ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରାଯିବ। ଏହାସହିତ ଯୁବକଯୁବତୀଙ୍କ ପାଇଁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେବା ଦିଗରେ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ପରିମାଣ ବର୍ଷକୁ ୩ କୋଟି ଥିବାବେଳେ ବର୍ତ୍ତମାନ ତାହା 100 କୋଟିକୁ ବୃଦ୍ଧି ପାଇଛି। ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ପରିମାଣ 2021-22 ଆର୍ଥିକ ବର୍ଷରେ 200 କୋଟି ହେବ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ଅନୁଦାନ ଦ୍ବିଗୁଣିତ - Western Odisha Development
![ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ଅନୁଦାନ ଦ୍ବିଗୁଣିତ annual grant of Western Odisha Development Council will be doubled says navin pattnaik](https://etvbharatimages.akamaized.net/etvbharat/prod-images/768-512-10639883-thumbnail-3x2-bbsr.jpg)
19:56 February 15
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ଅନୁଦାନ ଦ୍ବିଗୁଣିତ
ଖାଲି ସେତିକି ନୁହେଁ ପଶ୍ଚିମ ଓଡ଼ିଶାରେ ବିକାଶ କାର୍ଯ୍ୟକ୍ରମ ତ୍ବରାନ୍ବିତ କରାଯିବ। ଏଥିପାଇଁ ୧୦ଟି ଜିଲ୍ଲା ଏବଂ ଆଠମଲ୍ଲିକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟାଳୟ ଖୋଲିବ। ପଶ୍ଚିମ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଅନେକ ଗୁଡ଼ିଏ ବୃହତ ପ୍ରକଳ୍ପକୁ ତ୍ବରାନ୍ବିତ କରି ଠିକ୍ ସମୟରେ ଶେଷ କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପଦକ୍ଷେପ ନେବ।
ବିଜୁ ଏକ୍ସପ୍ରେସ ୱେ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଆଦି ପଶ୍ଚିମ ଓଡ଼ିଶାର ବିକାଶରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଆଗାମୀ ଦିନରେ ପରିପରିବା, ଡାଲି ଜାତୀୟ ଫସଲ ଓ ତୈଳବିଜ, ଫୁଲଚାଷ ଆଦି ଉଦ୍ୟାନ କୃଷିଭିତ୍ତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯିବ।
ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭର୍ଚୁଆଲ ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, କୃଷି ଉତ୍ପାଦନ କମିଶନର ଆର୍. କେ. ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଆଶୋକ କୁମାର ମୀନା, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାଶ, ଇଟିଭି ଭାରତ