ଭୁବନେଶ୍ବର: ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡି କର୍ମୀମାନେ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତି 2019କୁ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର ଦାବିରେ ରାଜଧାନୀର ଗାନ୍ଧିମାର୍ଗରେ ଏକତ୍ରିତ ହୋଇଛନ୍ତି । ଏହି ଶିକ୍ଷା ନୀତି ପ୍ରଣୟନ ଦ୍ୱାରା ସେମାନଙ୍କୁ ଜୀବିକା ହରାଇବାକୁ ପଡିବ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ଜାତୀୟ ଶିକ୍ଷାନୀତିକୁ ଅଙ୍ଗନୱାଡି କର୍ମୀଙ୍କ ବିରୋଧ
କେନ୍ଦ୍ର ସରକାରଙ୍କ ଶିକ୍ଷାନୀତି-2019କୁ ବିରୋଧ କରିଛନ୍ତି ଅଙ୍ଗନୱାଡି କର୍ମୀ । ଏହାକୁ ନେଇ ରାଜଧାନୀ ଗାନ୍ଧୀମାର୍ଗରେ ଏକତ୍ରିତ ହୋଇଛନ୍ତି ହଜାର ହଜାର କର୍ମୀ ।
ଦେଶରେ ପ୍ରାଥମିକ ବିଦ୍ୟାଳୟ ଶିଶୁମାନଙ୍କ ପୃଷ୍ଟିହୀନତା ଦୂରୀକରଣ ଓ ଗର୍ଭବତୀ ପ୍ରସୂତି ମହିଳାଙ୍କ ପୃଷ୍ଟିହୀନତା ଏବଂ ସ୍ୱାସ୍ଥ୍ୟ ଚିକିତ୍ସା, ମୃତ୍ୟୁହାର ହ୍ରାସ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଆସିଛନ୍ତି ଅଙ୍ଗନୱାଡି କର୍ମୀ । ଏହାଦ୍ବାରା ସେଥିରେ ମଧ୍ୟ ବାଧା ସୃଷ୍ଟି ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି । ତେଣୁ ଏହାକୁ ପ୍ରତ୍ୟାହାର କରିବା ସହିତ ଏହି ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଆହୁରି ସୁ-ସଂଗଠିତ ଭାବେ କାର୍ଯ୍ୟ କରାଇବାକୁ ଦାବି କରିଛନ୍ତି । କର୍ମୀମାନଙ୍କୁ ପିଲାମାନଙ୍କ କେବଳ ଶିକ୍ଷା ଦିଗରେ ମନୋନିବେଶ ପାଇଁ ସୁବିଧା ସୁଯୋଗ ପ୍ରଦାନ କରାଯିବା ପାଇଁ ମଧ୍ୟ ଦାବି କରିଛନ୍ତି ।
ଯଦି ଦାବି ପୂରଣ ନହୁଏ ତେବେ ସଂଗଠନ ପକ୍ଷରୁ ଏହା ବିରୁଦ୍ଧରେ ଦେଶବ୍ୟାପୀ ଧର୍ମଘଟ କରାଯିବ ବୋଲି ଚେତାବନୀ ଦେଇଛନ୍ତି ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଙ୍ଘର ସାଧାରଣ ସମ୍ପାଦିକା ହରପ୍ରିୟା ସ୍ବାଇଁ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ସାହୁ, ଇଟିଭି ଭାରତ