ଭୁବନେଶ୍ବର: ରାଜ୍ୟରେ ରାଜନୈତିକ ତାତି । ତାତି ଆକ୍ରମଣର, ତାତି ରାଜନେତାଙ୍କ ବୟାନବାଜୀ ପାଇଁ । ନିର୍ବାଚନ ପୂର୍ବରୁ ନେତାଙ୍କ ଉପରେ ଆକ୍ରମଣ ହେବା ଆଉ ପରସ୍ପର ଦୋଷ ଲଦାଲଦି ପ୍ରସଙ୍ଗ ନୂଆ ନୁହେଁ । ଯଦି ଆକ୍ରମଣ ବିରୋଧିଙ୍କ ଉପରେ ହୁଏ, ତେବେ ସିଧାସଳଖ ପ୍ରଶ୍ନ ନିଶ୍ଚିତ ଭାବେ ସରକାରଙ୍କ ଉପରକୁ ଉଠିବ । ଠିକ୍ ଏପରି କିଛି ମାହୋଲ୍ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ ପରେ ରାଜ୍ୟରେ ଦେଖିବାକୁ ମିଳିଛି । କଂଗ୍ରେସ ତାତିବାରେ ଲାଗିଛି, ଆକ୍ସନ ନ ହେଲେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଆକ୍ରମଣ କରିବାର ଖୋଲା ଧମକ୍ ଦେଇଛି ।
କେନ୍ଦୁଝର ଗସ୍ତ ସମୟରେ ଗତକାଲି 4-5 ଜଣ ଦୁର୍ବୃତ୍ତ କଂଗ୍ରେସ ପିସିସି ସଭାପତିଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ ମାରିଥିଲେ ଆଉ ଗାଡି କାଚ ଲକ୍ ଥିବାରୁ ନିରଞ୍ଜନ ଅଳ୍ପକେ ବର୍ତ୍ତି ଯାଇଥିଲେ । ଆଉ ଆକ୍ରମଣ ପରେ ପୂରାପୂରି ଆକ୍ରମଣାତ୍ମକ ମୁଦ୍ରାରେ କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ ହେଲେ 307 ଦଫା ଲାଗୁଛି ତ' ନିରଞ୍ଜନଙ୍କ ଉପରେ ଆକ୍ରମଣ ପରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନି ବୋଲି ଦଳ ପ୍ରଶ୍ନ କରିଛି । କଂଗ୍ରେସ ଏଥିରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ଆସୁଛି । ଏପରିକି ନିରଞ୍ଜନ ଖୋଦ୍ ବିଜେପି ଯୁବ ମୋର୍ଚ୍ଚା ଆକ୍ରମଣ କରିଛି ବୋଲି କହିଛନ୍ତି ।