ଓଡିଶା

odisha

ETV Bharat / city

ତାତିରୁ ପୋଲିସ ବାବୁଙ୍କୁ ତ୍ରାହି, ମନଜାଣି ସେବାରେ ଲାଗିଛନ୍ତି ଅଟୋ ଚାଳକ - ଭୁବନେଶ୍ବର ଅଟୋ ଚାଳକ

ମନୁଷ୍ୟ ସେବା ହିଁ ମାଧବ ସେବା ଦୀକ୍ଷାରେ ଦୀକ୍ଷିତ ହୋଇଛନ୍ତି ଅଟୋ ଚାଳକ । ଡହ ଡହ ଖରାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଟିକିଏ ଆଶ୍ବସ୍ତି ଦେବାକୁ ଥଣ୍ଡା ଥଣ୍ଡା ଭୁଷି ମିଶ୍ରିତ ପାଣି ବାଣ୍ଟି ଦେଉଛନ୍ତି । ଅଧିକ ପଢନ୍ତୁ...

ଲୋକଙ୍କ ସେବାରେ ପୋଲିସ, ପୋଲିସ ସେବାରେ ଅଟୋ ଚାଳକ
ଲୋକଙ୍କ ସେବାରେ ପୋଲିସ, ପୋଲିସ ସେବାରେ ଅଟୋ ଚାଳକ

By

Published : Apr 3, 2021, 4:56 PM IST

Updated : Apr 3, 2021, 10:59 PM IST

ଭୁବନେଶ୍ବର: ପେଶାରେ ଅଟୋ ଚାଳକ । ସ୍ବଳ୍ପ ରୋଜଗାରରେ ପରିବାରର ବୋଝ ଉଠାନ୍ତି । ହେଲେ ନିଶା ସେମାନଙ୍କ ମନୁଷ୍ୟ ସେବା । ପାଖରେ ଯଥେଷ୍ଟ ଟଙ୍କା ନାହିଁ ସତ, ହେଲେ ଏକ ବିଶାଳ ହୃଦୟର ସେମାନେ ଅଧିକାରୀ ଅଟନ୍ତି । ମନୁଷ୍ୟ ସେବା ହିଁ ମାଧବ ସେବା ଦୀକ୍ଷାରେ ସେମାନେ ଦୀକ୍ଷିତ ହୋଇଛନ୍ତି । ସେଥିପାଇଁ ସବୁ ସମୟରେ ମାନବ ସେବା ପାଇଁ ଆଗେଇ ଆସିଥାନ୍ତି । ଏବେ ସେମାନେ ଆମକୁ ସେବା ଯୋଗାଉଥିବା ରକ୍ଷକମାନଙ୍କୁ ସେବା ଦେଉଛନ୍ତି । ଡହ ଡହ ଖରାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଦୁଃଖ ଟିକିଏ ଲାଘବ କରିବାକୁ ବୁଲି ବୁଲି ବାଣ୍ଟୁଛନ୍ତି ଥଣ୍ଡା ଥଣ୍ଡା ଭୁଷି ମିଶ୍ରିତ ପାଣି । ରାଜଧାନୀ ଭୁବନେଶ୍ବରରେ କିଛି ଅଟୋ ଚାଳକମାନଙ୍କ ଏଭଳି ମହାନତା ସାମ୍ନାକୁ ଆସିଛି ।

ଲୋକଙ୍କ ସେବାରେ ପୋଲିସ, ପୋଲିସ ସେବାରେ ଅଟୋ ଚାଳକ

ପ୍ରଚଣ୍ଡ ଖରାରେ ଲୋକମାନେ ବାହାରକୁ ବାହାରି ପାରୁନଥିବାବେଳେ ପୋଲିସ କର୍ମଚାରୀ ସେସବୁ ଖାତିର ନ କରି ଦିନ ରାତି ଲୋକଙ୍କ ସେବାରେ ନିୟୋଜିତ ଥାଆନ୍ତି । ଏଣୁ ସେହି କର୍ମଚାରୀମାନଙ୍କୁ ଟିକିଏ ଆଶ୍ବସ୍ତି ଦେବାକୁ ଓଲ୍ଡ ଟାଉନରେ ରହୁଥିବା କିଛି ଅଟୋ ଚାଳକ ପଣ କରିଥିଲେ । ଏହାପରେ 10 ରୁ 15 ଜଣ ଅଟୋ ଚାଳକ ସମସ୍ତ ପୋଲିସ କର୍ମୀଙ୍କୁ ଥଣ୍ଡା ଥଣ୍ଡା ଭୁଷି ମିଶ୍ରି ପାଣି ବାଣ୍ଟି ସେମାନଙ୍କ ତୃଷ୍ଣା ନିବାରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଣୁ ସବୁଦିନ ସନ୍ଧ୍ୟାରେ ଏମାନେ ଭୁଷି ମିଶ୍ରି କିଣନ୍ତି । ତାହାକୁ ରାତିରେ ଏକ ବଡ ହାଣ୍ଡିରେ ପାଣିରେ ପକାଇ ରଖନ୍ତି । ଦିନ 12ଟାରୁ ନବୀନ ନିବାସ ଠୁ ଆରମ୍ଭ କରି ପଟିଆ ନନ୍ଦନକାନନ ପର୍ଯ୍ୟନ୍ତ ଦୁଇ ଅଟୋ ଧରି ବାହାରି ଯାଆନ୍ତି ଏବଂ ଗ୍ଲାସ ଜରିଆରେ ଥଣ୍ଡା ଥଣ୍ଡା ମିଠା ଜଳ ବାଣ୍ଟିଥାନ୍ତି । ଗତ ମହାଶିବରାତ୍ରି ପରଠୁ ଭୁବନେଶ୍ୱରରେ ୬୬ଟି ଟ୍ରାଫିକ ପୋଷ୍ଟ ସମେତ ବିଧାନସଭା, ଭିଭିଆପିଙ୍କ ବାସଭବନ, ନବୀନ ନିବାସ, ଲୋୟର ପିଏମଜି ଭଳି ସ୍ଥାନରେ ଡ୍ୟୁଟି କରୁଥିବା ସମସ୍ତ କର୍ମଚାରୀଙ୍କୁ ସେମାନେ ଏହି ପାଣି ବାଣ୍ଟୁଛନ୍ତି ।

ପ୍ରଚଣ୍ଡ ଖରାରେ ଏଭଳି ମିଠା ପାନୀୟ ଜଳ ପିଇ ପୋଲିସ କର୍ମଚାରୀମାନେ ମଧ୍ୟ ବେଶ୍ ଶାନ୍ତି ପାଆନ୍ତି । ତେବେ ଅଟୋ ଚାଳକମାନଙ୍କ ଏଭଳି ନିସ୍ବାର୍ଥପର କାର୍ଯ୍ୟକୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 3, 2021, 10:59 PM IST

ABOUT THE AUTHOR

...view details