ଭୁବନେଶ୍ବର: କୋଭିଡ ମହାମାରୀ ସମୟରେ ଯେତେବେଳେ ସାରା ବିଶ୍ୱ ଆତଙ୍କିତ, ସମସ୍ତଙ୍କୁ ଘରେ ରହିବା ନିମନ୍ତେ ପରାମର୍ଶ ଦିଆଯାଉଛି ସେତିକିବେଳେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଜଣେ କ୍ଷେତ୍ର କର୍ମକର୍ତ୍ତାଙ୍କ କର୍ତ୍ତବ୍ୟନିଷ୍ଠା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ତାଙ୍କର କଠିନ ପରିଶ୍ରମ, ଉତ୍ସର୍ଗୀକୃତ ଦାୟିତ୍ୱ ନିର୍ବାହ ପାଇଁ ସେ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଏବଂ ଆଦରର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନିଜର ବ୍ୟକ୍ତିଗତ ଦୁଃଖ ଏବଂ ସମସ୍ୟାକୁ ପଛରେ ପକାଇ ସେ ଯେଭଳି ଭାବେ ନିଜ ଅଞ୍ଚଳବାସୀଙ୍କ ନିରବରେ ସେବା କରି ଚାଲିଛନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରୁ ପ୍ରଶଂସା ସାଉଁଟିଛନ୍ତି । ସେ ହେଉଛନ୍ତି ନୂଆପଡା ଜିଲ୍ଲା ବୋଡେନ ବ୍ଲକ୍ର ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳ ଧୋବିଘାଟ ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ଶାନ୍ତିଲତା ମାଝୀ ।
ଏହି ଅନୁସୂଚିତ ଜନଜାତି ମହିଳାଙ୍କ ବୟସ ୬୦ ବର୍ଷ । ୪ଟି ପୁଅ ଏବଂ ତିନି ଝିଅଙ୍କୁ ନେଇ ତାଙ୍କର ପରିବାର । ସ୍ୱଳ୍ପ ଜମିରେ ଚାଷବାସ ହିଁ ତାଙ୍କ ପରିବାରର ଏକମାତ୍ର ଜୀବିକା । ଝିଅମାନେ ଏବଂ ଗୋଟିଏ ପୁଅ ବାହା ହୋଇସାରିଛନ୍ତି । ବୋଡେନ୍ ବ୍ଲକ୍ ହେଉଛି ଜିଲ୍ଲାର ସବୁଠାରୁ ଉଚ୍ଚତାରେ ଥିବା ଏକ ବିପଦସଂକୁଳ ଅଞ୍ଚଳ । ଶାନ୍ତିଲତାଙ୍କ ନିଜ ଗାଁ ସହଜପାଣିରୁ ଧୋବିଘାଟ ଅଙ୍ଗନବାଡ଼ି କେନ୍ଦ୍ରର ଦୂରତା ୩ କିମିରୁ ଊଦ୍ଧ୍ୱର୍ । ଆଖପାଖରେ କୌଣସି ଜନବସତି, ଦୋକାନବଜାର ନାହିଁ । ଗାଁରେ ୫୬ ଟି ପରିବାରରେ ସ୍ତ୍ରୀପୁରୁଷ ମିଶି ପ୍ରାୟ ୨୩୦ ଜଣ ବାସ କରନ୍ତି । ଅଙ୍ଗନବାଡି କେନ୍ଦ୍ରରେ ପାଖାପାଖି ୨୨ ଜଣ ଶିଶୁ ପଞ୍ଜିକୃତ ହୋଇଛନ୍ତି । ଗାଁରେ ପ୍ରାୟ ୫ ଜଣ ଗର୍ଭବତୀ ମହିଳା ଏବଂ ୧୦ ଜଣ ପ୍ରସୂତୀ ମହିଳା ଅଛନ୍ତି । ପାଦରେ ଚାଲି ଚାଲି ଶାନ୍ତିଲତା ଘରକୁ ଘର ପହଞ୍ଚି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶୁଖିଲା ରାସନ ବଣ୍ଟନ କରୁଛନ୍ତି । ବଣ୍ଟନ କାର୍ଯ୍ୟରେ ତାଙ୍କ ନାତି ତାଙ୍କୁ ସାହାଯ୍ୟ କରୁଛନ୍ତି ।