ଭୁବନେଶ୍ବର : ରାଜଧାନୀରେ କୋଭିଡ ସଂକ୍ରମଣ ହାର କମ ହେବାରେ ଲାଗିଛି । ଏହି ଧାରା ବଜାୟ ରଖିବା ପାଇଁ ବିଏମ୍ସି ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି । ଭୁବନେଶ୍ବରର ବିଭିନ୍ନ ଗହଳି ସ୍ଥାନରେ ମୋବାଇଲ୍ ଭ୍ୟାନ ଯୋଗେ ଆର୍ଟିପିସିଆର ତଥା ଆଣ୍ଟିଜେନ୍ ଟେଷ୍ଟିଂ ବ୍ୟବସ୍ଥା କରାଯାଉଛି । ଏଥିରେ ସହଯୋଗ କରିବା ପାଇଁ ବିଏମସି କମିଶନର ସଞ୍ଜୟ କୁମାର ସିଂ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି।
ହସ୍ପିଟାଲ୍ ଶଯ୍ୟା ଏବଂ ଆଇସିୟୁ:
ଭୁବନେଶ୍ବରରେ ଏବେ ୨ହଜାରରୁ ଉର୍ଦ୍ଧ୍ବ ହସ୍ପିଟାଲ ବେଡ ଖାଲି ପଡିଛି । ସେହିପରି ୭୫ରୁ ଅଧିକ ଆଇସିୟୁ ଖାଲି ଅଛି । ଅକ୍ସିଜେନ ସିଲିଣ୍ଡର ମଧ୍ୟ ଆବଶ୍ୟକ ଅନୁସାରେ ଉପଲବ୍ଧ ଅଛି । ଆମ୍ବୁଲାନ୍ସ ଯୋଗାଣ ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣ କରାଯାଇ ବିଏମ୍ସିର ୩ଟି ଜୋନ୍ରେ ଆବଶ୍ୟକ ସଂଖ୍ୟକ ଆମ୍ବୁଲାନ୍ସ ନିୟୋଜନ କରାଯାଇଛି । ସମୟାନୁସାରେ ରୋଗୀଙ୍କ ନିକଟରେ ପହଞ୍ଚିବା ପାଇଁ ଆମ୍ବୁଲାନ୍ସ ଗୁଡିକର ଜିପିଏସ୍ ସହ ସଂଯୋଗ କରାଯାଇ ଏହାର ଟ୍ରାକିଂ କରାଯାଉଛି ।
ଟୀକାକରଣ ତଥ୍ୟ:
ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଜୁନ୍ ୪ ତାରିଖ ସୁଦ୍ଧା ୮ ଲକ୍ଷ ୫୭ ହଜାର ୩୩୦ ଡୋଜ୍ ଟିକା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୪୫ ବର୍ଷରୁ ଊର୍ଦ୍ଧ୍ବ ୩ ଲକ୍ଷ ୩୮ ହଜାର ୪୬୩ ଜଣ ନାଗରିକଙ୍କୁ ୧ମ ଡୋଜ୍ ଏବଂ ଏହି ବର୍ଗର ୨ଲକ୍ଷ ୧୧ ହଜାର ୮୯୦ ଜଣ ନାଗରିକଙ୍କୁ ୨ୟ ଡୋଜ୍ ଟିକା ଦିଆଯାଇଛି । ୧୮ରୁ ୪୪ ବର୍ଷ ବୟସର ୧ ଲକ୍ଷ ୭୦ ହଜାର ୧୪୦ ଜଣ ନାଗରିକଙ୍କୁ ୧ମ ଡୋଜ୍ ଟୀକା ଦିଆଯାଇଛି । ଖୁବ୍ ଶୀଘ୍ର ଏହି ବର୍ଗର ନାଗରିକମାନଙ୍କୁ ଟିକା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ବିଭିନ୍ନ ବର୍ଗର ନାଗରିକ, ଯେଉଁମାନେ ୧ମ ଡୋଜ୍ ଟିକା ନେଇସାରିଛନ୍ତି । ସେମାନଙ୍କୁ ନିର୍ଦ୍ଧାରିତ ସମୟ ଅନୁସାରେ ୨ୟ ଡୋଜ୍ ଟିକା ନିଶ୍ଚିତ ଭାବରେ ପ୍ରଦାନ କରାଯିବ ବୋଲି ବିଏମ୍ସି କମିଶନର କହିଛନ୍ତି ।