ଭୁବନେଶ୍ବର: ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତଳି ଅଞ୍ଚଳରେ ବର୍ଷା ଜଳ ପ୍ରବେଶ କରିଛି । ଏହା ସହ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବନ୍ୟା ସ୍ଥିତି ଉପୁଜିନଥିବାବେଳେ ଆକ୍ସନ ମୋଡ଼କୁ ଆସିଛି ଜଳ ସମ୍ପଦ ବିଭାଗ । ଏନେଇ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରିଦେଉଛି ବିଭାଗ । ନିଜ କାର୍ଯ୍ୟାଳୟରେ ସ୍ଥିତି ଉପରେ ନଜର ରଖିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ।
ମହାନଦୀର ଉପର ମୁଣ୍ଡରେ ଅଧିକ ବର୍ଷା ହୋଇନି । ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, କୋଲାବ ବେସିନରେ ବି ଅଧିକ ବର୍ଷା ହୋଇନି । ୮ଟି ବୃହତ ଜଳଭଣ୍ଡାରରୁ ହୀରାକୁଦ ଓ ରେଙ୍ଗାଲିକୁ ଛାଡିଦେଲେ ଅନ୍ୟ ଜଳଭଣ୍ଡାରରେ ୫୦ ପ୍ରତିଶତରୁ କମ ଜଳ ରହିଛି । ଚାଷ ଜମିରେ ଜଳସେଚନ ପାଇଁ ଏହା ସହଯୋଗ କରିବ । ମହାନଦୀର ନରାଜରେ ଜଳସ୍ତର ସ୍ଥିର ଅଛି । ୪ ମିଟର ତଳେ ଅଛି ଜଳସ୍ତର । ବ୍ରାହ୍ମଣୀରେ ଜଳସ୍ତର ବଢ଼ୁଥିଲେ ବି ବିପଦ ସଙ୍କେତ ତଳେ ରହିଛି । ବୈତରଣୀ ଆଖୁଆପଦାରେ ବଢ଼ୁଛି କିନ୍ତୁ ବିପଦ ସଙ୍କେତ ପାଖାପାଖି ରହିଛି । ସୁବର୍ଣ୍ଣରେଖାରେ ବି ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ଜଳକା ନଦୀର ବି ସମାନ ଅବସ୍ଥା ଅଛି । ଆଉ ଜଳସ୍ତର ବଢ଼ିବାରେ ସମ୍ଭାବନା ନାହିଁ । ଅନ୍ୟ ନଦୀଗୁଡ଼ିକ ବିପଦ ସଙ୍କେତ ତଳେ ରହିଛନ୍ତି ।
ଏହାସତ୍ତ୍ବେ ଜଳ ସମ୍ପଦ ବିଭାଗ ପକ୍ଷରୁ ସବୁ ଅଧିକାରୀଙ୍କୁ ସତର୍କ କରାଯାଇଛି । ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସବୁ ସ୍ଥାନରେ ଅଧିକାରୀ ସଜାଗ ଅଛନ୍ତି । ସମ୍ଭାବ୍ୟ ପ୍ରତିକୂଳ ସ୍ଥିତିକୁ ଦେଖି ସଜାଗ ରହିଛି ବିଭାଗ । ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ସ୍ଥାନ ଉପରେ କଡ଼ା ନଜର ରଖିଛି ବିଭାଗ । ୨୦ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି । ଆବଶ୍ୟକ ସ୍ଥଳେ ରାତ୍ରିକାଳୀନ ପାଟ୍ରୋଲିଂ କରିବାକୁ କୁହାଯାଇଛି । ତଳିଆ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ସଜାଗ ରହିଛି ବିଭାଗ । କୋଭିଡ ସଂକ୍ରମଣ ଯୋଗୁଁ ଡିଜିଟାଲ ମୋବାଇଲ ଆପ୍ ପ୍ରସ୍ତୁତ କରାଯାଇଛି । hydro met app ନାମରେ ଏହା ପ୍ରସ୍ତୁତ ହୋଇଛି । ଏଥିରେ ଏବେ ସମସ୍ତ ସୂଚନା ମିଳିବ । ଏହାକୁ ନେଇ ବିଭାଗ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ଲଘୁଚାପ ଜନିତ ବର୍ଷା ପୁରୀ ଜିଲ୍ଲା କାକଟପୁରରେ 525 ମିଲିମିଟର ରେକର୍ଡ କରାଯାଇଛି । ଜଗତସିଂହପୁର ବାଲିକୁଦାରେ 440 ମିଲିମିଟର ବର୍ଷା ହୋଇଛି । ଲୋୟର ମହାନଦୀରେ ଟିକେ ଅଧିକ ବର୍ଷା ହୋଇଛି । ଏହାସହ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହୋଇଛି । ଫଳରେ ହୀରାକୁଦ 78 ପ୍ରତିଶତ ଓ ରେଙ୍ଗାଲିରେ 83 ପ୍ରତିଶତ ଜଳ ରହିଛି । ଆଉ 6ଟି ଜଳଭଣ୍ଡାରରେ 50 ପ୍ରତିଶତରୁ କମ ଜଳ ଅଛି । 44 ଟା ମିଡିୟମ ଜଳଭଣ୍ଡାରରୁ 6ଟାରେ 75 ପ୍ରତିଶତରୁ ଅଧିକ ଜଳ ରହିଛି । ମହାନଦୀ ଉପରେ ମୁଣ୍ଡରେ ବର୍ଷା ହେବା ଯୋଗୁ ହୀରାକୁଦରେ ଜଳସ୍ତର ବଢୁଛି । ଜଳଭଣ୍ଡାର ପୂର୍ଣ ହେବାର ଆଶା ରହିଛି । ଯାହାଫଳରେ ଏହି ଜଳ ଚାଷ ପାଇଁ ସାହାଯ୍ୟ କରିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ