ଭୁବନେଶ୍ବର: ସୁଖ, ସୌହାର୍ଦ୍ଦ କାମନା କରି ଲୋକେ ପାଳନ କରୁଛନ୍ତି ଅନନ୍ତ ବ୍ରତ । ଚତୁର୍ଦ୍ଦଶୀ ତିଥିରେ ଉଭୟ ପୁରୁଷ ଓ ମହିଳା ଏହି ବ୍ରତ ପାଳନ କରିଥାନ୍ତି । ଥରେ ଆରମ୍ଭ କଲେ ୧୪ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ନିଷ୍ଠାନ ସହ ପାଳନ କରିବାକୁ ପଡେ ବୋଲି ପ୍ରଥା ରହିଛି ।
ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ହେଉଛି ଅନନ୍ତ ଦେବଙ୍କ ବ୍ରତ ତିଥି । ଏହି ଦିନ ପ୍ରତ୍ୟୁଷରୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତ ପ୍ରତିମାଙ୍କୁ ପୂଜା କରାଯାଏ । ଚତୁର୍ବଗ ଫଳ ଲାଭ ପାଇଁ କି କି ବ୍ରତ ପାଳନୀୟ ବୋଲି ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଏହି ଅନନ୍ତ ବ୍ରତ ପାଳନ କରିବାକୁ ଶ୍ରୀକୃଷ୍ଣ ପରାମର୍ଶ ଦେଇଥିଲେ । ଭବିଷ୍ୟ ପୁରାଣରେ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର ସମ୍ବାଦରେ ଏହି ବ୍ରତର ମହାତ୍ମ୍ୟ ବର୍ଣ୍ଣିତ ହୋଇଛି ।