ଭୁବନେଶ୍ବର:ଭକ୍ତ ଭାବରେ ବନ୍ଧା କାଳିଆ ସୁନା । ଆଉ ସେ ହିଁ ଭକ୍ତ ପାଇଁ ରତ୍ନ ସିଂହାସନ ଛାଡି ରଥାରୁଢ଼ ହୋଇ ଆସେ ବଡ଼ଦାଣ୍ଡକୁ । ବର୍ଷକୁ ଥରେ ଦର୍ଶନ ପାଇଁ ଭକ୍ତ ପାଖକୁ ଧାଇଁଆସେ ଭାବର ଠାକୁର । କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ପାଇଁ କାଳିଆ ଠାକୁର ରଥାରୁଢ଼ ହୋଇଛି ଆଉ ତା ରଥ ଯାତ୍ରା ବି ହୋଇଛି । କିନ୍ତୁ ନା ତାର ପ୍ରିୟ ଭକ୍ତ ସେହି ରଥକୁ ନା ଟାଣିପାରୁଛି ନା ବଡ଼ଦାଣ୍ଡରେ ଯାଇ ଟିକେ ଆଖି ପୁରେଇ ଦେଖିପାରୁଛି । ତେଣୁ ନିଜ ଭାବକୁ ଓ ଭକ୍ତିକୁ ତା ପାଖରେ ସମର୍ପଣ କରିବାକୁ ଚିତ୍ରରେ ସଜେଇଛି କାଳିଆ ଠାକୁରକୁ । ରାଜଧାନୀର ଓ଼ଲ୍ଡ ଟାଉନର ଚିତ୍ରଶିଳ୍ପୀ ରାଜକିଶୋର ମହାରଣା କାନଭାସ ଓ କାଳିରେ କାଳିଆର ବିଭିନ୍ନ ଲୀଳାକୁ ନେଇ ଅତି ଚମତ୍କାର ଚିତ୍ର ଆଙ୍କିଛନ୍ତି ।
କେତେବେଳେ କାଳିଆକୁ ଭକ୍ତ ଟିଏ ଦେଖିବାକୁ ଅପେକ୍ଷାରେ ରହିଥିବା ଚିତ୍ର ତ କେତେବେଳେ ଆନନ୍ଦ ବଜାରରେ ପ୍ରଭୁଙ୍କ ଅଭଡ଼ାକୁ ଚାହିଁ ରହିଥିବା ଓଲଟପାରର ଚିତ୍ର । ଆଉ ଆସନ୍ତାକାଲି(ମଙ୍ଗଳବାର) ବାହୁଡ଼ା ଯାତ୍ରା ଥିବାରୁ ଚତୁଦ୍ଧାମୂର୍ତିଙ୍କୁ ରଥାରୂଢକରି ବଡ଼ଦାଣ୍ଡରେ ଯାଉଥିବା ଦୃଶ୍ୟକୁ ଅତି ସୁନ୍ଦର ଭାବରେ ସଜାଇଛନ୍ତି ନିଜ ରଙ୍ଗ ତୂଳୀରେ ।