ଭୁବନେଶ୍ବର: ବିଭିନ୍ନ ଦାବି ନେଇ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ । ୧୨ ଦଫା ଦାବି ନେଇ ଆସନ୍ତା ୩୧ ଏବଂ 1ରେ ଦୁଇ ଦିନିଆ ଧର୍ମଘଟ ଆହ୍ବାନ ଦେଇଛନ୍ତି ରାଜ୍ୟ ବ୍ୟାଙ୍କ ୟୁନିୟନ ୟୁନାଇଟେଡ ଫୋରମ । ଓଡ଼ିଶାର ପ୍ରାୟ ୫ ହଜାର ୯୮ ଶାଖାର ୪୦ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ଧାରଣାରେ ବସିବେ।
ବିଭିନ୍ନ ଦାବି ନେଇ ରାଜ୍ୟ ବ୍ୟାଙ୍କ ୟୁନିୟନ ୟୁନାଇଟେଡ ଫୋରମ ପକ୍ଷରୁ 2 ଦିନିଆ ବ୍ୟାଙ୍କ ଧର୍ମଘଟ ମଞ୍ଜୁରୀ ସଂଶୋଧନ ୨୦% ବୃଦ୍ଧି, ସପ୍ତାହକୁ ୫ ଦିନ ବ୍ୟାଙ୍କ କାର୍ଯ୍ୟ,ବେସିକ ପେ ସହିତ ସ୍ବତନ୍ତ୍ର ଭତ୍ତା ମିଶ୍ରଣ, ସ୍ବତନ୍ତ୍ର ପେନସନ ସ୍କିମ, ପରିବାର ପେନସନ ବୃଦ୍ଧି ଇତ୍ୟାଦି ୧୨ ଦଫା ଦାବିରେ ଏହି ଧର୍ମଘଟ ୨ ଦିନ ଚାଲିବ। ଯଦି ଦାବି ପୂରଣ ନହୁଏ, ତେବେ ମାର୍ଚ୍ଚ ୧୧, ୧୨ ଏବଂ ୧୩ ତାରିଖରେ ୩ ଦିନ ଧରି ଧର୍ମଘଟକୁ ଓହ୍ଲାଇବ ବ୍ୟାଙ୍କ କର୍ମଚାରୀ ୟୁନିୟନ।
ମୁଖ୍ୟ ଶ୍ରମ କମିଶନର, ଶ୍ରମ ମନ୍ତ୍ରାଳୟ, ଭାରତ ସରକାରଙ୍କ ସହିତ ୨୭ ଜାନୁଆରୀରେ ଦିଲ୍ଲୀ ସ୍ଥିତ ବୈଠକରେ ଆଇବିଏର କଠୋର ଆଭିମୁଖ୍ୟ ଏବଂ ୩୯ ଥର ବୈଠକ ବସିବା ପରେ କୌଣସି ଅଗ୍ରଗତି ନହେବାରୁ ଏହି ବନ୍ଦ ଡାକରା ଦିଆଯିବ। ବିଗତ ୩୦ ମାସ ଧରି ଧର୍ଯ୍ୟର ସହିତ କର୍ମଚାରୀ ମାନେ ସର୍ବସାଧାରଣ ଓ ବିଶେଷକରି ଗ୍ରାହକ ମାନଙ୍କୁ ପ୍ରଭାବିତ କରିବା ଭଳି ଧର୍ମଘଟ କରିନଥିଲେ ମଧ୍ୟ ଆଇବିଏ ଉପରୋକ୍ତ ସମସ୍ୟା ପ୍ରତି କର୍ଣ୍ଣପାତ କରୁନଥିବାରୁ ବ୍ୟାଙ୍କ କର୍ମଚାରୀ ସଂଘମାନେ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛୁ ବୋଲି ୟୁନାଇଟେଡ ବ୍ୟାଙ୍କ ଫୋରମର ଆବାହକ ସମ୍ବିତ ମିଶ୍ର।
ସୂଚନା ଅନୁଯାୟୀ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କ ଦରମା ଏବଂ ସେବା ସର୍ତ୍ତାବଳୀ ପ୍ରତି ୫ ବର୍ଷରେ ସଂଘର ଦାବି ଏବଂ ଆଇବିଏର ଆଲୋଚନା ଦ୍ବାରା ନିର୍ଦ୍ଧାରଣ ହୁଏ । ତଦନୁସାରେ ଶେଷ ରାଜିନାମା ଅବଧି ୨୦୧୨ ନଭେମ୍ବରରୁ ୨୦୧୭ ଅକ୍ଟୋବର ଥିଲା, ତେଣୁ ମଜୁରୀ ସଂଶୋଧନ ୨୦୧୭ ନଭେମ୍ବର ୧ ତାରିଖରୁ ହେବା ଆବଶ୍ୟକ । ତେଣୁ ମଜୁରୀ ସଂଶୋଧନର ବିଳମ୍ବିତ ପ୍ରକ୍ରିୟା, ବିଗତ ୩୦ ମାସ ଧରି କ୍ରମାଗତ ଆଲୋଚନାର ବିଫଳତା କାର୍ଯ୍ୟର ଚାପ, ଦରଦାମ ବୃଦ୍ଧି ଏବଂ ସର୍ବୋପରି ଇଣ୍ଡିଆନ ବ୍ୟାଙ୍କର୍ସ ଆସୋସିଏସନ କଠୋରତା ଯୋଗୁଁ ଏହି ଧର୍ମଘଟ ଡାକରା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ