ତା ଟଙ୍କାକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ମାଧ୍ୟମରେ ଦିଆଯିବ । ଏଥିପାଇଁ ଆକ୍ସିସ ବ୍ୟାଙ୍କ ସହ ଏମଓୟୁ ସ୍ବାକ୍ଷରିତ ହୋଇଛି । ଆକ୍ସିସ ବ୍ୟାଙ୍କ ଦ୍ବାରା ନିଯୁକ୍ତ ବ୍ୟବସାୟିକ କରେସପଣ୍ଡେଣ୍ଟ ମାନଙ୍କ ଦ୍ବାରା ପ୍ରତ୍ୟେକ ମାସର ନିର୍ଦ୍ଧାରିତ ସମୟ ମଧ୍ୟରେ ଭତ୍ତା ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ଏ ସମ୍ପର୍କିତ ସମସ୍ତ ଖର୍ଚ୍ଚ ଆକ୍ସିସ ବ୍ୟାଙ୍କ ଯୋଗାଇ ଦେବ ।