ଭୁବନେଶ୍ବର: ବଂଶଧାରା ବିବାଦକୁ ନେଇ ବୁଧବାର ଟ୍ରିବ୍ୟୁନାଲ ଦେଇଥିବା ସ୍ପଷ୍ଟୀକରଣ ନେଇ ରାଜ୍ୟରେ ରାଜନୀତି ତେଜୁଛି । ଏନେଇ ବିଭିନ୍ନ ବର୍ଗରୁ ପ୍ରତିକ୍ରିୟା ଆସିଛି । କାହିଁକି ବଂଶଧାରାକୁ ନେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ବିବାଦ ? ଏ ନେଇ ତତ୍କାଳୀନ ଜଳ ସମ୍ପଦ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରମେଶ ତ୍ରିପାଠୀ କହିଛନ୍ତି, ନେରେଡି ବ୍ୟାରେଜ ନିର୍ମାଣ ଲାଗି ୧୯୬୧ରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ରାଜିନାମା ସ୍ଵାକ୍ଷର ହୋଇଥିଲା ।
ଆନ୍ଧ୍ରପ୍ରଦେଶ ଏହି ନେରେଡି ବ୍ୟାରେଜ ନିର୍ମାଣ କରିବ । ନ୍ୟାରେଡି ବ୍ୟାରେଜର ବାମ ପଟରେ ଓଡ଼ିଶା ଓ ଡାହାଣ ପଟେ ଆନ୍ଧ୍ରପ୍ରଦେଶ ଅବସ୍ଥିତି । ଆନ୍ଧ୍ରପ୍ରଦେଶ ସରକାର କହିଥିଲେ ଯେ, ଏହି ବ୍ୟାରେଜ ନିର୍ମାଣ ହେଲେ ଓଡ଼ିଶା ଓ ଆନ୍ଧ୍ର ଉଭୟ ରାଜ୍ୟର ଲାଭ ହେବ । ବ୍ୟାକ ୱାଟର ଦୁଇରୁ ତିନି କିଲୋମିଟରରୁ ଅଧିକ ଯିବନାହିଁ । ଏହାସହ ୧୦୬ ଏକର ଓଡ଼ିଶାରୁ ଜମି ଅଧିଗ୍ରହଣ ହେବ । ତେବେ ଏହି ବ୍ୟାରେଜର ଅଫ ଷ୍ଟିମରେ ଦୁଇ କିଲୋମିଟର ଦୂରରେ ଥିବା କାତ୍ରାଗୋଡା ଠାରେ ସାଇଡ଼ ୱାଲ ନିର୍ମାଣ କରି ପାଣି ନେବା ଆରମ୍ଭ କରିଥିଲା ଆନ୍ଧ୍ରପ୍ରଦେଶ ।
ଏନେଇ ରାଜ୍ୟ ସରକାର ଆନ୍ଦୋଳନ କରିଥିଲେ । କେନ୍ଦ୍ର ନିକଟରେ ପ୍ରସଙ୍ଗ ଉପସ୍ଥାପନ କରି ଟ୍ରିବ୍ୟୁନାଲ ପାଇଁ ଦାବି କରିଥିଲେ । ରାଜ୍ୟ ଦାବି ପରେ ଟ୍ରିବ୍ୟୁନାଲ ଗଠନ କରିଥିଲେ କେନ୍ଦ୍ର ସରକାର । ପ୍ରଥମେ ଟ୍ରିବ୍ୟୁନାଲ ବ୍ୟାରେଜ ନିର୍ମାଣ ଉପରେ ସ୍ଥଗିତାଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ସାଇଡ଼ ୱାଲ ଓ କେନାଲ କାର୍ଯ୍ୟ ଶେଷ ହୋଇଥିବାରୁ ବ୍ୟାରେଜ ନିର୍ମାଣ ପାଇଁ ଟ୍ରିବ୍ୟୁନାଲ ଅନୁମତି ଦେଇଥିଲେ।
ତେବେ ଏଥିରେ ଓଡ଼ିଶା ସରକାରଙ୍କ ତିନୋଟି ସନ୍ଦେହ ରହିଲା । ବ୍ୟାରେଜ ନିର୍ମାଣ ହେଲେ ୧୦୬ କିମି ନୁହେଁ ଅଧିକ ଜମି ଅଧିଗ୍ରହଣ ହେବ । ବ୍ୟାକ ୱାଟର ଅଧିକ ମାଡିବା ସହ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବ । ଓଡ଼ିଶାର ବହୁ ଅଞ୍ଚଳ ଜଳମଗ୍ନ ହେବ । ଏହି ତିନୋଟି ସନ୍ଦେହର ଦୂରୀକରଣ ପାଇଁ ଟ୍ରିବ୍ୟୁନାଲରେ ରାଜ୍ୟ ସରକାର ଆବେଦନ କରିଥିଲେ ।
ମଙ୍ଗଳବାର ଏହାର ସ୍ପଷ୍ଟୀକରଣ ଆସିଛି । ହେଲେ ଏଥିରେ ଓଡ଼ିଶାର ସନ୍ଦେହ ଦୂର ହୋଇନାହିଁ । ଏହାସହ ରାଜ୍ୟ ଦୁଇଟି ସ୍ପେଶାଲ ଲିଭ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଟିବ୍ୟୁନାଲ ପ୍ରସଙ୍ଗକୁ ନେଇ ଆମ କଥା ଠିକରେ ଶୁଣୁନାହାନ୍ତି ବୋଲି ଓଡ଼ିଶା ସରକାର ଏହି ପିଟିସନ ଦାଖଲ କରିଥିଲେ । ତାହାର ରାୟ ସୁପ୍ରିମକୋର୍ଟରୁ ଆସିବାର ଅଛି । ଏହା ଉପରେ ବଂଶଧାରା ବିବାଦର ନିର୍ଧାରଣ ହେବ ।