ଭୁବନେଶ୍ବର:ଖାରଜ ହେଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ। ଜାମିନ ପରେ ପ୍ରଦୀପ ପାଣିଗ୍ରାହୀ ମାମଲାର ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ଆଶଙ୍କା କରିଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ। ଏହାଦ୍ବାରା ତଦନ୍ତ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇ ପାରେ। ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜଣେ ପ୍ରଭାବଶାଳୀ ବ୍ୟକ୍ତି ରହି ଆସିଛନ୍ତି। ଏହାସହ ତାଙ୍କ ବିରୋଧରେ ସଙ୍ଗିନ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ବର୍ତ୍ତମାନ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ନେଇ ପ୍ରାଥମିକ ତଦନ୍ତ ଜାରି ରହିଛି। ଏଭଳି ସମୟରେ ବିଧାୟକଙ୍କୁ ଜାମିନ ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି କୋର୍ଟ।
ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ ଶାସକ ଦଳ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଶୁଣାଣି ଶେଷ ହେବାପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଶୁଣାଣି ବେଳେ ଦୁର୍ନୀତିଗ୍ରସ୍ତ ବିଧାୟକଙ୍କୁ ଜାମିନ ନଦେବାକୁ ଯୁକ୍ତି ବାଢ଼ିଥିଲେ ସରକାରୀ ଓକିଲ। ଏହାର ବିରୋଧରେ ସରକାର ଆକ୍ରୋଶମୂଳକ ଭାବରେ ବିଧାୟକଙ୍କୁ ହଇରାଣ କରୁଥିବା କହିଥିଲେ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ।
ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ ବିଧାୟକ ପାଣିଗ୍ରାହୀଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ
- ରାଜ୍ୟ ସରକାରଙ୍କ ପକ୍ଷରୁ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଟାର୍ଗେଟ କରି ଗିରଫ କରାଯାଇଛି।
- ଏହାପୂର୍ବରୁ ବିଧାୟକଙ୍କ ନାମରେ କୌଣସି ଅପରାଧିକ ମାମଲାରେ ସଂପୃକ୍ତି ନଥିଲେ ବା ତାଙ୍କ ନାମରେ ମକଦ୍ଦମା ନାହିଁ ।
- ସେ ଜଣେ ଭଲ ବିଧାୟକ ହୋଇଥିବାରୁ ତିନି ତିନି ଥର ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଥିଲେ ।
- ପ୍ରଦୀପ ପାଣିଗ୍ରାହୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିବା ସହ ତାଙ୍କୁ ଫସେଇ ଦିଆଯାଇଛି ଏବଂ ତାଙ୍କୁ ଜାମିନ ଦିଆଯାଉ ବୋଲି ବିଧାୟକଙ୍କ ଓକିଲ ଯୁକ୍ତିରେ ଦର୍ଶାଇଥିଲେ ।