ଭୁବନେଶ୍ବର: ଅନୁଗୋଳ ଥାନା କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦେହୁରୀକୁ ତଳକୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ମୃତ ନାବାଳିକାର ବାପା, ମା ଓ ତାଙ୍କ ମାମୁଁ ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟାୟ ପାଇଁ ଦାବି କରିଛନ୍ତି । ୨୦୧୯ ମସିହା ଜାନୁୟାରୀ ୨୦ ତାରିଖରେ କାଙ୍ଗୁଲା ଗାଁର ସରୋଜ ମହାରଣାଙ୍କ ୧୨ ବର୍ଷର ଝିଅକୁ ଏକୁଟିଆ ପାଇଁ ଗାଁ ମଶାଣିରେ ଅଭିଯୁକ୍ତ ଅନାମ ଦେହୁରୀ ପ୍ରଥମେ ଦୁଷ୍କର୍ମ ପରେ ପଥରେ ଛେଚି ହତ୍ୟା ଓ ପରେ ପୁଣି ଦୁଷ୍କର୍ମ କରିଥିଲା ।
ସେହି ଜଘନ୍ୟ ଘଟଣାରେ ଅଭିଯୁକ୍ତକୁ ସେତେବେଳେ ପୋଲିସ କଲିକତାରୁ ଗିରଫ କରିବା ସହ ମାମଲାର ଗୁରୁତ୍ୱକୁ ବିଚାର କରି ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ବିଚାର ପାଇଁ ଆବେଦନ କରାଯାଇଥିଲା । ଅନୁଗୋଳ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ 36 ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଫାଶୀଦଣ୍ଡ ଶୁଣାଇଥିଲେ । ଏହି ମାମଲା ପୁନଃବିଚାର ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିବା ବେଳେ ହାଇକୋର୍ଟ ଫାଶୀଦଣ୍ଡକୁ ରଦ୍ଦ କରିବା ସହ ମାମଲାର ପୁନଃବିଚାର ପାଇଁ ରାୟ ଶୁଣାଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ଅନାମକୁ ପୂର୍ବ ରାୟ ଅନୁସାରେ ଫାଶୀ ଦଣ୍ଡ ଦିଆଯାଉ ବୋଲି ପରିବାର ନିବେଦନ କରିଛନ୍ତି ।