ଭୁବନେଶ୍ବର: ପ୍ରଥମ ଶ୍ରେଣୀ ପିଲା ଶିଖିବେ ସ୍ପୋକନ ଇଂଲିଶ । ପିଲାଙ୍କୁ ଗୁଣାତ୍ମକ ଓ ଉଚ୍ଚ ଶିକ୍ଷା ପାଇଁ ଅଭିଭାବକମାନେ ବେସରକାରୀ କିମ୍ବା ଇଂରାଜୀ ସ୍କୁଲରେ ପାଠ ପଢାନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ରାଜ୍ୟସରକାର ସରକାରୀ ସ୍କୁଲମାନଙ୍କରେ ସ୍ପୋକନ ଇଂଲିଶ ବିଭାଗ ଖୋଲିବେ । ଆଉ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା।
ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଦ୍ୟାଳୟ ମାନଙ୍କରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ମିଡିଅମ ବିଭାଗ ଖୋଲାଯିବ । ଏହି ବିଦ୍ୟାଳୟ ଗୁଡିକର ସଫ୍ଟ ଇନଫ୍ରାଷ୍ଟ୍ରକଚରର ଆବଶ୍ୟକତା ପୂରଣ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ ।
ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶ ଶିକ୍ଷା ଦିଆଯିବ । ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ସର୍ବତ୍ର ଆବଶ୍ୟକତା ଭିତ୍ତିରେ ଶିକ୍ଷକ ମାନଙ୍କୁ ମୁତୟନ କରାଯିବ । ରାଜ୍ୟରେ ସରକାରୀ ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷାଦାନ ସୁନିଶ୍ଚିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଇ ଆସୁଛନ୍ତି । ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଲକ୍ଷ୍ୟ ନେଇ ରାଜ୍ୟ ସରକାର ବିଦ୍ୟାଳୟ ମାନଙ୍କର ପରାଚାଳନା ବ୍ୟବସ୍ଥା ଉନ୍ନତ କରିବା, ଶିକ୍ଷାଦାନରେ ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ଵ ବିକାଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।
୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବା ଏବଂ ପିଲାମାନଙ୍କୁ ସେହି ସରକାରୀ ସ୍କୁଲରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରାଥମିକ ବା ଉଚ୍ଚ ପ୍ରାଥମିକ ବା ଉଚ୍ଚ ବିଦ୍ୟାଳୟ ଗୁଡିକୁ ଯଥାକ୍ରମେ ୧ କିଲୋମିଟର ବା ୨ ବା ୩ କିଲୋମିଟର ପରିସର ମଧ୍ୟରେ ଥିବା ସରକାରୀ ବିଦ୍ୟାଳୟରେ ମିଶାଇ ଦିଆଯିବ । ଏହାଦ୍ଵାରା ଶିକ୍ଷକ ଅଭାବଜନିତ ସମସ୍ୟା ଏବଂ ଶିକ୍ଷାଦାନ ପାଇଁ ଅନ୍ୟାନ୍ୟ ସୁବିଧା ସୁଯୋଗର ଅଭାବ ରହିବ ନାହିଁ ।