ଭୁବନେଶ୍ବର: ପ୍ରେମ ଦେଖେନି ଜାତି କି ସମ୍ପ୍ରଦାୟ । ଶବ୍ଦ ଲୋଡେନି ଏ ପ୍ରେମ । ବାସ୍ ଟିକିଏ ଆଦର ଆଉ ସ୍ନେହରେ ଆପଣାର ହୋଇଯାଏ ଦୁଇ ମନ । ଏଇ ଦେଖୁନାହାନ୍ତି ଏସବୁ କଥାର କିପରି ଯଥାର୍ଥ ବଖାଣୁଛନ୍ତି ସିଂହ ଶାବକ ଏବଂ ତା'ର ମାଲିକ । ଉଭୟଙ୍କ ଅନାବିଳ ପ୍ରେମକୁ ଦେଖିଲେ ଲାଗୁଛି ଭାଷା, ଶବ୍ଦ ଆଉ ସମ୍ପ୍ରଦାୟ ଯେପରି ଆବେଗ ପାଇଁ ଅନାବଶ୍ୟକ । ଯେତେ ହିଂସ୍ର ହେଲେ ମଧ୍ୟ ସେ ବି ଅନୁଭବ କରିପାରୁଛି ପ୍ରେମକୁ । ଆଉ ମଣିଷର ଆଦରରେ ଭଲପାଇ ବସୁଛି ।
ଏ ଦୃଶ୍ୟ ହେଉଛି ନନ୍ଦନକାନନର । ଜନ୍ମରୁ ସିଂହଟିକୁ ମାଆ ପରି ଆପଣେଇଥିବା ପ୍ରାଣୀ ଉଦ୍ୟାନର ଆନିମଲ କିପର୍ ପ୍ରଶାନ୍ତ ଗୌଡ ଏବେ ଚର୍ଚ୍ଚାରେ । ଯେ କେହି ବି ସିଂହ ପ୍ରତି ଥିବା ତାଙ୍କ ଆଦର ଆଉ ସ୍ନେହକୁ ଦେଖି ବାଃ ବାଃ କହିବ । ସିଂହ ଶାବକଟିକୁ ନିଜ ଝିଅ ପରି ପାଳିଛନ୍ତି ପ୍ରଶାନ୍ତ । ନାମ ରଖିଛନ୍ତି ବର୍ଷା, ଭାରି ଆପଣାର ପରି ସେ ବି ଡାକ ଶୁଣୁଛି ।