ଭୁବନେଶ୍ବର: ଜୀବନ ଜୀବିକାକୁ ଜାବୁଡି ଧରିଛି କୋରୋନା । ଭୂତାଣୁ ସହ ସଂଘର୍ଷ ମଧ୍ୟରେ ଭାଙ୍ଗି ଯାଇଛି ଆର୍ଥିକ ମେରୁଦଣ୍ଡ । ସେପଟେ ବହୁ ଦିନ ଧରି ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିବା ଯୋଗୁଁ ଘରେ ବସିଛନ୍ତି ଶିକ୍ଷାର୍ଥୀ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବସ୍ତି ପିଲାଙ୍କ ପାଇଁ ଆଗେଇ ଆସିଛନ୍ତି ଜଣେ ଶିଳ୍ପୀ । ସେ ନିସ୍ବାର୍ଥପର ଭାବେ ଗରୀବ ପିଲାଙ୍କୁ ଦେଉଛନ୍ତି ମାଗଣା ହସ୍ତକଳା ଶିକ୍ଷା । ଏହି ଶିଳ୍ପୀ ଜଣକ ହେଉଛନ୍ତି ଭୁବନେଶ୍ବର ଖଣ୍ଡଗିରି ବସ୍ତି ଅଞ୍ଚଳର ପ୍ରମୋଦ ମୁଦୁଲି । ଯିଏକି ନିଜ ଘରେ ଓଡିଶା ଆର୍ଟ ଫାଉଣ୍ଡେସନ ନାମକ ଏକ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ ଖୋଲି ବସ୍ତି ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ସେହିପରି ଆର୍ଥିକ ଅଭାବ ଯୋଗୁଁ ଏହି ହସ୍ତକଳା ଶିକ୍ଷାରୁ ବଞ୍ଚିତ ପିଲାମାନେ ବି ଛୁଟି ଆସୁଛନ୍ତି ପ୍ରମୋଦ ସାରଙ୍କ ଅନୁଷ୍ଠାନକୁ ।
2010ରେ ବିକେ ଆର୍ଟ କଲେଜରୁ ପାସ୍ ଆଉଟ ପରେ ଗରୀବ ପିଲାଙ୍କୁ ମାଗଣା ହସ୍ତକଳା ପ୍ରଶିକ୍ଷଣ ଦେବାକୁ ମନ ବଳାଇଥିଲେ ପ୍ରମୋଦ । ଯାହାକୁ କୋରୋନା କାଳରେ ସେ ବାସ୍ତବତାର ରୂପ ଦେଇଛନ୍ତି । ନିଜ ଘରେ ପ୍ରାକୃତିକ ପରିବେଶ ମଧ୍ୟରେ ଆର୍ଟ ଅନୁଷ୍ଠାନ ଖୋଲିଛନ୍ତି । ଯେଉଁଠିକୁ ପ୍ରାୟ 60ରୁ ଉର୍ଦ୍ଧ୍ବ ପିଲା ଆସି ତାଙ୍କ ପାଖରୁ ହସ୍ତକଳା ଶିଖୁଛନ୍ତି । ପ୍ରମୋଦଙ୍କ ଠାରୁ ଶିକ୍ଷା ପାଇ ବିଭିନ୍ନ ଚିତ୍ରାଙ୍କନ ସହ ଟେରାକୋଟା କଳାରେ ବି ପିଲାମାନେ ନିଜ ପ୍ରତିଭା ଦେଖାଉଛନ୍ତି । ସେହିପରି ପିଲାଙ୍କୁ ପ୍ରଶିକ୍ଷଣ ଦେବା ସହ ପ୍ରମୋଦ ମାଟି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ଆକର୍ଷଣୀୟ ସାମଗ୍ରୀର ରୂପ ଦେଉଛନ୍ତି । ଘରସଜ୍ଜା ଠାରୁ ରୂପ ସଜ୍ଜା ଯାଏଁ ସବୁ ହସ୍ତକଳାରେ ନିଜ ହାତର ଯାଦୁ ଦେଖାଉଛନ୍ତି ସେ ।