ଭୁବନେଶ୍ବର: ଉପନିର୍ବାଚନ ପୂର୍ବରୁ ଧାମନଗର ଓ ତିହିଡି ବିଡିଓଙ୍କୁ ବଦଳି ଘଟଣାରେ(transferring two BDOs in Bhadrak) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ଏନେଇ ସିଇଓଙ୍କ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ହସ୍ତାକ୍ଷର ଯୁକ୍ତ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଆଚରଣ ଆଚରଣ ବିଧି ଯୁକ୍ତ ଦୁଇ ଅଧିକାରୀଙ୍କ ବଦଳି କରାଯାଇଛି ବୋଲି ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏକ ରାଜନୈତିକ ଦଳ ଅଭିଯୋଗ କରିଛି ଯେ, ଧାମନଗର ବିଧାନସଭା ମଣ୍ଡଳୀରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାବେଳେ ସେଠାରେ କାର୍ଯ୍ୟ କରୁଥିବା 2 ଜଣ ବିଡିଓଙ୍କୁ ଦୁର୍ନୀତି ଅଭିଯୋଗରେ ବଦଳି କରାଯାଇଛି । ତେବେ ସିଇଓଙ୍କ ଅଫିସ୍ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ତିହିଡ଼ି ବିଡିଓ ବସନ୍ତ କୁମାର ସାହାଣୀଙ୍କ ବଦଳି ହୋଇଛି ।
ଦୁର୍ଗାଚରଣ ମୁର୍ମୁ 2018 ସେପ୍ଟେମ୍ବର 5 ରୁ ସେଠାରେ କାର୍ଯ୍ୟ କରୁଥିବାବେଳେ ତିହିଡି ବିଡିଓଙ୍କ ଘର ଧାମନଗର ବିଧାନସଭା ମଣ୍ଡଳୀରେ ଆସୁଛି । ଜିଲ୍ଲାରେ ଏହି ଦୁଇ ଅଫିସରଙ୍କ ଉପସ୍ଥିତି ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛି । କାରଣ ଉପନିର୍ବାଚନ ପାଇଁ ଗାଇଡଲାଇନ ଅନୁସାରେ ଉପନିର୍ବାଚନ ସହ ଜଡ଼ିତ କୌଣସି ଅଫିସର 3 ବର୍ଷରୁ ଅଧିକ ସମୟ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ରହିବା ମନା ତଥା ନିଜ ଗୃହ ଜିଲ୍ଲାରେ ବି ରହିପାରିବେ ନାହିଁ । ତେଣୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୁପାରିଶରେ ସେମାନଙ୍କର ବଦଳି ଅକ୍ଟୋବର ୬ ତାରିଖରେ ହୋଇଛି । ଏହାଦ୍ବାରା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ହେଉନି ବୋଲି ସିଇଓ ଅଫିସ ସ୍ପଷ୍ଟ କରିଛି ।