ଭୁବନେଶ୍ବର: ଦେଶକୁ ଆତଙ୍କୀ ହମଲା ଭୟ ନେଇ ଆଲର୍ଟ ରହିଛନ୍ତି ସୁରକ୍ଷାବଳ । ଏପଟେ ଓଡିଶାରେ ବି ପଶିଛି ଛନକା । ଆଉ କୁହାଯାଉଛି ଓଡିଶାରେ ଆତଙ୍କୀଙ୍କ ଟାର୍ଗେଟରେ ରହିଛି ଅଏଲ ରିଫାଇନାରି କମ୍ପାନୀ । କୌଣସି ପରିସ୍ଥିତିରେ ଘଟିଯାଇପାରେ କିଛି ଅଘଟଣ। ଓଡିଶାରେ ଆତଙ୍କବାଦୀଙ୍କ ସୁରାକ ମିଳିବା ପରେ ଏଭଳି ଛନକା ଏବେ ପଶିଛି । ଯାହାକୁ ନେଇ ରାଜ୍ୟର ପ୍ରମୁଖ ଅଏଲ ରିଫାଇନାରି କମ୍ପାନୀ ସହ ମିଳିତ ବୈଠକ କରିଛି ଓଡିଶା ପୋଲିସ ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର ଯେଉଁଥିରେ ଅଏଲ ରିଫାଇନାରି କମ୍ପାନୀର ବିଭିନ୍ନ ସୁରକ୍ଷା ନିରାପତ୍ତା ନେଇ ଆଲୋଚନା କରିଛନ୍ତି ଏକ୍ସପର୍ଟ । ତେବେ ପୋଲିସ ଡିଜିଙ୍କ ନେତୃତ୍ବରେ ପୋଲିସ ଭବନରେ ହୋଇଥିବା ବୈଠକରେ କିଭଳି ବିଭିନ୍ନ ଅଏଲ ରିଫାଇନାରି କମ୍ପାନୀର ସୁରକ୍ଷା କରାଯାଇପାରିବ ତା ଉପରେ ଆଲୋଚନା କରାଯାଇଛି।
ତେବେ କେଉଁ ବିଷୟରେ ଆଲୋଚନା ହୋଇଛି ଜାଣିରଖନ୍ତୁ...
- କେଉଁମାନେ କାମ କରୁଛନ୍ତି?
- ସେମାନଙ୍କ ପରିଚୟ ପତ୍ର ଭେରିଫିକେସନ
- କେଉଁ କେଉଁ ସମ୍ବେଦନଶୀଳ ଅଞ୍ଚଳ ରହିଛି?
- କୌଣସି ସିକ୍ୟୁରିଟି ସମ୍ବନ୍ଧୀୟ ତ୍ରୁଟି ରହିଛି ନା ନାହିଁ?
- ସ୍ଥାନୀୟ ଥାନା ସହ କମ୍ପାନୀ କିପରି ଆଲର୍ଟ ରହିଛନ୍ତି?
- ସମସ୍ତ ପ୍ରୋସେସିଂ ୟୁନିଟ ଓ ସିକ୍ୟୁରିଟି ଦୃଷ୍ଟିରୁ ସମସ୍ତ ଦିଗ ପ୍ରତି ଆଲୋଚନା କରାଯାଇଛି।
ଯେପରି ଆତଙ୍କୀଙ୍କ କୌଣସି ଗତିବିଧି ବା ନଜର ନପଡିପାରେ ଏବଂ କୌଣସି ଦୁର୍ଘଟଣା ନ ଘଟେ ସେନେଇ ଆଲର୍ଟ ରହିବାକୁ ପାରାଦୀପ ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଏଲ ରିଫାଇନାରି କମ୍ପାନୀ ଯଥା, ଇଣ୍ଡିଆନ ଅଏଲ, ଏଚପି, ଗେଲ,ଓ ଏନଜିସି ଭଳି କମ୍ପାନୀର ପ୍ରମୁଖ ଅଧିକାରି ଏଦିଗରେ ଅବଗତ ହୋଇଛନ୍ତି।
ତେବେ ପୂର୍ବରୁ ରେଳ ସୁରକ୍ଷା ଉପରେ ଗୁରୁତ୍ବ ଦେଇ ବୈଠକ କରିଥିଲେ ପୋଲିସ ଡିଜି। ତେବେ ଲୋକଙ୍କୁ ଭୟଭୀତ ନକରିବାକୁ ପୋଲିସ ଡିଜି ସିଧାସଳଖ ଉତ୍ତର ଦେଉନଥିଲେ ମଧ୍ୟ ଏନଆଇଏ ରିପୋର୍ଟ ପରେ ତତ୍ପର ହୋଇଛି ଓଡିଶା ପୋଲିସ । କାରଣ ଅନେକ ସମୟରେ ଆତଙ୍କୀ କାର୍ଯକଳାପ ବିଶେଷ କରି ରେଳ ଷ୍ଟେସନ ବା ଟ୍ରାକ ଓ ବିଭିନ୍ନ କମ୍ପାନୀ ଉପରେ ରହିଥାଏ । ଯାହା ପୂର୍ବରୁ ମୂମ୍ବାଇ, ଦିଲ୍ଲୀ ଭଳି ମେଟ୍ରୋସିଟିରେ ଦେଖିବାକୁ ମିଳିଥିଲା ।
ସେପରି କାର୍ଯ୍ୟକଳାପ ଯେପରି ନ ଘଟେ ସେନେଇ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ସଚେତନତାମୂଳକ ପଦକ୍ଷେପ ନିଆଯାଉଛି। ଏନଆଇଏ ରିପୋର୍ଟ ଅନୁସାରେ ଜମାତ ଉଲ୍ ମୁଜାହିଦ୍ଦିନର ୧୦୦ରୁ ଊର୍ଦ୍ଧ୍ବ ବାଂଲାଦେଶୀ ଆତଙ୍କୀ ଏବେବି ଓଡିଶାରେ ଅଛନ୍ତି। ତେବେ ସେମାନଙ୍କର କୌଣସି ପରିଚୟ ଫଟୋ ନଥିବା ବେଳେ ସେମାନଙ୍କୁ ଚିହ୍ନଟ କରିବା ଏବେ ମୁସ୍କିଲ ହୋଇଛି। ଅନ୍ୟପଟେ ବିଭିନ୍ନ ବସ୍ତି ଉପରେ ନଜର ରଖିଥିବା ପୋଲିସ କମିଶନର କହିଛନ୍ତି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ