ଭୁବନେଶ୍ବର:ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି (ଶୁକ୍ରବାର) ବସିଥିଲା ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକ । ବୈଠକରେ ୬ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ପ୍ରକଳ୍ପ ମାଧ୍ୟମରେ ୪୯୩.୬୨ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବ । ଏହା ସହ ୧୩୧୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଲୋକସେବା ଭବନରୁ ଭିସି ଜରିଆରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଉପସ୍ଥାପନ କରିଛନ୍ତି । ପ୍ରକଳ୍ପ ଗୁଡିକ ମୁଖ୍ୟତଃ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ୍ ଡ଼ାଉନଷ୍ଟ୍ରିମ୍ ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହେବ ।
ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ବରିତ କ୍ଷେତ୍ରାନ୍ବୟନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବରୋପ କରିଛନ୍ତି । ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ସେ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ବପ୍ରସିଦ୍ଧ ଚିଲିକା ହ୍ରଦରେ ପର୍ଯ୍ୟଟନ ବିକାଶ ପାଇଁ ଏକ ମାଷ୍ଟର-ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପର୍ଯ୍ୟଟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚିଲିକାରେ ଥିବା ବିଭିନ୍ନ ଦୀପକୁ ମିଶାଇ ଏକ ସମନ୍ବିତ ଯୋଜନା ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦିଆଯାଇଛି ।