ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ଏଥିରେ ସାଧାରଣ ପ୍ରଶାସନ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଗୃହ, ଇସ୍ପାତ ଓ ଖଣି ବିଭାଗର ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓଡିଆରେ OCS ପରୀକ୍ଷା ନେଇ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, OCS ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ ହୋଇଛି । ଏଣିକି ପରୀକ୍ଷାର୍ଥୀମାନେ ପ୍ରବନ୍ଧ ପରୀକ୍ଷାରେ ଇଂରାଜୀ କିମ୍ବା ଓଡିଆରେ ଲେଖିପାରିବେ । ସାକ୍ଷାତକାର ମଧ୍ୟ ଓଡ଼ିଆରେ ହେବ । ଯିଏ ଚାହିଁବେ ଇଂରାଜୀ ଭାଷାରେ ସାକ୍ଷାତକାର ଦେଇପାରିବେ ।
ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ ହୋଇ ଇଣ୍ଟରଭ୍ୟୁକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ । ଅଣସଂରକ୍ଷିତ ବର୍ଗ ପୂର୍ବରୁ ୪ଥର ପରୀକ୍ଷା ଦେଇପାରୁଥିଲେ । ଏଣକି ଅଣସଂରକ୍ଷିତ ବର୍ଗ ୬ଥର ପରୀକ୍ଷା ଦେଇପାରିବେ । SC/ST ବର୍ଗ ପୂର୍ବଭଳି ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ । ସେହିଭଳି ଧାନ ସଂଗ୍ରହ ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଖରିଫ ଏବଂ ରବି ଋତୁ ପାଇଁ ଧାନ ସଂଗ୍ରହ ନୀତି ଘୋଷଣା କରାଯାଇଛି ।