ଭୁବନେଶ୍ବର:ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ପୁରୁଷ ହକି ବିଶ୍ବକପ ଟୁର୍ନାମେଣ୍ଟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେମିଫାଇନାଲ ଲାଇନ ଚୁଡାନ୍ତ ହୋଇସାରିଥିବାବେଳେ ଶ୍ରେଷ୍ଠ ୮ଟି ଟିମ ମଧ୍ୟରୁ ପଞ୍ଚମ ସ୍ଥାନ ପାଇଁ ବେଲଜିୟମ ଓ ସ୍ପେନ୍ ମଧ୍ୟରେ ମୁକାବିଲା ଖେଳାଯାଇଛି ।
ଟୁର୍ନାମେଣ୍ଟର ଦଶମ ଦିନରେ ନକ ଆଉଟ୍ ପର୍ଯାୟର ପଞ୍ଚମରୁ ଅଷ୍ଟମ ସ୍ଥାନ ପାଇଁ ଚାଲିଥିବା ମୁକାବିଲାର ପ୍ରଥମ ମ୍ୟାଚ ବେଲଜିୟମ ଓ ସ୍ପେନ ମଧ୍ୟରେ ହୋଇଥିଲା । ଉଭୟ ଟିମ ଚତୁର୍ଥ କ୍ଵାଟର ସୁଦ୍ଧା ୨-୨ ଗୋଲ୍ରେ ବରାବର ରହିଥିଲେ । ଫଳରେ ପେନାଲଟି ସୁଟ ଆଉଟରେ ମାଧ୍ୟମରେ ବିଜେତା ନିର୍ଣ୍ଣୟ ପାଇଁ ନିଷ୍ପତ୍ତି ହୋଇଥିଲା ।
ଏହାମଧ୍ୟ ପଢନ୍ତୁ:Junior Hockey WC: ସେମିରେ ଟିମ ଇଣ୍ଡିଆ, ଲଢୁଆ ପ୍ରଦର୍ଶନକୁ କୋଚ୍ଙ୍କ ପ୍ରଶଂସା
ସୁଟଆଉଟ୍ରେ ବେଲଜିୟମ ବାଜିମାତ କରିବା ସହ ୪-୩ ଗୋଲରେ ମ୍ୟାଚକୁ ଜିତି ନେଇଛି । ବେଲଜିୟମର ଥିବିଉ ସ୍ତକବ୍ରୋକ୍ସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ଅନ୍ୟପଟେ ନେଦରଲାଣ୍ଡ ମଧ୍ୟ ଅନ୍ୟ ଏକ ମ୍ୟାଚ୍ରେ ମାଲେସିଆକୁ ୩-୯ ଗୋଲ୍ରେ ହରାଇଛି । ଫଳରେ ବେଲଜିୟମ ସହ ପଞ୍ଚମ ସ୍ଥାନ ପାଇଁ ନେଦରଲାଣ୍ଡ ଲଢେଇ କରିବ । ଏହି ମ୍ୟାଚ୍ର ପରାଜିତ ଟିମ ଷଷ୍ଠ ସ୍ଥାନ ଓ ମାଲେସିଆ, ସ୍ପେନ ମଧ୍ୟରୁ ସପ୍ତମ ଓ ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ହେବେ ।
ତେବେ ଟୁର୍ନାମେଣ୍ଟର ଶ୍ରେଷ୍ଠ ୪ଟି ଟିମ ଜର୍ମାନୀ, ଭାରତ, ଫ୍ରାନ୍ସ ଓ ଆର୍ଜେଣ୍ଟିନା ଶୁକ୍ରବାର ଫାଇନାଲ ଖେଳିବାକୁ ସାମ୍ନାସାମ୍ନି ହେବେ । ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ପ୍ରଥମ ସେମିଫାଇନାଲ ମୁକାବିଲା ଥିବାବେଳେ ଭାରତ ସାମ୍ନାରେ ଜର୍ମାନୀ ରହିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ